ଓଡ଼ିଶାଲାଇଭ୍ ପ୍ରମୁଖ ପ୍ରତିନିଧି

ଜଣେ ନାବାଳିକା ଯେତେବେଳେ ତା ନିଜ ଶିକ୍ଷକ ଏବଂ ଅନ୍ୟ ଅପରାଧୀମାନଙ୍କ ଦ୍ୱାରା ବାରମ୍ବାର ଦୁଷ୍କର୍ମର ଶିକାର ହୁଏ ଏବଂ ତାକୁ ଠିକ୍ ସମୟରେ ନ୍ୟାୟ ମିଳେନାହିଁ  ତେବେ ଆଗକୁ କଣ ଘଟିପାରେ! ଜାଣନ୍ତୁ ଏଭଳି ଏକ ଲଜ୍ୟାଜନକ ଲୋମଟାଙ୍କୁରା ଘଟଣାର ଆମୂଳଚୁଳ କଥା! ଓଡ଼ିଶାଲାଇଭ୍ଅନୁସନ୍ଧାନ।

Malkanagiri Gobindpalli Gangrape Victim Attempts Suicide, Family Seeking Justice, OdishaLIVE Investigation
ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ପୀଡ଼ିତା।
  • ନାବାଳିକାକୁ ଗଣଦୁଷ୍କର୍ମ, ଅପରାଧୀ ଏବେବି ଖୋଲାରେ ବୁଲୁଛନ୍ତି
  • ଦୁଷ୍କର୍ମକାରୀ ମଧ୍ୟରେ ଖୋଦ୍ଛାତ୍ରୀଙ୍କ କଲେଜର ଅଧ୍ୟାପକ
  • ଯୁବତୀଙ୍କୁ ଧମକ ଚମକ ଦେଇ ମାରଣାସ୍ତ୍ର ଦେଖାଇ ରଚିଲେ ଅପରାଧ
  • ପୀଡ଼ିତାଙ୍କ ନଗ୍ନ ଭିଡିଓ ମୋବାଇଲ୍ରେ ରେକର୍ଡ କରି ଭାଇରାଲ୍କରିବାକୁ ଦେଲେ ଧମକ
  • ହାଇକୋର୍ଟରେ ନ୍ୟାୟ ଭିକ୍ଷା କଲେ ପୀଡ଼ିତାଙ୍କ ପରିବାର
  • ନ୍ୟାୟ ମିଳିବାରେ ବିଳମ୍ବ ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବତୀ
  • ଭୁବନେଶ୍ୱରସ୍ଥିତ ଏମ୍ସରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ଯୁବତୀ
  • ପୋଲିସ ତଦନ୍ତ ଉପରୁ ଆସ୍ଥା ହଟାଇଲେ ପୀଡ଼ିତାଙ୍କ ପରିବାର
  • ଘଟଣାର ସାନି ଏବଂ ଉପଯୁକ୍ତ ତଦନ୍ତ ପାଇଁ ଓଡ଼ିଶାଲାଇଭ୍ମାଧ୍ୟମରେ ଦାବି ଜଣାଇଲା ପରିବାର

ଘରେ ଲୋକବଳ ନଥିଲେ, ପକେଟ୍‌ରେ ଅର୍ଥବଳ ନଥିଲେ ଏବଂ ନିଜର ଓ ପରିବାରର ମନୋବଳ ନଥିଲେ ଅପରାଧ କେତେ ସଙ୍ଗୀନ ହେଉ ପଛେ ଜଣେ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ପ୍ରକ୍ରିୟା ବିଳମ୍ବିତ ହୋଇପାରେ! ଏପରିକି ନ୍ୟାୟ ମିଳି ବି ନପାରେ! – ଏହା କୌଣସି ସିନେମାରେ ଡାଏଲଗ୍ ନୁହେଁ କିମ୍ବା ଏ ଗଣମାଧ୍ୟମ ପ୍ରତିନିଧିର ଆବେଗର ବିଷୟ ନୁହେଁ; ଏହା ସତ୍ୟ ଏବଂ ତଥ୍ୟ ଉପରେ ଆଧାରିତ।

ଓଡ଼ିଶାର ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ଏବଂ ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲ୍ଲୀର ଗଣଦୁଷ୍କର୍ମର ଶିକାର ହୋଇ ନ୍ୟାୟ ପାଇଁ ଗୁହାରୀ କରୁଥିବା ଜଣେ ୧୭ ବର୍ଷୀୟା ଯୁବତୀଙ୍କ ଲୋମଟାଙ୍କୁରା କାହାଣୀ। ଶେଷ ପର୍ଯ୍ୟନ୍ତ ପଢ଼ିଲେ ଜାଣିବେ କାହିଁକି ଏହି ଯୁବତୀ ନ୍ୟାୟ ବ୍ୟବସ୍ଥା ଉପରୁ ସମସ୍ତ ବିଶ୍ୱାସ ହରାଇ ଶେଷରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ। ତାଙ୍କର କାହାଣୀ ବର୍ଣ୍ଣନା କରିବା ଆଗରୁ ଆପଣ ଜାଣିନିଅନ୍ତୁ ଯେ ସମ୍ପୃକ୍ତ ଯୁବତୀ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ଏମ୍‌ସରେ ପଡ଼ି ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି।

ଅପରାଧୀ ଆରାମରେ, ପୀଡ଼ିତା ଅଡୁଆରେ!

