ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ଆଇସିସି ବିଶ୍ୱକପରେ ବର୍ତ୍ତମାନ ସୁଦ୍ଧା ୩୪ ଟି ମ୍ୟାଚ୍ ସରିଯାଇଛି। ସେମିଫାଇନାଲ୍ ପୂର୍ବରୁ ଲିଗ୍ ପର୍ଯ୍ୟାୟରେ ଆଉ କେବଳ ୧୧ ଟି ମ୍ୟାଚ୍ ବାକିଅଛି। କିନ୍ତୁ ଏବେଠାରୁ କେଉଁ ୪ଟିଦଳ ସେମିଫାଇନାଲରେ ପ୍ରବେଶ କରିବେ ତାକୁ ନେଇ ଚାଲିଛି ଅଙ୍କକଷା।

ବର୍ତ୍ତମାନ ପଏଣ୍ଟ ଟେବୁଲକୁ ଦେଖିଲେ ସେମିଫାଇନାଲ ପାଇଁ ଅଷ୍ଟ୍ରେଲିଆ,ଭାରତ ଏବଂ ନ୍ୟୁଜିଲାଣ୍ଡ ଭଲ ସ୍ଥିତିରେ ଅଛନ୍ତି। କିନ୍ତୁ କେଉଁ ଚତୁର୍ଥ ଦଳ ସେମିଫାଇନାଲରେ ପ୍ରବେଶ କରିବ ତାକୁ ନେଇ ଆରମ୍ଭ ହୋଇଛି ଆଲୋଚନା। ଆୟୋଜକ ଇଂଲଣ୍ଡ ସହ ପାକିସ୍ତାନ, ବାଂଲାଦେଶ ଏବଂ ଶ୍ରୀଲଙ୍କା ଏହି ରେସରେ ଅଛନ୍ତି।

ଆୟୋଜକ ଇଂଲଣ୍ଡର ଆଗାମୀ ମ୍ୟାଚ୍ ଭାରତ ଏବଂ ନ୍ୟୁଜିଲାଣ୍ଡ ସହ ଅଛି। ସେମିଫାଇନାଲରେ ସ୍ଥାନ ପକ୍କା କରିବାକୁ ଇଂଲଣ୍ଡକୁ ଆଗାମୀ ଗୋଟିଏ ମ୍ୟାଚ୍ ଜିତିବାକୁ ପଡ଼ିବ। ଯଦି ଇଂଲଣ୍ଡ ଆଗାମୀ ଦୁଇଟି ମ୍ୟାଚ୍ ହାରିଯାଏ ତେବେ ଇଂଲଣ୍ଡର ସେମିଫାଇନାଲ ଆଶା ମଉଳିଯିବ ।

ସେହିଭଳି ନ୍ୟୁଜିଲାଣ୍ଡକୁ ହରାଇବା ପରେ ପାକିସ୍ତାନର ମଧ୍ୟ ସେମିଫାଇନାଲ ଆଶା ଉଜ୍ଜିବିତ ହୋଇଛି। ଯଦି ଆଗାମୀ ଲିଗ୍ ମ୍ୟାଚଗୁଡ଼ିକରେ ଇଂଲଣ୍ଡ ଦୁଇଟି ଯାକ ମ୍ୟାଚ୍ ହାରିଯାଏ ଏବଂ ଯଦି ପାକିସ୍ତାନ ଦଳ ଆଫଗାନିସ୍ତାନ ଓ ବାଂଲାଦେଶକୁ ହରାଇବ ତେବେ ପାକିସ୍ତାନ ସେମିଫାଇନାଲ ଯିବାକୁ ବାଟ ଖୋଲିପାରିବ।

ସୋଏବ୍ ଅଖତର ପୂର୍ବରୁ କହିସାରିଛନ୍ତି ଯେ କେବଳ ଭାରତ ଚାହିଁଲେ ପାକିସ୍ତାନ ସେମିଫାଇନାଲ ଯାଇପାରିବ। ଭାରତ ଇଂଲଣ୍ଡକୁ ହରାଇଲା ହିଁ ପାକିସ୍ତାନ ସେମିଫାଇନାଲ ଖେଳିବ।

ସେହିଭଳି ବାଂଲାଦେଶ ମଧ୍ୟ ସେମିଫାଇନାଲ ରେସରୁ ବାଦ୍ ପଡ଼ିନି। ବାଂଲାଦେଶର ଆଗାମୀ ମ୍ୟାଚ୍ ଭାରତ ଓ ପାକିସ୍ତାନ ସହ ଅଛି। ଯଦି ୨ଟି ଯାକ ମ୍ୟାଚରେ ବାଂଲାଦେଶ ବିଜୟୀ ହୁଏ, ତେବେ ବାଂଲାଦେଶ ଏହି ରେସରେ ରହିପାରିବ। ତେବେ ପାକିସ୍ତାନ-ବାଂଲାଦେଶର କର ବା ମର ମ୍ୟାଚ୍ ଦେଖିବାକୁ ମିଳିବ। ବର୍ତ୍ତମାନ ସ୍ଥିତିକୁ ଦେଖିଲେ ବାଂଲାଦେଶ ପାଇଁ ସେମିଫାଇନାଲ ରାସ୍ତା ବହୁତ କଷ୍ଟକର ହେବ।

ସେହିଭଳି ଶ୍ରୀଲଙ୍କାର ଆହୁରି ୩ଟି ଲିଗ୍ ମ୍ୟାଚ୍ ବାକିଥିବା ବେଳେ ସମସ୍ତ ଲିଗ୍  ମ୍ୟାଚରେ ବିଜୟୀ ହେଲେ ଶ୍ରୀଲଙ୍କା ସେମିଫାଇନାଲ ଖେଳିବ। ଯାହା ବର୍ତ୍ତମାନ ଶ୍ରୀଲଙ୍କା ପାଇଁ ବହୁତ କଷ୍ଟସାଧ୍ୟ।

ବିଶ୍ୱକପ ସେମିଫାଇନାଲରେ ଅଷ୍ଟେଲିଆ, ଭାରତ ଏବଂ ନ୍ୟୁଜିଲାଣ୍ଡ ସୁରକ୍ଷିତ ସ୍ଥିତିରେ ଥିବା ବେଳେ ୱେଷ୍ଟଇଣ୍ଡିଜ୍, ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନର ସେମିଫାଇନାଲ ଆଶା ମଉଳି ସାରିଛି। ତେବେ ଇଂଲଣ୍ଡ,ପାକିସ୍ତାନ, ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରୁ କେଉଁ ଦଳ ସେମିଫାଇନାଲରେ ପ୍ରବେଶ କରିବ ତାହା ଆଗାମୀ ମ୍ୟାଚଗୁଡ଼ିକରେ ଜଣାପଡ଼ିଯିବ।

Comment