ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତୁ ଜାଣିବା ଲୋକପ୍ରିୟ ଲେଖିକା ପ୍ରବୀଣା ମହାନ୍ତିଙ୍କ କିଶୋରୀ ଜୀବନର ରଜ–କଥା।

‘‘ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରକୁ ଆନନ୍ଦର ମଧୁର ତରଙ୍ଗରେ ଅଭିସିକ୍ତ କରିଆସିଥାଏ ରଜ ପର୍ବ। ପିଲାଦିନେ କେତେ ଆଗ୍ରହରେ ଅପେକ୍ଷା କରୁଥିଲୁ ଏହି ତିନିଦିନିଆ ଧୁମ ମଜା ପାଇଁ।’’

ହଁ, ଆମ ପିଲାଦିନେ ରଜର ଅର୍ଥ ଆମେ ବୁଝୁଥିଲୁ ହସଖୁସି ଆନନ୍ଦର ଏକ ବିସ୍ତୃତ ଆସର। ‘ରଜ’ମାନେ ଝିଅମାନଙ୍କର ଘରକାମରୁ ଛୁଟି। ତିନି ଦିନ କାଳ ସାଙ୍ଗମାନଙ୍କ ମେଳରେ ମଜା ହିଁ ମଜା।

ପହିଲି ରଜର ପୂର୍ବଦିନ କେତେ ନା କେତେ କାମ। ରଜ ପାଇଁ ପ୍ରସ୍ତୁତି, ରଜ ସଜବାଜ, ପିଠଉ ବଟା, ମସଲା ଗୁଣ୍ଡ କରିବା, ଚୁନା କୁଟିବା, ଗୁଆ ଭାଙ୍ଗିବା, ପାନ ଚିରି ରଖିବା, ଦୋଳି ବାନ୍ଧିବା – ଏସବୁ କାମ ତ ପ୍ରାୟ ବଡ଼ମାନେ କରନ୍ତି। ଆମେ ଝିଅମାନେ ବୋଉ, ଖୁଡ଼ୀ, ମାଈଁ ବା ଭାଉଜମାନଙ୍କୁ ସାହାଯ୍ୟ କରିବା ଆଳରେ ରାତି ଅନିଦ୍ରା ହେଉ, ସେତେବେଳେ ଗ୍ରାଇଣ୍ଡର ନଥିଲା। ହେମଦସ୍ତାରେ ଚୂନା କୁଟାଯାଏ, ପୋଡ଼ପିଠା ଓ ଆରିସା ପିଠା ପାଇଁ। ଶିଳରେ ବଟାଯାଏ ବିରି, ଚାଉଳ, ଚକୁଳି, ବୁଢ଼ା ଚକୁଳି ଓ ଛୁଞ୍ଚି ପତ୍ରର ପିଠା ପାଇଁ। ଗଦାଏ ଲେଖାଏଁ ନଡ଼ିଆ କୋରଣାରେ କୋରା ହୋଇ ପୁର ତିଆରି କରାଯାଏ। ଲୁହା କଡ଼େଇକୁ କାଠ ଚୁଲିରେ ବସେଇ ପୋଡ଼ପିଠା ସଜାଡ଼େ ବୋଉ।

ସ୍ପେସାଲ୍ ପୋଡ଼ପିଠା ବୋଉର। ଚାଉଳ ଚୁନାକୁ ଜନ୍ତୁଣି କରି ସେଥିରେ ଗୁଡ଼, ନଡ଼ିଆ ଖଣ୍ଡ, ପାନ ମଧୁରୀ ଇତ୍ୟାଦି ପକାଇ କଦଳୀ ପତ୍ର ବା ଶାଳ ପତ୍ରରେ ରଖି ତଳେ ଉପରେ ନିଆଁ ଦେଇ ପିଠା ବନାଏ। ପୋଡ଼ପିଠା ନହେଲେ ଆଉ କି ରଜ। ମାଈଁ, ଖୁଡ଼ୀ ଅଥବା ମାଉସୀଙ୍କ ସହିତ ମିଶି ଆମେ ମଧ୍ୟ ମଣ୍ଡା, କାକରା ପିଠା ଗଢ଼ୁ। ରାତି ପାହିଲା ବେଳକୁ ପାଛିଆ ପାଛିଆ ପିଠା ପ୍ରସ୍ତୁତ ହୋଇ ମହମହ ବାସୁଥାଏ।