‘‘ଆସାମୀମାନଙ୍କୁ ମୁଁ ଚିହ୍ନିଛି। ୩ ଜଣଙ୍କୁ ମୁଁ ଚିହ୍ନିଛି। କିନ୍ତୁ ଜଣେ ଲେକ୍‌ଚରଙ୍କୁ ହିଁ ଆରେଷ୍ଟ କରାଯାଇଛି। ଆଉ ଦୁଇ ଜଣଙ୍କୁ ଏପର୍ଯ୍ୟନ୍ତ ଆରେଷ୍ଟ କରାଯାଇନି। ଏମିତିରେ ବି ଅନେକ ଧମକଚମକ ଆସୁଛି।’’ – ସମ୍ପୃକ୍ତ ଯୁବତୀ (ଛଦ୍ମନାମ – ମୁକ୍ତା)। ୨୦୧୮ ମସିହା ଜାନୁୟାରି ମାସରେ ଗୋଟିଏ ଟେଲିଭିଜନ୍ ମାଧ୍ୟମକୁ ଏହି କଥା କହିଥିଲେ। ଜାନୁୟାରି ୨୪ ତାରିଖରେ ପ୍ରକାଶିତ ଏହି ଟିଭି ରିପୋର୍ଟରେ ସମ୍ପୃକ୍ତ ଯୁବତୀ ମୁହଁରେ କପଡ଼ା ବାନ୍ଧି ସାହସ ସଞ୍ଚୟ କରି ନିଜର ଦୁଃଖ ଜଣାଇଥିଲେ।

କିନ୍ତୁ ବାସ୍ତବ କଥା ହେଉଛି ଯେ ଏ ଭିତରେ  ପ୍ରାୟ ୧୫ ମାସ ବିତି ଯାଇଥିଲେ ମଧ୍ୟ ଯେଉଁ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ବିଷୟରେ ମୁକ୍ତା ପ୍ରଶ୍ନ ଉଠାଇଥିଲେ ଏବେ ବି ସେମାନେ ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲ୍ଲୀ ଅଞ୍ଚଳରେ ଆରାମରେ ଚଳପ୍ରଚଳ ହେଉଛନ୍ତି। ସେମାନେ ହେଲେ ମହେନ୍ଦ୍ର କୁମାର ପାଣିଗ୍ରାହୀ ଏବଂ କୁଆଁ ଓରଫ୍ ଭେଙ୍କଟେଶ୍ୱର ଆଚାର୍ଯ୍ୟ। ଚରମ ଦୁର୍ଭାଗ୍ୟର କଥା ଯେ ଏହି ଦୁଇଜଣ ଅଭିଯୁକ୍ତ କୁଆଡ଼େ ବୃତ୍ତିରେ ସାମ୍ବାଦିକ।

ଏହି ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଅଜୟ କୁମାର ସୂତାର ପ୍ରାୟ ୩ ମାସ ଜେଲ୍‌ରେ ରହି ଏବେ ବେଲ୍‌ରେ ଅଛନ୍ତି। ଅଜୟ ବୃତ୍ତିରେ ଜଣେ ଅଧ୍ୟାପକ। ଗୁରୁ ହୋଇ ନିଜ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି ତାଙ୍କ ନାଁରେ।

ସେହି ଲୋମଟାଙ୍କୁରା କାହାଣୀ

ନାବାଳିକା ମୁକ୍ତାଙ୍କ ସହ ଘଟିଥିବା ଅପରାଧର କାହାଣୀକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିବା ସମ୍ଭବପର ନୁହେଁ। ତେବେ ସଂକ୍ଷେପରେ ବର୍ଣ୍ଣନା କରାଯାଇପାରେ ଯାହା ତାଙ୍କ ସହ ଘଟିଥିଲା ୭ ନଭେମ୍ବର ୨୦୧୭ରେ, ଖୋଦ୍ ସେ ପଢ଼ୁଥିବା କଲେଜରେ।

ଗୋବିନ୍ଦପାଲ୍ଲୀରେ ରହିଛି ଏସ୍‌ଏସ୍‌ଡି ସାଇନ୍ସ କଲେଜ। ସେଠାରେ +୨ ସାଇନ୍ସ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ ମୁକ୍ତା। ଓଡ଼ିଶାଲାଇଭ୍‌ ପ୍ରତିନିଧିଙ୍କୁ ତାଙ୍କ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଘଟଣା ଦିନ ଅପରାହ୍ନରେ ସେ କ୍ଲାସ୍ ସାରି ଆସୁଥିବା ବେଳେ ୩ ଜଣ ଅଣ ଛାତ୍ର ତାଙ୍କୁ ଜୋର୍ ଜବରଦସ୍ତ କଲେଜର ରୋଷେଇଘରକୁ ଉଠାଇ ନେଇଥିଲେ। ସେମାନେ ସେଠାରେ ତାଙ୍କୁ ଧମକଚମକ ଦେଇ ଏବଂ ମାରଣାସ୍ତ୍ର ଦେଖାଇ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ସାମିଲ୍ ହୋଇଥିଲେ ସମ୍ପୃକ୍ତ କଲେଜର ଓଡ଼ିଆ ବିଭାଗର ଅଧ୍ୟାପକ ଅଜୟ କୁମାର ସୂତାର।

ତେବେ ଅପରାଧୀମାନଙ୍କ ଡର ଏବଂ ସାମାଜିକ ଲୋକଲଜ୍ୟା ଭୟରେ ମୁକ୍ତା ଏହି ଘଟଣା ହଠାତ୍ କାହାକୁ ଜଣାଇବାକୁ ସାହସ କରିପାରିନଥିଲେ। ତେବେ ତାହା ସେ ନିଜ ଭିତରେ ଗୋଟିଏ ଦିନ ବି ଚାପି ରଖିପାରିନଥିଲେ। ଘଟଣାର ପରଦିନ ଅର୍ଥାତ୍ ୮ ନଭେମ୍ବର ୨୦୧୭ରେ ସେ ତାଙ୍କ ମା’ଙ୍କୁ ପୂରା ଘଟଣା ବର୍ଣ୍ଣନା କରିଥିଲେ।

ଝିଅର ଏହି ଦୁର୍ଦ୍ଦଶା ଦେଖି ଭାଙ୍ଗିପଡ଼ିଥିଲେ ତାଙ୍କ ମା’। ମୁକ୍ତାଙ୍କ ବାପା ଭିନ୍ନକ୍ଷମ। ତାଙ୍କ ଘର ଗଞ୍ଜାମ ଜିଲ୍ଲାରେ। ଘରର ଆର୍ଥିକ ଅସୁବିଧା କାରଣରୁ ମୁକ୍ତା ଓ ତାଙ୍କ ମା’ ରହୁଥିଲେ ମୁକ୍ତାଙ୍କ ମାମୁଙ୍କ ପାଖରେ। ମୁକ୍ତାଙ୍କ ମାମୁ ବ୍ରାହ୍ମଣ କର୍ମ କରି ଚଳନ୍ତି। ସେ ଗଞ୍ଜାମ ଜିଲ୍ଲା ଛାଡ଼ି ମାଲକାନଗିରିର ଗୋବିନ୍ଦପାଲ୍ଲୀ ଅଞ୍ଚଳରେ ରହନ୍ତି। ମୁକ୍ତାଙ୍କ ମା’ ତାଙ୍କୁ (ମୁକ୍ତାଙ୍କ ମାମୁ) ଏକଥା ଜଣାଇବା ପରେ ୯ ତାରିଖ ଦିନ ସେମାନେ ମାଥିଲି ଥାନାରେ ଏତାଲା ଦେବା ପାଇଁ ପ୍ରସ୍ତୁତ ହୋଇଥିଲେ।

ମୂଳ ଏତାଲାକୁ ପ୍ରଭାବିତ କଲା କିଏ?

