ଓଡ଼ିଶାଲାଇଭ୍ ବ୍ୟୁରୋ

  • ଏମ୍‌ବିସି ୩୬ ଲକ୍ଷ,  କନକ ନ୍ୟୁଜ ୧ ଲକ୍ଷ ୨୫ ହଜାର
  • ଓଟିଭି ଛଡ଼ା ପ୍ରାର୍ଥନା ଚ୍ୟାନେଲ ମଧ୍ୟ କଲା ଅଲଗା ଆବେଦନ
  • ଓଡ଼ିଶା ବାହାରୁ ଭାଗ ନେଲା ସାଧନା ଟିଭି
  • ମଙ୍ଗଳବାର ଚୂଡ଼ାନ୍ତ ନିଷ୍ପତ୍ତି, ସମସ୍ତଙ୍କ ନଜର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଟେଲିକାଷ୍ଟ ରାଇଟ୍ସକୁ ନେଇ ଝଡ଼ ସମ୍ଭାବନା

ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ସିଧାପ୍ରସାରଣ ପାଇଁ ଟେଲିକାଷ୍ଟ ରାଇଟ୍ସକୁ ନେଇ ବିତର୍କ ଚାଲିଥିବା ବେଳେ ଆଜି ରାଜ୍ୟ ତଥା ବାହାରର ୭ଟି ଟିଭି ମିଡିଆ ଟେଣ୍ଡର ପକାଇଛନ୍ତି। ସେମାନଙ୍କ ମଧ୍ୟରେ ସର୍ବାଧିକ ୫୪ ଲକ୍ଷ ଟଙ୍କା କୋଟ୍ କରି ଓଟିଭି ସବୁଠାରୁ ଉପରେ ରହିଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଡକାଯାଇଥିବା ଟେଣ୍ଡର ପାଇଁ ଆଜି (ସୋମବାର) ଅପରାହ୍ଣ ୪ଟା୩୦ ଯାଏଁ ସମୟ ଧାର୍ଯ୍ୟ କରାଯାଇଥିଲା। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓଟିଭି ସର୍ବାଧିକ ୫୪ ଲକ୍ଷ ଟଙ୍କା କୋଟ୍ କରି ଅନ୍ୟ ମିଡିଆମାନଙ୍କ ନିଦ ହଜାଇ ଦେଇଛି।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଜଗି ପଣ୍ଡାଙ୍କ ମାଲିକାନାରେ ଥିବା ଓଡ଼ିଶା ଟେଲିଭିଜନ କମ୍ପାନି ପକ୍ଷରୁ ଦୁଇଟି ଅଲଗା ଅଲଗା ଆବେଦନ ପକା ଯାଇଛି। ଓଟିଭି ଛଡ଼ା ପ୍ରାର୍ଥନା ଚ୍ୟାନେଲ ପାଇଁ ମଧ୍ୟ କମ୍ପାନି ଟେଣ୍ଡର ପକାଇଛି। ପ୍ରାର୍ଥନା ପକ୍ଷରୁ ୧୦ ଲକ୍ଷ ଟଙ୍କା କୋଟ୍ କରାଯାଇଛି।

ଏହି ଚର୍ଚ୍ଚିତ ଟେଣ୍ଡର ହାସଲ କରିବା ଓଟିଭି ପାଇଁ ଏକ ସମ୍ମାନର ପ୍ରଶ୍ନ ବୋଲି ବିଚାର କରାଯାଉଥିଲା। ଏହି ଦୃଷ୍ଟିରୁ କମ୍ପାନି ଅନ୍ୟମାନଙ୍କ ମଧ୍ୟରେ ସର୍ବାଧିକ ଟଙ୍କା ନିଲାମ ଡାକିଥିବା ଅନୁମାନ କରାଯାଉଛି।

ଏହି ପ୍ରତିଯୋଗିତାରେ ଏମ୍‌ବିସି ଦ୍ୱିତୀୟ ସ୍ଥାନରେ ରହିଛି। ଚ୍ୟାନେଲ ପକ୍ଷରୁ ରଥଯାତ୍ରା ଟେଲିକାଷ୍ଟ ରାଇଟ୍ସ ପାଇଁ ୩୬ ଲକ୍ଷ ଟଙ୍କା କମ୍ପାନି ଶ୍ରୀମନ୍ଦିର ପ୍ରଶାସନକୁ ଦେବାକୁ ପ୍ରସ୍ତୁତ ଅଛି।

ଓଟିଭି, ଏମ୍‌ବିସି ପରେ ତୃତୀୟ ସ୍ଥାନରେ ରହିଛି ନ୍ୟୁଜ୍-୧୮ ଓଡ଼ିଆ। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ମାଲିକାନାରେ ଥିବା ୧୫ ଲକ୍ଷ ଟଙ୍କା କୋଟ୍ କରିଛି।