ରାତି ପାହିବା ପୂର୍ବରୁ ପାହାଁନ୍ତାରୁ ଉଠି ମେଥି, ହଳଦି, ଲଗାଇ ମୁଣ୍ଡ ଧୋଇ ଗାଧୋଇବାକୁ ହୁଏ। ବଟା ହଳଦି ସହିତ ମେଥି ବଟାର ବାସ୍ନା ରଜ ପର୍ବର ସ୍ୱତନ୍ତ୍ରତା। ଗାଧୋଇ ସାରିବା ପରେ ବୋଉ ଆମ ମୁହଁରେ ପାଉଡର ଲଗାଇ ଆଖିରେ କଜଳ ପିନ୍ଧାଇ, କପାଳରେ ଟିପି ଚନ୍ଦନ, କୁଙ୍କୁମ ସଜ କରିଦିଏ। ପାଦରେ କମକୁଟ କରି ଅଳତା ଲଗାଇଦିଏ। ତିନି ଦିନ ରଜ ପାଇଁ ସୁବିଧା ହେଲେ ତିନିଟି ଲେଖାଏଁ ନୂଆ ଡ୍ରେସ୍ ଆମର କିଣା ହୋଇଥାଏ। ନହେଲେ ବି କେବଳ ପହଲି ରଜରେ ନୂଆ ଡ୍ରେସ୍ ପିନ୍ଧୁ। ଅନ୍ୟ ଦୁଇ ଦିନ ପୁରୁଣା ଭଲ ଡ୍ରେସ୍ ସହିତ ନୂଆ ରିବନ, ନୂଆ ସେମିଜ, ନୂଆ ପ୍ୟାଣ୍ଟ ଥିଲେ ଚଳିଯାଏ।

ସେତେବେଳେ ଆଖପାଖରେ ଏତେ ଦୋକାନ, ବଜାର, ମଲ୍ ଇତ୍ୟାଦି ନଥିଲା କି ଟେଲିଭିଜନ ଖବରକାଗଜରେ ଆଖି ଝଲସା ବିଜ୍ଞାପନ ନଥିଲା ଭଳିକି ଭଳି ପୋଷାକର। ଅଳ୍ପରେ ସନ୍ତୁଷ୍ଟ ହୋଇପାରିବାର ବାତାବରଣ ଥିଲା। ନୂଆ ଜାମା ପିନ୍ଧି ସାରିବା ପରେ ବୋଉ ତା’ର ଝିଅମାନଙ୍କୁ ଅଳଙ୍କାର ପିନ୍ଧାଇ ଦିଏ। କାନରେ ରିଙ୍ଗ, ବେକରେ ସୁନା ଚେନ, ହାତରେ ଚୁଡ଼ି, ପାଦରେ ପାଉଁଜି। ଆଇନାରେ ନିଜର ସଜବାଜ ଦେଖି ନିଜକୁ ରାଜକନ୍ୟା ଭଳି ମନେହୁଏ। ଓଦା କେଶ ଶୁଖିଗଲେ ବେଣି ପକାଇ ସେଥିରେ ମଲ୍ଲିମାଳ ନ ହେଲେ ବଉଳମାଳ ଆମେ ଲଗାଉ। ପୂର୍ବଦିନରୁ ଫୁଲମାଳ ଗୁନ୍ଥି ରଖିଥାଉ।

ସଜେଇ ହୋଇସାରିବା ପରେ ବୋଉ ସଜାଡ଼ି ଦେଇଥିବା ପିଠାଥାଳି ଧରି ପଡୋଶୀମାନଙ୍କ ଘରକୁ ଯିବାକୁ ହୁଏ। ଯାହା ଘରକୁ ଯାଉ ସବୁଠି କିଛିନା କିଛି ଖାଇବାକୁ ହୁଏ। ଘରେ ଘରେ ତ ପିଠାପଣାର ମହୋତ୍ସବ।