ପୀଡ଼ିତାଙ୍କ ମାମୁ ଓଡ଼ିଶାଲାଇଭ୍‌କୁ ଦେଇଥିବା ବୟାନ ଅନୁଯାୟୀ ୯ ତାରିଖ ଦିନ ସେମାନେ ମାଥିଲି ଥାନାରେ ଏତାଲା ଦାୟର କରିଥିଲେ। ଝିଅର ବୟାନକୁ ଭିତ୍ତି କରି ଏହି ଏତଲା ଦିଆଯାଇଥିଲା। ତେବେ ମୂଳ ଅଭିଯୁକ୍ତ ମହେନ୍ଦ୍ର କୁମାର ପାଣିଗ୍ରାହୀ ଏବଂ କୁଆଁ ଆଚାରୀ ଓରଫ୍ ଭେଙ୍କଟେଶ୍ୱର ଆଚାରୀ ପ୍ରଭାବଶାଳୀ ହୋଇଥିବାରୁ ତାଙ୍କୁ ପୋଲିସ୍ ଗିରଫ କରିନଥିଲା। ଏହି ଦୁଇ ଅଭିଯୁକ୍ତ ହାଇକୋର୍ଟ ଯାଇ ଆଗୁଆ ଜାମିନ୍ ନେଇ ଆସିବା ଫଳରେ ପରବର୍ତ୍ତୀ ସମୟରେ ମଧ୍ୟ ପୋଲିସ୍ ତାଙ୍କୁ ଗିରଫ କରିନଥିଲା।

ଓଡ଼ିଶାଲାଇଭ୍ ହାତରେ ଥିବା ଏଫ୍ଆଇଆର୍ କପି ଅନୁଯାୟୀ ଏହା ହେଉଛି ମାଥିଲି ଥାନା କେସ୍ ନଂ – ୧୦୯। ଏହି ଏତଲାରେ ୩୪୨, ୩୫୪, ୫୦୯, ୩୨୪, ୫୦୬ ଏବଂ ୩୪ ଆର୍ମସ ଆକ୍ଟ ଲାଗିଥିଲା। ତା’ ସହିତ ପୋକ୍‌ସୋ ଆକ୍ଟ ମଧ୍ୟ ଲାଗିଥିଲା। ତେବେ ଏଥିରେ ମୁଖ୍ୟ ଅଭିଯୁକ୍ତ ତଥା ସମ୍ପୃକ୍ତ କଲେଜର ଓଡ଼ିଆ ଅଧ୍ୟାପକ ଅଜୟ କୁମାର ସୂତାରଙ୍କ ନାଁ ଉଲ୍ଲେଖ ନଥିବା ଯୋଗୁଁ ପ୍ରଥମେ ଆମ ମନରେ ପ୍ରଶ୍ନ ଉଠିଥିଲା। ସେହିପରି ଏହା ଏକ ଗଣଦୁଷ୍କର୍ମ ମାମଲା ହୋଇଥିଲେ ମଧ୍ୟ ମୂଳ ଏତଲାରେ କିପରି ୩୭୬ ଦଫା ଲାଗିନାହିଁ ତାହା ନେଇ ପ୍ରଶ୍ନ ଆସିଥିଲା।

ଏ ବିଷୟରେ ଅଧିକ ତଦନ୍ତ ପରେ ଆମର ଉଦ୍‌ବୋଧ ହେଲା ଯେ ପ୍ରାଥମିକ ଅବସ୍ଥାରେ ଯେଉଁ ଏତଲା ଦିଆଯାଇଥିଲା ସେତେବେଳେ ପୀଡ଼ିତାଙ୍କ ଉପରେ ଅପରାଧୀମାନଙ୍କ ପକ୍ଷରୁ ଚାପ ରହିଥିଲା। ବିଶେଷକରି ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ଅଜୟ କୁମାର ସୂତାର ମାମଲାର ରଫାଦଫା କରିବାକୁ ଚାହୁଁଥିଲେ। ତେବେ ଯେତେବେଳେ ମାମଲା ଥାନା ପର୍ଯ୍ୟନ୍ତ ଯିବା କଥା ଉଠିଲା ଏତଲାରେ କିପରି ତାଙ୍କର ନାଆଁ ନ ରହିବ ସେଥିପାଇଁ ସେ ମୁକ୍ତାଙ୍କୁ ଫୋନ୍‌ରେ ଚାପ ଦେଇ କାହାଣୀରେ କିଛିଟା ମୋଡ ଦେବାକୁ ସକ୍ଷମ ହୋଇଥିଲେ।

