ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବଜେଟରେ ଚାଷୀ ଏବଂ ମହିଳାଙ୍କୁ ଗରୁତ୍ୱ ଦେଲେ ସରକାର।

ଓଡ଼ିଶା ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର। ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ଏହି ବଜେଟରେ ରାଜ୍ୟ ସରକାର ସବୁ ବର୍ଗକୁ ଗୁରୁତ୍ୱ ଦେଇଛନ୍ତି। ହେଲେ ମହିଳା ଏବଂ ଚାଷୀଙ୍କୁ ବିଶେଷ ପ୍ରାଧାନ୍ୟ ଦେଇଛନ୍ତି ନବୀନ ସରକାର। ଚାଷୀ ଏବଂ ମହିଳାଙ୍କୁ ଅସ୍ତ୍ର କରି ବିଜୁ ଜନତା ଦଳ ପଞ୍ଚମ ଥର ପାଇଁ ସରକାରକୁ ଆସିଥିବାରୁ ପ୍ରଥମ ବଜେଟରେ ହିଁ ନବୀନ ସରକାର ଏମାନଙ୍କ ପାଇଁ ପେଡ଼ି ଖୋଲି ଦେଇଛନ୍ତି।

ମହିଳା ଓ ଶିଶୁ ବିକାଶ ପାଇଁ ଏଥର ବଜେଟରେ ୩ ହଜାର ୪୫୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ମିଶନ ଶକ୍ତି ଅଧିନରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ୩୦୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ମିଶନ ଶକ୍ତି ଗୃହ ଯୋଜନାରେ ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ କରିବାକୁ ସରକାର ଯୋଜନା କରିଛନ୍ତି। ଏଥିପାଇଁ ଅତିରିକ୍ତ ୧୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

୬ ବର୍ଷରୁ କମ୍ ଶିଶୁ, ଗର୍ଭବତୀ ମହିଳା ଓ ପ୍ରସୂତୀଙ୍କ ବିକାଶ ପାଇଁ ୨ ହଜାର ୯୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର। ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା ପାଇଁ ୭୭ କୋଟି, କିଶୋରୀ ବାଳିକାଙ୍କ ସଶକ୍ତିକରଣ ଯୋଜନା ପାଇଁ ୧୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମମତା ଯୋଜନାରେ ଚଳିତ ବର୍ଷ ୩୦୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ସେହିପରି ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା କାଳିଆ ଯୋଜନା ପାଇଁ ନବୀନ ସରକାର ଭଣ୍ଡାର ଖୋଲି ଦେଇଛନ୍ତି। କେବଳ କାଳିଆ ଯୋଜନା ପାଇଁ ରାଜ୍ୟ ସରକାର ୫ ହଜାର ୬୧୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Comment