ଘରେ ଏତେ ପ୍ରକାର ସୁଖାଦ୍ୟର ସମ୍ଭାର ମଧ୍ୟରେ ଖାଇବା ଅପେକ୍ଷା ସାଙ୍ଗମାନଙ୍କ ସହିତ ଖେଳିବା, ବୁଲିବାରେ ବେଶୀ ଆନନ୍ଦ ଥାଏ। ଝିଅମାନଙ୍କର ତିନି ଦିନ ତଳେ ଚାଲିବା ମନା। ଗାଁରେ ଝିଅମାନେ ଗୋଡ଼ରେ ଗୁଆ ଖୋଳପା ଲଗେଇ ଚାଲିବା କଥା ଶୁଣିଛି – ମୁଁ କେବେ ଦେଖିନି।

ଆମେ ଚପଲ ପିନ୍ଧି ଘର ଭିତରେ ଚାଲୁ- ଯାହା ଅନ୍ୟ ସମୟରେ ପୂରା ମନା। ଘର ସାରା ସଉପ ମସିଣା ନ ହେଲେ ସତରଞ୍ଜି ପରା ହୋଇଥିବ। ସେଇଠି ଆମର ଝିଅମାନଙ୍କର ଆସର ବସେ। ସେଇଠି ଖାଉ- ସେଇଠି ଲୁଡୁ, ତାସ ପାଲି ପଡ଼େ। କେତେ ପ୍ରକାରର ପାନ ଭଙ୍ଗା ହୋଇରହିଥାଏ – କେତେ ଡିଜାଇନରେ- କେତେ ପ୍ରକାର ମସଲା ଦିଆ ପାନ। ଆମେ ସାନମାନେ ମିଠା ମସଲା ଦିଆ ପାନ ଖାଉ- ଖଇର ପକା ପାନ – ଯେଉଁଥିରେ ଆମର ପାଟି ନାଲି ହୋଇଯିବ। ସେତେବେଳେ ଲିପ୍‌ଷ୍ଟିକ୍‌ର ବ୍ୟବହାର ଆମକୁ ଜଣାନଥିଲା।

ପୋଡ଼ପିଠା, ରଜ ପାନ ପରି ରଜରେ ଦୋଳି ଖେଳ ତ ନିଶ୍ଚୟ। ସାନବେଳେ ଆମ ପାଇଁ ବଡ଼ମାନେ ଦୋଳି ତିଆରି କରିଦେଉଥିଲେ। ରଜ ପାନ ଖାଇ ଦୋଳିରେ ନ ଝୁଲିଲେ ଆଉ କି ରଜ। ବାଉଁଶ ଦୋଳି, ପଟା ଦୋଳି, ରାମ ଦୋଳି, ବାକ୍ସ ଦୋଳି; ଏମିତି କେତେ ପ୍ରକାରର ଦୋଳି ତିଆରି ହୁଏ। ମୋର କିନ୍ତୁ ଦୋଳିରେ ବସିଲେ ମୁଣ୍ଡ ବୁଲାଏ। ତେଣୁ ଦୋଳିର ମଜା ମୁଁ ନେଇପାରେ ନାହିଁ। ବାରଣ୍ଡାରେ ଗୋଟିଏ କାଠ ପିଢ଼ାକୁ ଦଉଡ଼ିରେ ବାନ୍ଧି ଦୋଳି ଖେଳର ବିଧି ରକ୍ଷା କରେ। ମୋର ସାଙ୍ଗମାନେ କିନ୍ତୁ ଦୋଳିରେ ବସି ମନପବନ ଘୋଡ଼ାରେ ଚଢିବା ପରି ଉଡୁଥାନ୍ତି କେତେ ଉଚ୍ଚ ଯାଏ।