ବିଜେଡିର ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମାଲିକାନାରେ ଥିବା କନକ ନ୍ୟୁଜ ଏହି ଟେଣ୍ଡରରେ ଭାଗ ନେଇଛି। କନକ ସର୍ବନିମ୍ନ ୧ ଲକ୍ଷ ୨୫ ହଜାର ଟଙ୍କା କୋଟ୍ କରିଛି।

ଅନ୍ୟମାନଙ୍କ ମଧ୍ୟରେ ବିଜେଡିର କନ୍ଧମାଳ ସାଂସଦ ଡକ୍ଟର ଅଚୁତ ସାମନ୍ତଙ୍କ କଳିଙ୍ଗ ଟିଭି ୧୦ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ ଅଛି।

ଏହି ଟେଣ୍ଡରରେ ଭାଗ ନେଇଥିବା ମୋଟ ୭ଟି କମ୍ପାନି ମଧ୍ୟରୁ ଓଡ଼ିଶା ବାହାରୁ ରହିଛି ସାଧନା ଟିଭି। ଏହି ଚ୍ୟାନେଲ ୪, ୪୪, ୪୪୪.୪୪ ଟଙ୍କା କୋଟ୍ କରି ରଥଯାତ୍ରା ରାଇଟ୍ସ ପ୍ରତିଯୋଗିତାକୁ ଏକ ରୋଚକ ମୋଡ଼ ଦେଇଛି।

ଦୀର୍ଘ ବର୍ଷ ଧରି ଓଡ଼ିଶା ତଥା ବାହାରର ବିଭିନ୍ନ ଟିଭି ଚ୍ୟାନେଲ ରଥଯାତ୍ରାର ସିଧାପ୍ରସାରଣ କରି ଦେଶ ବିଦେଶର ଦର୍ଶକଙ୍କ ପାଖରେ ଶ୍ରୀଜଗନ୍ନାଥ ସଂସ୍କୃତି ପହଞ୍ଚାଇ ଆସୁଛନ୍ତି।

ତେଣୁ ମିଡିଆରେ ଏହି ପ୍ରସାରଣ ଉପରେ ଅଙ୍କୁଶ ଲଗାଇବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁ ଉଦ୍ୟମ କରାଯାଇଛି ତାକୁ ଗଣମାଧ୍ୟମ ଏବଂ ସାଧାରଣରେ ତୀବ୍ର ସମାଲୋଚନା କରାଯାଉଛି। କିନ୍ତୁ ପ୍ରତିଯୋଗିତାରେ ଭାଗ ନନେଲେ ଅଡୁଆ ବୋଲି ମନେକରି ବିଭିନ୍ନ ଟିଭି ଚ୍ୟାନେଲ ପକ୍ଷରୁ ଟେଣ୍ଡର ପାଇଁ ଆବେଦନ କରାଯାଇଥିବା ଜଣାପଡ଼ିଛି।

ଆଜି ଟେଣ୍ଡର ଖୋଲାଯାଇଥିବା ବେଳେ କେଉଁ ମିଡିଆକୁ ଲାଇଭ୍ ଟେଲିକାଷ୍ଟ ପାଇଁ ମଞ୍ଜୁରୀ ମିଳିବ ତାହା ମଙ୍ଗଳବାର ଘୋଷଣା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ମାମଲାରେ ସରକାରୀ କଳ ଏବଂ ବାହାରେ ଚାପ ବଢୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଟେଣ୍ଡର ବେଳେ ସର୍ବାଧିକ ୫୪ ଲକ୍ଷ ଟଙ୍କା କୋଟ୍ କରିଥିବା ଓଟିଭିକୁ ଟେଲିକାଷ୍ଟ ରାଇଟ୍ସ ଦେବ କି ଟେଣ୍ଡର ପ୍ରକ୍ରିୟାକୁ ବାତିଲ କରିବ ତା’ ଉପରେ ସମସ୍ତଙ୍କ ନଜର।

ମଙ୍ଗଳବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସୁଥିବାରୁ ସେଥିରେ ଟେଲିକାଷ୍ଟ ରାଇଟ୍ସ ପ୍ରସଙ୍ଗକୁ ନେଇ ଝଡ଼ ବହିବା ଏବେଠାରୁ ଦିଶିଲାଣି। ତେଣୁ ଏହି ବୈଠକ ପରେ ହିଁ ଟେଣ୍ଡରର ଭାଗ୍ୟ ନିର୍ଦ୍ଧାରଣ ହେବ।

Comment