ମୂଳ ଅଭିଯୁକ୍ତ ଅଜୟ ସୂତାର

ଏହି ମାମଲାକୁ ଗଭୀର ଭାବେ ଅନୁଧ୍ୟାନ କଲେ ଜଣାପଡ଼େ ଯେ ଏହି ଘଟଣା ଏକ ସିରିଜ୍‌ ଅପରାଧର ଅଂଶ। ଘଟଣା ଦିନ ଅଭିଯୁକ୍ତ ମହେନ୍ଦ୍ର କୁମାର ପାଣିଗ୍ରାହୀ ଓ କୁଆଁ ଆଚାରୀ କଲେଜର ରୋଷେଇଘର ଭିତରେ ତାଙ୍କୁ ବନ୍ଦ କରି ଅସଦାଚରଣ କରିଛନ୍ତି ବୋଲି ପ୍ରଥମ ଏତଲାରେ ଉଲ୍ଲେଖ କରାଯାଇଛି। ସେତେବେଳେ ଆଉ ଜଣେ ଯୁବକ ସେମାନଙ୍କ ସହ ସାମିଲ୍ ଥିଲେ, ଯାହାଙ୍କୁ ସମ୍ପୃକ୍ତ ଯୁବତୀ ଚିହ୍ନି ପାରିନାହାନ୍ତି। ତେବେ ଅପରାଧୀମାନେ ତାଙ୍କୁ ଉଲଗ୍ନ କରି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ପରେ ଅଧ୍ୟାପକ ଅଜୟ ସୂତାର ସେଠି ପହଞ୍ଚିଥିଲେ। ଅଜୟଙ୍କୁ ତିନି ଅଭିଯୁକ୍ତ ଜୋର୍ ଜବରଦସ୍ତ ରୁମ୍‌ ବାହାରକୁ ପଠାଇ ଦେଇଥିଲେ ବୋଲି କୁହାଯାଇଥିଲା।

ତେବେ ଏହି କାହାଣୀ ସତ ନୁହେଁ। ଅସଲରେ ଅନ୍ୟ ତିନି ଯୁବକଙ୍କ ସହ ଅଜୟ ସୂତାର ମିଶି ଘଟଣା ଦିନ କଲେଜ ପରିସର ଭିତରେ ସମ୍ପୃକ୍ତ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହି କଥା ସମ୍ପୃକ୍ତ ଯୁବତୀଙ୍କ ମାମୁ ୧୬୧ ଧାରା ଅନୁଯାୟୀ ମାଥିଲି ପୋଲିସକୁ ଦେଇଥିବା ବୟାନରୁ ଅତି ସ୍ପଷ୍ଟ।

ପୋଲିସର ଭୂମିକା ସନ୍ଦେହଜନକ

ତେବେ ଦୁର୍ଭାଗ୍ୟର କଥା ଏହିକିଯେ ପୋଲିସ ମୂଳ ଏତଲାକୁ ଆଧାରକରି ତଦନ୍ତକୁ ସୀମିତ କରିଥିବା ଭଳି ମନେହୁଏ। ସେହିପରି ପୋଲିସ ଘଟଣା ସତ୍ୟାସତ୍ୟ ଜାଣିବା ପରେ ମଧ୍ୟ ଅସଲ ଅଭିଯୁକ୍ତମାନଙ୍କୁ ଆଇନ ପରିସରଭୁକ୍ତ କରିବାକୁ ଯଥେଷ୍ଟ ଉଦ୍ୟମ କରିନଥିବାରୁ ଏହି ଘଟଣାରେ ପୋଲିସର ଭୂମିକାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।

ସମ୍ପୃକ୍ତ ଯୁବତୀଙ୍କ ମାମୁ ଅତି ସ୍ପଷ୍ଟ ଭାବରେ ତାଙ୍କ ଭାଣିଜୀର ଗଣଦୁଷ୍କର୍ମ ହୋଇଥିବା କଥା କହିଥିଲେ ମଧ୍ୟ ପୋଲିସ କୋର୍ଟକୁ ଦେଇଥିବା ଚାର୍ଜସିଟ୍‌ ବେଳେ ଏହି କଥାକୁ ନଜର ଅନ୍ଦାଜ କରିଥିବା ଭଳି ଜଣାଯାଉଛି। ତାହା ହୋଇନଥିଲେ ଚାର୍ଜସିଟ୍‌ରେ ଅଜୟ ସୂତାରଙ୍କୁ ମୁଖ୍ୟ ଦୋଷୀ ବୋଲି ଦେଖାଇବା ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ ଏତେ ନରମ ମନୋଭାବ ପ୍ରଦର୍ଶନ କରିବାର କୌଣସି କାରଣ ନାହିଁ। ସେହିପରି ଛାତ୍ରୀ ଜଣକ ଯେଉଁ ଚତୁର୍ଥ ଅପରାଧୀର କଥା ଉଠାଇଛନ୍ତି ତା’ ସମ୍ପର୍କରେ ପୋଲିସ ତଦନ୍ତ ଏପରିକି ଚାର୍ଜସିଟ୍‌ରେ ବିଶେଷ କୌଣସି ଉଲ୍ଲେଖ ନଥିବା ଦୁର୍ଭାଗ୍ୟର ବିଷୟ।

୧୨ ମାର୍ଚ୍ଚ ୨୦୧୮ରେ ମାଥିଲି ଥାନା ଆଇଆଇସି ବାମଦେବ ନନ୍ଦ କୋର୍ଟକୁ ଦେଇଥିବା ଚାର୍ଜସିଟ୍‌କୁ ଅନୁଧ୍ୟାନ କଲେ ମନେହୁଏ ଯେ ଏଭଳି ଏକ ଜଘନ୍ୟ ଅପରାଧରେ ପୋଲିସ ତଦନ୍ତ କରି ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ଯେପରି ଉଦ୍ୟମ କରିବା କଥା କରିନାହିଁ। ବରଂ ସମ୍ପୂର୍ଣ୍ଣ ତଦନ୍ତ ଏବଂ ଚାର୍ଜସିଟ୍‌ ଯେପରି କେବଳ ଏକ ତଥ୍ୟ ବା ଯାହା ଦେଖିଲି ତାହା ଲେଖିଲି ନ୍ୟାୟରେ ପ୍ରସ୍ତୁତ କରାଯାଇଛି। ପୋଲିସର ଏହି ଦୁର୍ବଳ ତଦନ୍ତ ଏବଂ ଚାର୍ଜସିଟ୍‌ ପଛରେ କାହାର ଚାପ ରହିଛି ବା କେଉଁ କାରଣ ରହିଛି ତାହା ତଦନ୍ତ ହେବା ଦରକାର।

କାହିଁକି ବୟାନ ବଦଳାଇଲେ ପୀଡ଼ିତା?