ପ୍ରଥମ ରଜରେ ନିଶ୍ଚୟ ଖାସି ମାଂସ ହୁଏ ଘରେ। ଯେଉଁ ବର୍ଷ ପହଲି ରଜ ଗୁରୁବାର କି ସୋମବାର ପଡ଼ିଯାଏ ସେ ବର୍ଷ ଦୁଇ ଦିନ ଆମିଷ ହୁଏନି। ରଜ ସଂକ୍ରାନ୍ତିରେ ବି ହୁଏନି ନା! ତୃତୀୟ ରଜ ପାଇଁ ଅପେକ୍ଷା ରହେ। ଦୁଇ ଦିନ ପିଠା, ମିଠା, କ୍ଷୀରି ଖାଇବା ପରେ ତୃତୀୟ ଦିନର ଆମିଷ ଭୋଜନ ଜମିଯାଏ। ସେ ଦିନ ମଧ୍ୟ ବେଶ୍ ମଜା ହୁଏ। ନୂଆ ବୋହୂମାନଙ୍କ ବାପଘରୁ ରଜ-ଭାର ଆସିଥାଏ। ଅନୂଢ଼ା ଝିଅମାନଙ୍କ ସହିତ ନୂଆ ବୋହୂମାନେ ମଧ୍ୟ ସାମିଲ୍ ହୁଅନ୍ତି ଘର ଭିତରର ଖେଳ କୌତୁକରେ ।

ଶେଷ ଦିନ ତ ବସୁମାତା ଗାଧୁଆ-ହଳଦି ପାଣିରେ ଶିଳପୁଆକୁ ଗାଧୋଇ ଦେଇ ଦୁଆରେ ପୂଜା କରାଯାଏ। ସିଏସବୁ ବୋଉ, ଖୁଡ଼ୀ କି ଜେଜେମାଆଙ୍କ କାମ। ସେଠି କ’ଣ କ’ଣ ହୁଏ ସେଆଡ଼କୁ ଆମ ମନ ନଥାଏ। ରଜ ପୂର୍ବର ମଉଜ ବସୁମାତା ଗାଧୁଆରେ ସରିଯାଏ ବୋଲି ମନ ଉଦାସ ହୋଇଯାଏ। ପୁଣି ବର୍ଷଟିଏର ପ୍ରତୀକ୍ଷା!

ଏବେକାର ରଜ

ମୋର ଝିଅ ନାହାନ୍ତି। ଦୁଇ ଜଣ ପୁଅ। ତେଣୁ ମୋ ଘରେ ରଜ ମନାଯାଏ କେବଳ ଭଲ ଭଲ ଖାଇବା ଜିନିଷ ବନେଇ ଖାଇବାରେ। ଝିଅନାହାନ୍ତି ବୋଲି ରଜ ଉତ୍ସବରେ କ’ଣ ଘରେ ପିଠାପଣା ହେବନି – ନା ଘରକୁ କେହି ଅତିଥି ଆସିଲେ ଚର୍ଚ୍ଚା ହେବନି? ଆମ ଘରେ ପାନ କେହି ଖାଆନ୍ତିନି। ରଜ ପାନ ଖାଇବାକୁ ହେଲେ କିଣି ଆଣିବାକୁ ପଡ଼େ। ମୋତେ କିନ୍ତୁ ଭାରି ଭଲ ଲାଗେ, ଝିଅମାନେ ନୂଆ ଡ୍ରେସ୍ ପିନ୍ଧି ଦଳ ଦଳ ହୋଇ ସାଇପଡ଼ିଶା ବୁଲିବାର ଦେଖିଲେ। କପାଳରେ ଟିପି ଟିପି ଚନ୍ଦନ ଆଉ କେହି ଲଗାଉନାହାନ୍ତି। ଅଳତା ଲଗାଉଛନ୍ତି ପାଦରେ। ମେହେନ୍ଦି ଲଗାଉଛନ୍ତି ହାତରେ।

ବିଭିନ୍ନ ଅନୁଷ୍ଠାନ ତରଫରୁ ସହରମାନଙ୍କରେ ରଜ ଉତ୍ସବ ପାଳନ କରାଯାଉଛି। ରଜ ପିଠା ପ୍ରତିଯୋଗିତା ହେଉଛି। ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ହେଉଛି। ଆମ ସଂସ୍କୃତିକୁ ବଞ୍ଚାଇପାରିବା ଯେଉଁମାନେ ପ୍ରୟାସ କରୁଛନ୍ତି ସେମାନଙ୍କୁ ଅଜସ୍ର ଧନ୍ୟବାଦ।

Comment