ଓଡ଼ିଶାଲାଇଭ୍ ବ୍ୟୁରୋ

ରଜପର୍ବ ସହିତ ଖାଦ୍ୟର ସଂପର୍କ ଖୁବ୍ ନିବିଡ଼। କାରଣ ଏହି ତିନି ଦିନ ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଘରେ ପ୍ରସ୍ତୁତ କରାଯାଏ ବିଭିନ୍ନ ପ୍ରକାର ପିଠା ଓ ସୁସ୍ୱାଦୁ ଖାଦ୍ୟଦ୍ରବ୍ୟ। ସେ ମଧ୍ୟରୁ ପୋଡ଼ପିଠାର ସ୍ଥାନ ସ୍ୱତନ୍ତ୍ର।

ଚାଉଳ, ନଡ଼ିଆ, ଘିଅ, ଗୁଜରାତିଗୁଣ୍ଡ, କାଜୁ, କିସମିସ୍, ଓ ଗୁଡ଼ ଦେଇ ଏହାକୁ ପ୍ରସ୍ତୁତ କରାଯାଇଥାଏ। ରଜର ପୂର୍ବ ଦିନ ଅର୍ଥାତ୍ ସଜବାଜଠାରୁ ଚାଉଳକୁ ଚୁନା କରି ରଖାଯାଇଥାଏ। କେତେକ ଅଞ୍ଚଳରେ ସଜବାଜ ଦିନ ହିଁ ପୋଡ଼ପିଠା କରି ରଖାଯାଏ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ ହାଣ୍ଡିକୁ ଚୁଲି ଉପରେ ବସାଇ ସେଥିରେ ଚୁନାର ଆବଶ୍ୟକତା ଅନୁଯାୟୀ ଗୁଡ଼ ଏବଂ ପାଣି ପକାନ୍ତୁ। ପାଣିରେ ଗୁଡ଼ ଭଲ ଭାବେ ମିଶିବା ପରେ ସେଥିରେ ଧୀରେ ଧୀରେ କରି ଚୁନାକୁ ପକାଇ ଭଲ ଭାବେ ଘାଣ୍ଟନ୍ତୁ। ଯେମିତି ଚାଉଳଗୁଣ୍ଡ ଗୋଟା ନହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ।

ସେଥିରେ କାଜୁ, କିସମିସ ଓ ଘିଅ ଆଦି ପକାଇ ଭଲ ଭାବେ ମିଶାନ୍ତୁ। ଜନ୍ତଣି ଭଲ ଭାବେ ସିଝିବା ପରେ ତାକୁ ଅଳ୍ପ ହାତକୁ ଆଣି ଦେଖନ୍ତୁ। ଯଦି ଏହି ଜନ୍ତଣି ହାତରେ ନଲାଗେ ତେବେ ଏହା ପୋଡ଼ ପିଠାପାଇଁ ପ୍ରସ୍ତୁତ ହୋଇଯାଇଛି। ଏକ ଗୋଲ ପାତ୍ରରେ କଦଳୀ ପତ୍ରକୁ ରଖନ୍ତୁ। ସେଥିରେ ଗାଇ ଘିଅ ଭଲ ଭାବେ ଲଗାନ୍ତୁ। ଏହା ପରେ ଏହି ଜନ୍ତଣିକୁ ଗରମ ଗରମ ଅଜାଡ଼ି ତାକୁ ସମାନ କରନ୍ତୁ ଓ ଉପରେ କିଛି କଟା ନଡ଼ିଆ, କାଜୁ ପକାନ୍ତୁ। ତା’ ପରେ ଏହାକୁ ଆଉ ଏକ କଦଳି ପତ୍ରରେ ଢାଙ୍କି ଦିଅନ୍ତୁ।

ଜନ୍ତଣି ଥିବା ପାତ୍ରକୁ ଚୁଲି ଉପରେ ରଖନ୍ତୁ ଏବଂ ପାତ୍ର ଉପରେ ଢଙ୍କା ହୋଇଥିବା କଦଳୀ ପତ୍ର ଉପରେ ଜଳନ୍ତା ଅଙ୍ଗାର କିଛି ରଖନ୍ତୁ। ଯେମିତି ଉପର ଏବଂ ତଳ ପଟୁ ଠିକ୍ ଭାବେ ପିଠା ସିଝି ପାରିବ। ଅଳ୍ପ ନିଆଁ ଥିବା ଚୁଲିରେ ଅଧଘଣ୍ଟାରୁ ଘଣ୍ଟାଏ ଯାଏଁ ପାତ୍ରକୁ ରଖାଯାଇଥାଏ। ଏହା ପରେ ଅଙ୍ଗାର ଓ ପତ୍ର ସବୁକୁ ବାହାର କରିଦିଅନ୍ତୁ। ଏହାକୁ କିଛି ସମୟ ପାଇଁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଏହା ପରେ ପୋଡ଼ ପିଠାକୁ ଅନ୍ୟ ଏକ ପାତ୍ରକୁ କାଢ଼ି ଏହାକୁ ସାଇଜ କରି କାଟିବା ପରେ ନିଜେ ଖାଆନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଦିଅନ୍ତୁ।

Tags: #Raja #PahiliRaja #Festival #Celebration #PodaPitha

Comment