ପୋଲିସ ଦେଇଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି ଯେ ପୀଡ଼ିତା ଭିନ୍ନ ଭିନ୍ନ କଥା ବୟାନରେ କହିଛନ୍ତି। ତେବେ ଓଡ଼ିଶାଲାଇଭ୍‌ କରିଥିବା ଅନୁଧ୍ୟାନରୁ ଗୋଟିଏ କଥା ସ୍ପଷ୍ଟ ଯେ ପ୍ରାଥମିକ ଅବସ୍ଥାରେ ସମ୍ପୃକ୍ତ ଯୁବତୀ ପୋଲିସ ଆଗରେ ଯେଉଁ କଥା କହିଥିଲେ ତା’ ଭିତରେ କିଛିଟା କଥା ହୁଏତ ସତ ନଥିଲା। ଏହା ପଛରେ ଥିଲା ଅରାପଧୀମାନଙ୍କୁ ମାରଣାସ୍ତ୍ର ଏବଂ ସମାଜରେ ନିଜ ଇଜ୍ଜତ ହରାଇବାର ଭୟ।

ତେବେ ପୀଡ଼ିତା ନାବାଳିକା ହୋଇଥିବାରୁ ପରବର୍ତ୍ତୀ ସମୟରେ ତାଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଥିଲା। ଏହି କମିଟି ପୀଡ଼ିତା ଯୁବତୀଙ୍କର କେତେ ରାଉଣ୍ଡ୍ କାଉନ୍ସେଲିଙ୍ଗ୍ ପରେ ବିଧିବଦ୍ଧ ଭାବରେ ୧୬୪ ଧାରାରେ ତାଙ୍କର ବୟାନ ରେକର୍ଡ କରିଥିଲେ। ପୋଲିସ ଦେଇଥିବା ଚାର୍ଜସିଟ୍‌ରେ ଏ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି। ଯୁବତୀଙ୍କର ଏହି ବୟାନ ବିଧିବଦ୍ଧ ଭାବରେ ଅଡିଓ ଏବଂ ଭିଡିଓ ରେକର୍ଡିଂ କରାଯାଇଥିଲା।

ସିଡବ୍ଲୁସି ବା ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ସମ୍ପୃକ୍ତ ଯୁବତୀ ଆମୂଳଚୁଳ ଭାବେ ତାଙ୍କ ସହ ଘଟିଥିବା ଅପରାଧର ବର୍ଣ୍ଣନା କରିଥିଲେ। ସେତେବେଳେ ଏକ ପ୍ରମୁଖ ଓଡ଼ିଆ ସମ୍ବାଦପତ୍ରରେ ପ୍ରକାଶିତ ଏକ ରିପୋର୍ଟରେ ସିଡବ୍ଲୁସି ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନଙ୍କ ବକ୍ତବ୍ୟ ପ୍ରକାଶିତ ହୋଇଥିଲା। ଶ୍ରୀମତୀ ପ୍ରଧାନ ଅତି ସ୍ପଷ୍ଟ ଭାବରେ ଗଣମାଧ୍ୟମକୁ କହିଥିଲେ ଯେ ଝିଅ ଆଦୌ ବୟାନ ବଦଳାଉନାହିଁ। ସେ ଭୟ ଓ ଚାପରେ ଥିଲା। ଅଧ୍ୟାପକ ତା’କୁ ଅନ୍ୟମାନଙ୍କ ଉପରେ ଦୋଷ ଲଦିଦେବାକୁ କହିଥିଲେ। ତେଣୁ ପ୍ରାଥମିକ ବୟାନରେ ସେ ସେପରି କହିଥିଲା। କିନ୍ତୁ ବାସ୍ତବ ସତ୍ୟ ହେଉଛି ଯେ ସମ୍ପୃକ୍ତ ଅଧ୍ୟାପକଙ୍କ ସହ ସେହି ତିନି ଯୁବକ ମିଶି ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି।

ସିଡବ୍ଲୁସିର ଅଧ୍ୟକ୍ଷା ଆହୁରି କହିଥିଲେ ଯେ କାଉନ୍‌ସେଲିଂ ପରେ ସମ୍ପୃକ୍ତ ଯୁବତୀ ଆଉ ଭୟଭୀତ ଅବସ୍ଥାରେ ନାହିଁ। ଯାହା କହୁଛି ସମ୍ପୂର୍ଣ୍ଣ ସତ କହୁଛି। ପୋଲିସକୁ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରାଯାଇଛି। ତେବେ ଏହି ମାମଲାରେ ପୋଲିସ ଅନ୍ୟମାନଙ୍କ ବିରୋଧରେ ପ୍ରମାଣ ନାହିଁ ବୋଲି ଦର୍ଶାଉଥିବା କଥାକୁ ନାପସନ୍ଦ ମଧ୍ୟ କରିଥିଲେ। ସେ କହିଥିଲେ ଯେ ଆଇନ ଅନୁଯାୟୀ ପୀଡ଼ିତାଙ୍କ ବୟାନ ହେଉଛି ସବୁଠାରୁ ବଡ଼ ପ୍ରମାଣ। ତେଣୁ ପୋଲିସ ପ୍ରଥମେ ସେହି ପ୍ରମାଣକୁ ଆଧାର କରି ଅପରାଧ ସହ ଜଡ଼ିତ ସବୁ ଅପରାଧୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ପରାମର୍ଶ ଦେଇଥିଲେ।

ଗୁରୁ ପାଲଟିଲେ ଗୋରୁ

ପୀଡ଼ିତାଙ୍କ ମାମୁ ପୋଲିସକୁ ଦେଇଥିବା ବୟାନରେ ଅପରାଧ ରହସ୍ୟ ଖୋଲିଦେଇଥିଲେ। ସେ କହିଥିଲେ ଯେ ଅଜୟ ସୂତାର ତାଙ୍କ ଭାଣିଜୀଙ୍କୁ ନୋଟ୍‌ସ ଦେବେ ବୋଲି କହି ଘରକୁ ଡାକି ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ। ଏହାର ଭିଡିଓ କରି ଦରକାର ହେଲେ ଭାଇରାଲ୍ କରିଦେବେ ବୋଲି ଭାଣିଜୀକୁ ଡରାଇଥିଲେ। ଏବଂ ଜଘନ୍ୟ ଅପରାଧର ଘଟଣା ଏହିକିଯେ ଅଧ୍ୟାପକ ଅଜୟ ସୂତାର ତାଙ୍କ ନିଜ ଛାତ୍ରୀଙ୍କୁ ଥରେ ନୁହେଁ ବାରମ୍ବାର ଏଭଳି ଫସାଇ ଦୁଷ୍କର୍ମ କରିଚାଲିଥିଲେ।

