ଓଡ଼ିଶାଲାଇଭ୍ ବ୍ୟୁରୋ

ଜ୍ୟେଷ୍ଠର ଶେଷ ଆଷାଢର ଆରମ୍ଭ ଏକ ସୁନ୍ଦର ମୁହୂର୍ତ୍ତ ହେଉଛି ରଜ। ଓଡ଼ିଶାର ଏହି ଗଣରଜ ଅବସରରେ ଆସନ୍ତୁ ଜାଣିବା ପ୍ରତିଷ୍ଠିତ ନାରୀମାନଙ୍କର ରଜକୁ ନେଇ ରହିଛି କିଭଳି ଅଭୁଲା ସ୍ମୃତି

ସୁସ୍ମିତା ଦାସ – ଗାୟିକା

ପିଲାଦିନର ରଜର ମସ୍ତି ଖୁବ୍ ନିଆରା ଥିଲା।

ଦୁଇ ତିନି ଦିନ ଆଗରୁ ସରିଯାଉଥିଲା ରଜଦୋଳି ତିଆରି। ଗଛରେ ପଟା ବାନ୍ଧି ଦୋଳି ତିଆରି କରାଯାଉଥିଲା। ପହଲି ରଜ ଦିନ ସକାଳୁ ପିଠା କରି ଦୋଳିକୁ ପୂଜା କରି ଆମେ ଦୋଳିରେ ଝୁଲୁଥିଲୁ। ନୂଆ ପୋଷାକ ପିନ୍ଧି ସାଙ୍ଗମାନେ ସଜେଇ ହୋଇ ଆମ ଘରକୁ ଆସୁଥିଲେ। ସମସ୍ତେ ସାଥୀ ହୋଇ ଝୁଲୁଥିଲୁ।

ସାଥୀ ହୋଇ ଝୁଲିବା, ସାଥୀହୋଇ ସାଙ୍ଗଙ୍କ ଘରେ ବୁଲିବା, ରଜର ପୋଡ଼ପିଠା, ରଜର ପାନ, ରଜ ଗୀତ ସବୁକିଛି ଏତେ ନିଆରା ଥିଲା ଯେ ସେସବୁ ମନେପଡ଼ିଲେ ଇଛା ହୁଏ ପୁଣି ଥରେ ଫେରିଯିବାକୁ ସେହି ସମୟକୁ।

ମଝିରେ ଯଦିବା ରଜ ପାଳିବା ପ୍ରାୟତଃ ବନ୍ଦ ହୋଇଯାଇଥିଲା, ଏବେ କିନ୍ତୁ ପୁଣି ରଜ ପାଳିବା ଆରମ୍ଭ ହେଲାଣି। ବିଭିନ୍ନ ଅନୁଷ୍ଠାନ ତରଫରୁ ଅନେକ ଉତ୍ସବ ଏବଂ ମହୋତ୍ସବମାନ ପାଳନ କରାଯାଉଛି। ସରକାର ମଧ୍ୟ ଏଥିପାଇଁ ଅନେକ ପ୍ରୋତ୍ସାହନ ଦେଉଛନ୍ତି।

ଏଥର ରଜରେ ମୋର ଗୋଟିଏ ଗୀତ ୟୁଟ୍ୟୁବ୍‌ରେ ରିଲିଜ୍ ହେଉଛି। ଏହାର ଲେଖକ ଦେବଦାସ ଛୋଟରାୟ ଥିବା ବେଳେ ସ୍ୱର ଦେଇଛନ୍ତି ଓମ୍ ପ୍ରକାଶ ମହାନ୍ତି। ଏଥର ରଜରେ ‘ମଶାଲ’ ଅନୁଷ୍ଠାନ ତରଫରୁ ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବାକୁ ଥିବା ରଜ ଉତ୍ସବରେ ଏହି ଗୀତଟି ମୁଁ ଗାଇବାର ଯୋଜନା ରହିଛି।

ପ୍ରତିଭା ପଣ୍ଡା – ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ

ପିଲାଦିନରୁ ରଜର ଅନୁଭୂତି ଆଜି ବି ଜୀବନ୍ତ। ସେ ଆମ୍ବଗଛରେ ଦୋଳି ଖେଳ ହେଉ କି ସଜେଇହୋଇ ସାଙ୍ଗମାନଙ୍କ ସହ ଗାଁ ବୁଲିବା ହେଉ ସବୁକିଛି ବେଶ୍ ନିଆରା ଥିଲା।

ରଜରେ ବିଭିନ୍ନ ପ୍ରକାର ଦୋଳିରେ ଝୁଲିବା ଥିଲା ସବୁଠାରୁ ବେଶୀ ଆନନ୍ଦଦାୟକ। ରଜରେ ସେହି ପୋଡ଼ପିଠାର ସ୍ୱାଦ ଆଜି ବି ଏ ମନ ଝୁରିହୁଏ। ସାଙ୍ଗମାନଙ୍କ ଘରକୁ ଯାଇ ତାଙ୍କ ଘର ପିଠା ଖାଇବା ଓ ପିଠା ବାଣ୍ଟିବା ସହିତ ତିନି ଦିନର ମସ୍ତି ଆଜି ବି ଅଭୁଲା ହୋଇରହିଛି।

ଏବେକାର ରଜରେ ସେ ରଜର କିଛି ବି ଝଲକ ଥିବା ପରି ମନେହୁଏନା। ଏବେ ରଜ କେବଳ କ୍ୟାଲେଣ୍ଡରରେ ରହିଯାଇଛି। ଆଜିକାଲି ସବୁ ଜାଗାରେ ମଧ୍ୟ ରଜର ପାଳନ କରାଯାଉନି। କିଛି କିଛି ଅନୁଷ୍ଠାନ ରଜ ମହୋତ୍ସବ କରୁଛନ୍ତି।

ସେତେବେଳର ଓଡ଼ିଆ ଘରର ରଜ ଆଜି ପ୍ରାୟ ହଜିଗଲାଣି। ଯୁଗ ଅନୁଯାୟୀ ରଜର ଫର୍ମାଟ୍‌ ବଦଳିଗଲାଣି।

ଏଥର ମୁଁ ମୋ ଅନୁଷ୍ଠାନର ପିଲାମାନଙ୍କୁ ନେଇ ୧୩ ତାରିଖରେ ରବିନ୍ଦ୍ର ମଣ୍ଡପରେ ରଜ ମହୋତ୍ସବ ପାଳନ କରିବାର ଯୋଜନା କରିଛି।

Comment