ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ ମହାସମର ବିଶ୍ୱକପ୍ ୨୦୧୯ରେ ଟିମ୍‌ ଇଣ୍ଡିଆ ଦମ୍‌ଦାର ଫର୍ମରେ ଅଛି। ଦକ୍ଷିଣ ଆଫ୍ରିକା ଏବଂ ଶକ୍ତଶାଳୀ ଅଷ୍ଟ୍ରେଲିଆକୁ ହରାଇବା ଚଳିତ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ପଲା ଭାରି ଜଣାପଡ଼ୁଛି। ତେବେ ଜୁନ୍‌ ୧୩ରେ ଭାରତ ଭେଟିବାକୁ ଯାଉଛି ଅନ୍ୟ ଏକ ଶକ୍ତିଶାଳୀ ଟିମ୍‌ ନ୍ୟୁଜିଲାଣ୍ଡକୁ। ହେଲେ ଏବେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁଥିବା ଏହି ମ୍ୟାଚ୍‌ ବାତିଲ ହୋଇପାରେ ବୋଲି ଶୁଣିବାକୁ ମିଳୁଛି।

ଆସନ୍ତା ଗୁରୁବାର ନଟିଂହାମ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ। ତେବେ ଗତ ଦୁଇ ଦିନ ହେବ ଲଣ୍ଡନରେ ବର୍ଷା ଲାଗି ରହିଛି। ସ୍ଥାନୀୟ ପାଣିପାଗ ବିଭାଗ ଅନୁଯାୟୀ, ଗୁରୁବାର ମଧ୍ୟ ନଟିଂହାମରେ ଲଗାଣ ବର୍ଷା ହୋଇପାରେ। ଏଭଳି ସ୍ଥିତିରେ ଭାରତ-ନ୍ୟୁଜିଲାଣ୍ଡ ବାତିଲ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ବର୍ଷା ପାଇଁ ଚଳିତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍‌ ବାତିଲ ହୋଇସାରିଛି। ପାକିସ୍ତାନ ଓ ଶ୍ରୀଲଙ୍କ ମ୍ୟାଚ୍‌ ଏବଂ ସୋମବାର ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ବର୍ଷା ହେବାରୁ ବାତିଲ ହୋଇଛି। ଏଣେ ଆଜି ବାଂଲାଦେଶ ଓ ଶ୍ରୀଲଙ୍କା ମ୍ୟାଚ୍‌ ମଧ୍ୟ ଆରମ୍ଭ ହୋଇପାରିନାହିଁ। ଏହାକୁ ଦୃଷ୍ଟିରେ ରଖିଲେ ଗୁରୁବାର ଯଦି ନଟିଂହାମ୍‌ରେ ବର୍ଷା ହୁଏ ତେବେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ବାତିଲ ହେବା ସାର।

Comment