ଓଡ଼ିଶାଲାଇଭ ବ୍ୟୁରୋ

ରଜ ପର୍ବ ସହିତ ଖାଦ୍ୟର ସଂପର୍କ ଖୁବ୍ ନିବିଡ଼। କାରଣ ଏହି ତିନି ଦିନ ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଘରେ ପ୍ରସ୍ତୁତ କରାଯାଏ ବିଭିନ୍ନ ପ୍ରକାର ପିଠା ଓ ସୁସ୍ୱାଦୁ ଖାଦ୍ୟଦ୍ରବ୍ୟ। ସେ ମଧ୍ୟରୁ ପୋଡ଼ପିଠାର ସ୍ଥାନ ସ୍ୱତନ୍ତ୍ର। ବିରି, ଅଳ୍ପ ଚାଉଳ, ନଡ଼ିଆ, ଘିଅ, ଗୁଜରାତିଗୁଣ୍ଡ, କାଜୁ, କିସମିସ୍, ଓ ଚିନି ଦେଇ ଏହାକୁ ପ୍ରସ୍ତୁତ କରାଯାଇଥାଏ।

ରଜର ପୂର୍ବ ଦିନ ଅର୍ଥାତ୍ ସଜବାଜଠାରୁ ବିରି, ଚାଉଳକୁ ବାଟି ରଖାଯାଇଥାଏ। କେତେକ ଗ୍ରାମୀଣ ଅଞ୍ଚଳରେ ସଜବାଜ ଦିନ ହିଁ ପୋଡ଼ପିଠା କରି ରଖାଯାଏ। ଅନ୍ୟସ୍ଥାନମାନଙ୍କରେ ରଜଦିନ ସକାଳୁ ପୋଡ଼ପିଠା ପ୍ରସ୍ତୁତ ହୁଏ। ପୋଡ଼ ପିଠା ସଂପର୍କରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହାକୁ ଚୁଲୀରେ କରାଯାଇଥାଏ। ଏଥିପାଇଁ ବିରି, ଚାଉଳ, ନଡ଼ିଆ ଓ ଅନ୍ୟ ସାମଗ୍ରୀକୁ ମିଶାଇ ତାକୁ କଦଳୀପତ୍ରରେ ଭଲ ଭାବେ ବାନ୍ଧି ଚୁଲି ଲିଭିଯିବା ପରେ ଅଳ୍ପ ନିଆଁରେ ପୋଡ଼ାଯାଇଥାଏ। ପରେ ଥଣ୍ଡା କରି ଖାଇବାକୁ ଦିଆଯାଏ। ଏହି ପିଠାକୁ କେବଳ ଯେ ଘର ଲୋକେ ଖାଆନ୍ତି ତା’ ନୁହେଁ, ପଡ଼ୋଶୀ, ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନଙ୍କ ଘରକୁ ବି ପଠାଯାଏ।

ରଜ ଦିନ ଘରକୁ ବୁଲି ଆସୁଥିବା ଅତିଥି ମଧ୍ୟ ଆପ୍ୟାୟିତ ହୋଇଥାନ୍ତି ଏଥିରେ। ପୋଡ଼ପିଠା ସହିତ କାକରାପିଠା, ବିଭିନ୍ନ ପ୍ରକାର ମଣ୍ଡା ମଧ୍ୟ ତିଆରି ହୁଏ ରଜରେ।

ସେଥିମଧ୍ୟରେ ଛେନା ପୁର, ନଡ଼ିଆ ପୂର, ଆଳୁ, କୋବି ପୂରଦିଆ ମଣ୍ଡା ପ୍ରଭୃତି ଅନ୍ୟତମ । କେତେକଙ୍କ ଘରେ ସୁଜିରେ ମଧ୍ୟ ମଣ୍ଡା ତିଆରି ହୋଇଥାଏ। ରଜର ଆଉ ଏକ ଆକର୍ଷଣ ହେଲା ବୁଢାଚକୁଳି । ବିରିବଟାରେ ପାଚିରାକଦଳୀ, ଛେନା, ନଡ଼ିଆକୋରା, ଗୁଜରାତି ଗୁଣ୍ଡ, ଗୋଲମରିଚଗୁଣ୍ଡ,ଅଦା ଛେଚା, ଗୁଡ଼ ପକାଇ ଏହାକୁ ପ୍ରସ୍ତୁତ କରାଯାଏ।

ଉପରୋକ୍ତ ସବୁ ସାମଗ୍ରୀକୁ ମିଶାଇ ତାୱାରେ ଘିଅ ପକାଇ ପିଠା ଭଳି ପ୍ରସ୍ତୁତ କରାଯାଇଥାଏ। ବିଶେଷକରି କଟକ, କେନ୍ଦ୍ରାପଡ଼ା, ଯାଜପୁର ପରି ଜିଲ୍ଲାରେ ଏହା ଅଧିକ ଆଦୃତ । ସେହିପରି ସରୁଚକୁଳି, ଆରିଶାପିଠା, ମାଲପୁଆ, ମୁଗବୁନ୍ଦି, ବିରିବରା ବି ପ୍ରସ୍ତୁତ ହୋଇଥାଏ।

ରଜରେ ତିଆରି ହେଉଥିବା ଆଉ ଏକ ସ୍ୱତନ୍ତ୍ର ପିଠା ହେଲା ଛୁଞ୍ଚିପତ୍ର। ଛୁଞ୍ଚି ପତ୍ର ପ୍ରସ୍ତୁତି ପାଇଁ ବିରି, ଚାଉଳକୁ ପୂର୍ବରୁ ବାଟି ରଖାଯାଇଥାଏ। ତାୱାରେ ଭଲ ଭାବେ ଘିଅ ଦେଇ ଘଷିନେବା ପରେ ପିଠଉକୁ ଖୁବ୍ ପତଳା କରି ଦିଆଯାଇଥାଏ।

ପିଠା ମଝିରେ ନଡ଼ିଆକୋରା, ଛେନା, ଗୁଜରାତି, ଚିନି ମିଶାଇ ପ୍ରସ୍ତୁତ ହୋଇଥିବା ଏକ ପୂରକୁ ରଖାଯାଏ। ପରେ ଦୋସା ଭଳି ତାକୁ ଚାରିପଟୁ ଭାଙ୍ଗ କରି ଦିଆଯାଏ। କିଛି ଲୋକ ସେହି ଚାରିକଣିଆ ପିଠା ଉପରେ ଲବଙ୍ଗ ଖୋସି ଅନ୍ୟମାନଙ୍କୁ ଖାଇବାକୁ ଦେଇଥାନ୍ତି।

ଏସବୁ ପିଠା ବ୍ୟତୀତ କରଞ୍ଜି, ଖୀରଗଜା ପ୍ରଭୃତି ପିଠା ପ୍ରସ୍ତୁତ କରାଯାଇଥାଏ। ଏ ତ ଗଲା ପିଠାର କଥା; ଗାଁ ଗହଳିରେ ରଜ ତିନିଦିନ ମଧ୍ୟରୁ ବାର ଦେଖି ଗୋଟିଏ ଦିନ ପ୍ରାୟ ସମସ୍ତଙ୍କ ଘରେ ଆମିଷ ବିଶେଷ କରି ମଟନ୍ ରୋଷେଇ କରାଯାଇଥାଏ। ଘରକୁ ଆସିଥିବା କୁଣିଆ ତଥା ବନ୍ଧୁବାନ୍ଧବଙ୍କୁ ଆପ୍ୟାୟିତ କରାଯାଏ ଏଥିରେ।

Comment