ଓଡ଼ିଶାଲାଇଭ ବ୍ୟୁରୋ

‘‘ନୃତ୍ୟ ମୋ ପାଇଁ ଥିଲା ନିଶା। ନୃତ୍ୟ ଏ ନିଶାରେ ମୁଁ ପିଲାବେଳେ ବ୍ୟାଣ୍ଡପାର୍ଟି ପଛରେ ଚାଲି ଯାଇଥିଲି। ଯେଉଁଠି ବାଜା ବନ୍ଦ ହୋଇଥିଲା ସେଇଠି ରହି ଯାଇଥିଲି। ଜଣେ ପାନ ଦୋକାନୀ ମତେ ନେଇ ତାଙ୍କ ଦୋକାନରେ ବସେଇଥିଲେ। ଘରେ ମତେ ନପାଇ ପୋଲିସରେ ଅଭିଯୋଗ ଦେଇଥିଲେ’’, ଏକଥା କହିଛନ୍ତି ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ କୁମ୍‌କୁମ୍‌ ମହାନ୍ତି।

ସେ ଆହୁରି କହିଥିଲେ ଯେ, ଯେତେବେଳେ ସେ ବ୍ୟାଣ୍ଡପାର୍ଟି ପଛରେ ଚାଲିଯାଇଥିଲେ ସେତେବେଳେ ସେ ଠିକ୍ ସେ କଥା ବି କହି ଶିଖି ନଥିଲେ। ଘର ଲୋକ ତାଙ୍କୁ ଖୋଜାଖୋଜି କରି ପାଇଥିଲେ। ଆଉ ସେହିଠାରୁ ହିଁ ତାଙ୍କର ନୃତ୍ୟ ଓ ସଙ୍ଗୀତ ପ୍ରତି ଆକର୍ଷଣ ପ୍ରତିଫଳିତ ହୋଇଥିଲା।Odissi Dancer Kumkum Mohanty

‘ସମାଜ’ ସମ୍ବାଦପତ୍ରକୁ ଦେଇଥିବା ଏକ ସାକ୍ଷାତକାରରେ କୁମ୍‌କୁମ୍‌ ମହାନ୍ତି ତାଙ୍କ ଜୀବନର ଏଭଳି କିଛି ଅଭୁଲା ସ୍ମୃତିକୁ ବଖାଣିଛନ୍ତି।

କୁମକୁମ୍ ମହାନ୍ତି ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଏକ ବିଶିଷ୍ଟ ନାମ। ଓଡ଼ିଶୀ ନୃତ୍ୟର ପ୍ରଚାର ଏବଂ ପ୍ରସାର କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଛି।  ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ମାନ୍ୟତା ଦେବା ପାଇଁ ଯେଉଁମାନେ ଉଦ୍ୟମ କରିଥିଲେ ସେମାନଙ୍କ ଭିତରେ ଜଣେ ଥିଲେ କୁମ୍‌କୁମ୍‌।Odissi Dancer Kumkum Mohanty

ଓଡ଼ିଶୀ ନୃତ୍ୟର କିମ୍ବଦନ୍ତୀ ପୁରୁଷ ଗୁରୁ କେଳୁଚରଣ ମହାପାତ୍ରଙ୍କ ଅନ୍ୟତମ ଶିଷ୍ୟା ଭାବରେ କୁମ୍‌କୁମ୍‌ ଆଜି ମଧ୍ୟ ନୃତ୍ୟ ପରିବେଷଣ ଏବଂ ନୃତ୍ୟ ସଂରଚନା କ୍ଷେତ୍ରରେ ସକ୍ରିୟ ରହିଛନ୍ତି। ଅନେକ ଶିଷ୍ୟ ଶିଷ୍ୟା ଗଢ଼ି ଏବଂ ଅନେକ ନୂଆ ଚିନ୍ତା ଏବଂ ଚେତନାକୁ ନୃତ୍ୟରେ ପରିବେଷଣ କରି ସେ ଇତିହାସ ସୃଷ୍ଟି କରିଛନ୍ତି।Odissi Dancer Kumkum Mohanty

ପିଲାଟି ବେଳୁ ନୃତ୍ୟ ପ୍ରତି ରୁଚି ରଖିଥିବା କୁମ୍‌କମ୍‌ ରାଣୀହାଟ ରାଧାକୃଷ୍ଣ ମନ୍ଦିର ଭିତରେ ଥିବା କଳା ବିକାଶ କେନ୍ଦ୍ରର ଏକ ଶାଖାରେ ନାଚ ଶିଖୁଥିଲେ। ସେଠାରେ ଉଭୟ ନାଚ ଓ ସଙ୍ଗୀତ ଶିକ୍ଷା କରୁଥିଲେ କୁମ୍‌କୁମ୍‌। ସେଠାକୁ ଯାଉଥିଲେ ଗୁରୁ କେଳୁଚରଣ ମହାପାତ୍ର। ନୃତ୍ୟ ସଙ୍ଗୀତରେ ନାମ ଲେଖାଇବା ପରେ କ୍ଲାସରେ ଗୁମ ମାରି ବସୁଥିଲେ ସେ। ସେଥିପାଇଁ ସାର୍ ତାଙ୍କୁ ମାଡ଼ ବି ଦେଉଥିଲେ।

Comment