ପରବର୍ତ୍ତୀ ସମୟରେ ଏହି ଅପରାଧରେ ଯୋଡ଼ି ହୋଇଥିଲେ ସ୍ଥାନୀୟ ସାମ୍ବାଦିକ ମହେନ୍ଦ୍ର ପାଣିଗ୍ରାହୀ। ଯୁବତୀଙ୍କ ମାମୁଙ୍କ ବୟାନ ଅନୁଯାୟୀ ଅଧ୍ୟାପକ ସୂତାର ମହେନ୍ଦ୍ର ପାଣିଗ୍ରାହୀଙ୍କ ମୋବାଇଲ୍‌କୁ ଏହି ଭିଡିଓ ପଠାଇଥିଲେ। ଏହି ଅପରାଧ ବାରମ୍ବାର ଘଟିଚାଲିବା ଫଳରେ ପରବର୍ତ୍ତୀ ସମୟରେ ଏହି ଚକ୍ରରେ ମହେନ୍ଦ୍ର ସହିତ କୁଆଁ ଆଚାରୀ ଏବଂ ଆଉ ଜଣେ ଯୁବକ ସାମିଲ୍ ହୋଇଥିଲେ। ଯେଉଁମାନେ କି ନଭେମ୍ବର ୭ ତାରିଖ ୨୦୧୭ ଦିନ ଏକାଠି ହୋଇ ସମ୍ପୃକ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ।

ଏହି ଅପରାଧରେ ଚାରି ଜଣ ବ୍ୟକ୍ତି ସାମିଲ୍ ଥିବା ବେଳେ ପୋଲିସ କାହିଁକି କେବଳ ଜଣକ ଉପରେ ଫୋକସ୍ କଲା ତାହା ସବୁଠାରୁ ବଡ଼ ପ୍ରଶ୍ନ। ମାଥିଲି ପୋଲିସ କାହିଁକି ମହେନ୍ଦ୍ର ପାଣିଗ୍ରାହୀ ଏବଂ କୁଆଁ ଆଚାରୀଙ୍କ କ୍ଷେତ୍ରରେ ତଦନ୍ତ ଦିଗକୁ ଦୁର୍ବଳ କରିଦେଲା? ସେହିପରି ଯେଉଁ ଚତୁର୍ଥ ଅଭିଯୁକ୍ତ ଏହି ଗଣଦୁଷ୍କର୍ମର ଭାଗିଦାର ସେ କିଏ ଏବଂ ତାଙ୍କୁ କାହିଁକି ମାଥିଲି ପୋଲିସ ଖୋଜିବା ପାଇଁ ଉଦ୍ୟମ କଲା ନାହିଁ? ମହେନ୍ଦ୍ର ପାଣିଗ୍ରାହୀ, କୁଆଁ ଆଚାରୀ ଏବଂ ସେହି ଚତୁର୍ଥ ଅପରାଧୀଙ୍କର କୌଣସି ରାଜନୈତିକ ଗଡ୍‌ଫାଦର ଅଛନ୍ତି କି ଯାହାଙ୍କ ଚାପ ପାଇଁ ଏପର୍ଯ୍ୟନ୍ତ ଜଣେ ନିରିହ ନାବାଳିକାଙ୍କୁ ନ୍ୟାୟ ମିଳିପାରିଲା ନାହିଁ। ଆଜି ଏହିସବୁ ପ୍ରଶ୍ନର ଉତ୍ତର ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ଖୋଜିବା ଦରକାର।

ଆଶ୍ଚର୍ଯ୍ୟର କଥା ହେଉଛି ଯେ ପୀଡ଼ିତାଙ୍କ ନିଜ ମାମୁ ଘଟଣା ସମ୍ପର୍କରେ ଏତେ ସ୍ପଷ୍ଟ ଭାବରେ ଅଭିଯୋଗ ଆଣିବା ପରେ, ସମ୍ପୃକ୍ତ ପୀଡ଼ିତା ଜିଲ୍ଲା ଶିଶୁ ମଙ୍ଗଳ ବୋର୍ଡ ନିକଟରେ ସତର ଖୁଲାସା କରିବା ପରେ ଏବଂ ଭାରତୀୟ ଦଣ୍ଡବିଧି ଆଇନର ୧୬୪ ଧାରାରେ ରେକର୍ଡ ହୋଇଥିବା ପୀଡ଼ିତାଙ୍କ ବୟାନରେ ସତ ଜଳ ଜଳ ହୋଇ ଦିଶୁଥିବା ବେଳେ ପୋଲିସ କିପରି ଏହିସବୁ ଦିଗ ପ୍ରତି ଆଖି ବନ୍ଦ କଲା।

ହାଇକୋର୍ଟରେ ନ୍ୟାୟ ପାଇଁ ଗୁହାରୀ

୨୦୧୭ ନଭେମ୍ବର ୭ ତାରିଖରେ ଖୋଦ୍ ଶିକ୍ଷାନୁଷ୍ଠାନ ପରିସର ଭିତରେ ଏବଂ ଶିକ୍ଷାନୁଷ୍ଠାନର ଜଣେ ଅଧ୍ୟାପକ ଓ ଅନ୍ୟ ତିନି ଅପରାଧୀ ଘଟାଇଥିବା ଗଣଦୁଷ୍କର୍ମ ଭଳି ଏକ ସାଂଘାତିକ ଅପରାଧରେ ଏ ପର୍ଯ୍ୟନ୍ତ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରିନାହିଁ। ଏହି ବିଷୟ ଉଠାଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଓଡ଼ିଶା ହାଇକୋର୍ଟଙ୍କ ନିକଟରେ ଏକ ଆବେଦନ ରୁଜୁ କରାଯାଇଥିଲା।

