ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ଆଇସିସି ବିଶ୍ଵକପର ୨୫ତମ ମ୍ୟାଚରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକା ଦଳକୁ ୪ ଓ୍ଵିକେଟରେ ପରାସ୍ତ କରିଛି। ଏହାସହ ଚଳିତ ବିଶ୍ଵକପରେ ଦକ୍ଷିଣ ଆଫ୍ରିକାର ବିଶ୍ଵକପ ଯାତ୍ରା ଆଶା ମଉଳି ଯାଇଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିନାୟକ କେନ ଓ୍ଵିଲିୟମସନ ଦାୟିତ୍ଵର ସହ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ।

ଟସ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ନ୍ୟୁଜିଲାଣ୍ଡ ଦଳ। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ଓପନର କ୍ଵିଣ୍ଟନ ଡି କକ ବେଶି ସମୟ ତିଷ୍ଠି ପାରି ନଥିଲେ। ପ୍ରଥମ ଓଭରରେ ଦଳୀୟ ସ୍କୋର ୯ରନ ହୋଇଥିବା ବେଳେ ବାଉଲ୍ଟ ଶିକାର ହୋଇ ପାଭିଲିୟନ ଫେରିଥିଲେ ଡି କକ୍। ପରେ ପ୍ରଥମ ଓ୍ଵିକେଟରେ ହାସିମ ଆମଲା ଓ ଫାପ ଡୁପ୍ଲେସି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ମାତ୍ର ଦଳୀୟ ସ୍କୋର ୫୯ ହୋଇଥିବା ବେଳେ ଡୁପ୍ଲେସି ଆଉଟ ହୋଇଯାଇଥିଲେ।

ହାସିମ ଆମଲା ଦାୟିତ୍ଵର ସହ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ବ୍ୟକ୍ତିଗତ ୫୫ ରନ କରି ଅଲଆଉଟ ହେବା ପରେ ମାରକ୍ରାମ, ଡୁସେନ ଓ ମିଲର ଲଢୁଆ ବ୍ୟାଟିଂ କରି ଦଳକୁ ୨୪୧ରେ ପହଞ୍ଚାଇଥିଲେ।

୨୪୧ରନର ବିଜୟ ଲକ୍ଷ୍ୟକୁ ପିଛାକରିଥିବା ନ୍ୟୁଜିଲାଣ୍ଡ ଦଳ ଦ୍ଵିତୀୟ ଓଭରରେ କୋଲିନ ମୁନରୋଙ୍କ ଓ୍ଵିକେଟ ହରାଇଥିଲା। ପରେ କେନ ଓ୍ଵିଲିୟମ ସନ ଗୋଟେ ପଟରେ ଦାୟିତ୍ଵବାନ ଭାବେ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟରେ ଗୋଟିଏ ପରେ ଗୋଟିଏ ଓ୍ଵିକେଟ ହରାଇ ଚାଲିଥିଲା ଦଳ। ଷଷ୍ଠ ଓ୍ଵିକେଟରେ ଗ୍ରାଣ୍ଡହୋମ ଓ୍ଵିଲିୟମସନଙ୍କ ସହ ମିଶି ଦଳକୁ ବିଜୟ ପଥରେ ଆଗେଇ ନେଇଥିଲେ। ନ୍ୟୁଜିଲାଣ୍ଡ ୪୮.୩ ଓଭରରେ ୨୪୫ ରନ କରି ବିଜୟ ଲକ୍ଷ୍ୟ ପୂରା କରିଥିଲା।

ଦଳ ପକ୍ଷରୁ କେନ ଓ୍ଵିଲିୟମସନ ୧୩୮ ବଳରୁ ୧୦୬ ରନ କରିଥିବା ବେଳେ କୋଲିନ ଡେ ଗ୍ରଣ୍ଡହୋମ ୪୭ ବଲରୁ ୬୦ ରନ ହାସଲ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଓ୍ଵିଲିୟମସନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

Comment