ମୁଖ୍ୟ ବିଚାରପତି କେଏସ୍ ଝାବେରୀ ଏବଂ ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତିଙ୍କ ଅଦାଲତରେ ୧୩ ଅଗଷ୍ଟ ୨୦୧୮ରେ ଏହି ମାମଲା ଉଠିଥିଲା। ରିଟ୍ ପିଟିସନ୍ ନମ୍ବର ୨୫୯୯୩ ଏବଂ ଏହି ମାମଲାରେ ସରକାରଙ୍କ ପକ୍ଷରୁ ଆଇନଜୀବୀ ବିକେ ରଗଡ଼ା ଲଢ଼ୁଥିଲେ। ଘଟଣାର ଗମ୍ଭୀରତାକୁ ବିଚାର କରି ହାଇକୋର୍ଟ କହିଥିଲେ ଯେ ଯେହେତୁ ଏହି ମାମଲାରେ ଚାର୍ଜସିଟ୍ ଫାଇଲ୍ ହୋଇଛି ତେଣୁ କେସ୍‌ର ବିଚାର ପ୍ରକ୍ରିୟା ଚାଲିବ। ତେବେ ଆବେଦନ କରି ଚାହିଁଲେ ଭାରତୀୟ ଦଣ୍ଡବିଧି ଆଇନର ୧୭୩ (୮) ଧାରା ଅନୁଯାୟୀ ମାମଲାର ସାନି ସମ୍ପୂର୍ଣ୍ଣ ତଦନ୍ତ ପାଇଁ ଆବେଦନ କରିପାରିବେ।

ସେହିପରି ଆବେଦନକାରୀ ଉଚିତ ମନେ କଲେ ଅଭିଯୁକ୍ତମାନଙ୍କର ଜାମିନ୍‌ ନମିଳିବା ଲାଗି ମଧ୍ୟ ଅନୁରୋଧ କରିପାରିବେ। କେବଳ ସେତିକି ନୁହେଁ ଯଦି ଏହି ମାମଲାରେ ଅଭିଯୁକ୍ତମାନଙ୍କ ପକ୍ଷରୁ କୌଣସି ଭୟର ଆଶଙ୍କା ଥାଏ ତେବେ ଆବେଦନକାରୀ ଅନୁରୋଧ କଲେ ତାଙ୍କ ପରିବାରକୁ ସରକାର ସୁରକ୍ଷା ଯୋଗାଇଦେବେ।

କିନ୍ତୁ ସମ୍ପୃକ୍ତ ଯୁବତୀଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ଏହି ରାୟର ପରବର୍ତ୍ତୀ ସମୟରେ କୋର୍ଟରେ ପୁଣି ଆବେଦନ କରି ସମ୍ପୂର୍ଣ୍ଣ ଘଟଣାର ସାନି ତଦନ୍ତ କରିବା କ୍ଷେତ୍ରରେ ଚାପ ଦେବାକୁ ସକ୍ଷମ ହୋଇନାହାନ୍ତି। ଅନ୍ୟପକ୍ଷରେ ପୋଲିସ ଫାଇଲ୍ କରିଥିବା ଚାର୍ଜସିଟ୍ ଅନୁଯାୟୀ ଜିଲ୍ଲା ଏଡିଜେ କୋର୍ଟରେ ମାମଲା ପଡ଼ିରହିଛି। ପୀଡ଼ିତାଙ୍କ ମାମୁ ଦେଇଥିବା ସୂଚନା ଅନୁଯାୟୀ ଏ ପର୍ଯ୍ୟନ୍ତ ମାମଲାର ଶୁଣାଣି କ୍ଷେତ୍ରରେ ବିଶେଷ ଅଗ୍ରଗତି ହୋଇପାରିନାହିଁ।

ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ପୀଡ଼ିତା

ଯେତେବେଳେ ଆଇନ ଜଣେ ପୀଡ଼ିତାକୁ ଠିକଣା ସମୟରେ ନ୍ୟାୟ ଦେଇପାରିନାହିଁ, ଯେତେବେଳେ ଜଣେ ଯୁବତୀର ସ୍ୱପ୍ନ ଭାଙ୍ଗିଯାଏ ଏବଂ ଯେତେବେଳେ ଗଣଦୁଷ୍କର୍ମ ଭଳି ଅପରାଧର ଶିକାର ହୋଇଥିବା ଜଣେ ଯୁବତୀଙ୍କ ଆଖି ଆଗରେ ସେହି ଜଘନ୍ୟ ଘଟଣା ବାରମ୍ବାର ଦିଶିଯାଏ ସେତେବେଳେ ହୁଏତ ସେ ଜୀବନ ହରାଇବା ଛଡ଼ା ଆଉ କୌଣସି ରାସ୍ତା ଦେଖିପାରନ୍ତି ନାହିଁ। ମୁକ୍ତାଙ୍କ କ୍ଷେତ୍ରରେ ଠିକ୍ ତାହାହିଁ ଘଟିଲା।

ଗୋବିନ୍ଦପାଲ୍ଲୀ କଲେଜରେ +୨ ସାଇନ୍‌ସ ଦ୍ୱିତୀୟ ବର୍ଷ ପଢ଼ୁଥିବା ବେଳେ ମୁକ୍ତାଙ୍କ ସହ ଘଟିଥିଲା ଏହି ଲୋମଟାଙ୍କୁରା ଘଟଣା। ପରିସ୍ଥିତି ଚାପରେ ପଡ଼ି ତାଙ୍କ ମାମୁ ତାଙ୍କୁ ଶେଷରେ ଭୁବନେଶ୍ୱର ପଠାଇଥିଲେ। ରାଜଧାନୀରେ ଏକ ଲେଡିଜ୍ ହଷ୍ଟେଲ୍‌ରେ ରହି ମୁକ୍ତା  ଆଡ୍‌ଭାନ୍ସଡ ଆଇଏଏସ୍ କୋଚିଂ ନେଉଥିଲେ। ଚଳିତବର୍ଷ +୩ରେ ନାମ ଲେଖାଇବାର ଯୋଜନା ଥିଲା।

ତେବେ ଗତ ୧୩ ତାରିଖ ଦିନ ମୁକ୍ତା ତାଙ୍କ ମାଉସୀଙ୍କ ଘରକୁ ଆସିଥିବା ବେଳେ ଗାଧୁଆ ଘରେ ବେକରେ ନିଜ ଚୁନି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ୧୩ ତାରିଖରୁ ଆଜି ପର୍ଯ୍ୟନ୍ତ ସେ ଏମ୍‌ସର ଆଇସିୟୁରେ ଅଛନ୍ତି। ଓଡ଼ିଶାଲାଇଭ୍‌ ପାଖରେ ଥିବା ସୂଚନା ଅନୁଯାୟୀ ମୁକ୍ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି।

ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ସତରେ ନ୍ୟାୟ ମିଳିବ?

ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ କେତୋଟି ଚର୍ଚ୍ଚିତ ଦୁଷ୍କର୍ମ ଘଟଣାରେ ପୀଡ଼ିତାମାନେ ଆଖି ବୁଝିଛନ୍ତି। କୁନ୍ଦୁଲି ପୀଡ଼ିତା ହେଉ କିମ୍ବା ପିପିଲି ଅଞ୍ଚଳର ବେବିନା, ଉଭୟ ଘଟଣା ଏବେବି ରହସ୍ୟ ହୋଇରହିଛି। ଏପରିକି କ୍ରାଇମବ୍ରାଞ୍ଚ ଉଭୟ ଘଟଣାରେ ଅପରାଧ ଉପରୁ ପରଦା ହଟାଇପାରିନାହିଁ। ସବୁଠାରୁ ଦୁର୍ଭାଗ୍ୟର କଥା ହେଉଛି ଯେ ଉଭୟ ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ବଦଳରେ ମିଳିଛି ମରଣ। ଅର୍ଥାତ୍‌ ଅପରାଧୀ ସମାଜରେ ଆରାମରେ ବୁଲୁଥିବା ବେଳେ ଏଭଳି ଜଘନ୍ୟ ଅପରାଧର ଶିକାର ହୋଇଥିବା ଯୁବତୀମାନେ ଆଖିବୁଜିଦେଇଛନ୍ତି।

ମାଲକାନଗିରି ମାଥିଲି ଥାନା ଅଧିନରେ ଥିବା ଗୋବିନ୍ଦପାଲ୍ଲୀର ପୀଡ଼ିତା ଆଜି ଆମ ସାମ୍ନାରେ ଏକ ନୂଆ ପ୍ରଶ୍ନ ଠିଆ କରିଛନ୍ତି। ତାହା ହେଉଛି ଏହି ଘଟଣାରେ ଓଡ଼ିଶା ତାଙ୍କୁ ନ୍ୟାୟ ଦେଇପାରିବ ତ? କାରଣ ନ୍ୟାୟିକ ବ୍ୟବସ୍ଥା ମଧ୍ୟରେ ସବୁଠାରୁ ବଡ଼ ଭୂମିକା ଯେଉଁ ପୋଲିସର ସେହିଠି ହିଁ ରହିଛି ସବୁଠୁ ବଡ଼ ସମସ୍ୟା। ମୂଳ ତଦନ୍ତରେ ଦୁର୍ବଳତା ଏବଂ ଅପରାଧୀଙ୍କ ପ୍ରତି କୌଣସି କାରଣରୁ ପୋଲିସର ନୀରବତା ପୀଡ଼ିତାଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ସବୁଠାରୁ ବଡ଼ ପ୍ରତିବନ୍ଧକ ହୋଇଛି।

ଗୋବିନ୍ଦପାଲ୍ଲୀ ଗଣଦୁଷ୍କର୍ମ ମାମଲାକୁ ଦୁର୍ବଳ କଲା କିଏ?

ସମ୍ପୃକ୍ତ ଯୁବତୀଙ୍କ ସହ ଯେଉଁ ଘଟଣା ଘଟିଛି ତାହା ଯଦି ଆମୂଳଚୁଳ ସତ୍ୟ ହୋଇଥାଏ ତେବେ ମାମଲା ଏଭଳି ଦୁର୍ବଳ ହେବା ଦୁର୍ଭାଗ୍ୟଜନକ। ପୋଲିସର ତଦନ୍ତ ଢିଲା ହେବା ଗୋଟିଏ କଥା। ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହି ମାମଲାରେ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଯୁବତୀଙ୍କ ପରିବାର ପକ୍ଷରୁ ମହିଳା କମିଶନ, ମାନବିକ ଅଧିକାର କମିଶନ, ରାଜ୍ୟ ଓ କେନ୍ଦ୍ର ଗୃହ ବିଭାଗ ଏପରିକି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିବେଦନ କରାଯାଇଥିବା ଜଣାପଡ଼ିଛି। ତେବେ ଏସବୁ ପଦକ୍ଷେପ ସତ୍ତ୍ୱେ ମାମଲା ଯେଭଳି ଧୀର ଗତିରେ ଯିବା କଥା ଚାଲିଛି।

ଏଭଳି ଏକ ଜଘନ୍ୟ ଅପରାଧ ଘଟଣାରେ ଅପରାଧୀମାନଙ୍କୁ ଆଇନ ପରିସରଭୁକ୍ତ କରାଯିବା ଦରକାର। ସେହିପରି ପୀଡ଼ିତାଙ୍କୁ ଆଶୁ ନ୍ୟାୟ ମିଳିବା ଆବଶ୍ୟକ। ସବୁଠାରୁ ବଡ଼ କଥା ହେଉଛି ପୀଡ଼ିତା ଏବଂ ତାଙ୍କ ପରିବାର ମଧ୍ୟ ଆଶ୍ୱସ୍ତ ଏବଂ ନିଶ୍ଚିତ ହେବା ଦରକାର ଯେ ଆଇନ ଠିକ୍‌ ବାଟରେ କାମ କରୁଛି। ନ ହେଲେ କୁନ୍ଦୁଲି ପୀଡ଼ିତା, ବେବିନା ବା ଇତିଶ୍ରୀଙ୍କ ଭଳି ଗୋବିନ୍ଦପାଲ୍ଲୀ ଘଟଣାକୁ ଆଉ ଏକ ଅପରାଧିକ ଘଟଣା ଭାବରେ ଅସମାହିତ ରହିବ, ଏଥିରେ ସନ୍ଦେହ ନାହିଁ।

Comment