ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ଗତ କିଛି ଦିନ ମଧ୍ୟରେ ଓଡ଼ିଶାରେ ରାଜନୈତିକ ସ୍ଥିତି ସମ୍ପୂର୍ଣ୍ଣ ଭାବରେ ବଦଳିଥିଯାଇବା ବେଳେ ପାଟକୁରା ବିଧାନସଭା ଉପନିର୍ବାଚନ ଏକ ରୋଚକ ସ୍ଥିତିରେ ପହଞ୍ଚିଛି। ଅବଶ୍ୟ ଏ ପର୍ଯ୍ୟନ୍ତ ନିର୍ବାଚନ ତାରିଖ ଘୋଷଣା ହୋଇ ନାହିଁ, ତେବେ ଶାସକ ବିଜେଡି ଓ ବିଜେପିର ଭୂମିକା ଏହି ନିର୍ବାଚନରେ କ’ଣ ହେବ ସେ ନେଇ ସମସ୍ତେ ଏବେ ଅଜଣା ଚାଉଳ ଖାଉଛନ୍ତି।

ଗତ ଏକ ମାସ ମଧ୍ୟରେ ବିଜେଡ଼ି ଓ ବିଜେପି ଭିତରେ ସମ୍ପର୍କ କେବଳ ଭଲ ହୋଇ ଚାଲିଛି ତାହା ନୁହେଁ ଏ ଦୁଇ ଦଳ ଭିତରେ ପୂର୍ବର ଶତ୍ରୁତା ଆଉ ଆଖିରେ ପଡୁନାହିଁ। ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ସଦସ୍ୟ ପାଇଁ ବିଜେଡ଼ି ସମର୍ଥନ ଦେବା ପରଠାରୁ ଗଣିତ ପୂରା ବଦଳି ଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

ବିଜେପିକୁ ଗୋଟିଏ ଆସନ ଉପହାର ସୂତ୍ରରେ ଦେବା ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ନିକଟବର୍ତ୍ତୀ ହୋଇ ପାରିଛନ୍ତି। ଏହାର ପ୍ରମାଣ ମୋଦିଙ୍କଠାରୁ ନବୀନଙ୍କୁ ମିଳିଥିବା ପ୍ରଶଂସା।Naveen-Modi

ଜାପାନ ଗସ୍ତରେ ଯାଇଥିବା ବେଳେ ସେଠାରେ ରହୁଥିବା ଭାରତୀୟ ସମୁଦାୟଙ୍କ ଆଗରେ ଫନି ବାତ୍ୟାର ସୁପରିଚାଳନା ନେଇ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ଘଟଣାରୁ ସ୍ପଷ୍ଟ ପ୍ରମାଣିତ ଯେ ମୋଦି ଓ ନବୀନ କାହାକୁ କେହି ରଗାଇବାକୁ ଚାହୁଁନାହାନ୍ତି।

ବିଜେଡ଼ି ଓ ବିଜେପି ଭିତରେ ବଢୁଥିବା ସୁସମ୍ପର୍କର ପ୍ରମାଣ ବର୍ତ୍ତମାନ ଚାଲିଥିବା ବିଧାନସଭା ଅଧିବେଶନରେ ମଧ୍ୟ ଦେଖିବାକୁ ମିଳିଛି। ବିଜେପି ମୁଖ୍ୟ ବିରୋଧୀ ଦଳ ହୋଇଥିବା ସତ୍ତ୍ୱେ ଶାସକ ବିଜେଡ଼ିକୁ ଗୃହରେ ସେଭଳି କିଛି ସମାଲୋଚନା କରିବା ଦେଖିବାକୁ ମିଳୁନାହିଁ। ବିଭିନ୍ନ ପ୍ରସଙ୍ଗରେ ଯଦିଓ ବିଜେପି ସଦସ୍ୟମାନେ ବିଜେଡି ସରକାରକୁ ସମାଲୋଚନା କରୁଛନ୍ତି, ସେହି ସମାଲୋଚନାରେ କିନ୍ତୁ ଦମ ରହୁନାହିଁ। ବରଂ ନଅ ଜଣ ବିଧାୟକ ବିଶିଷ୍ଟ କଂଗ୍ରେସ ଦଳ ପ୍ରକୃତ ବିରୋଧୀ ଦଳ ବୋଲି ଦେଖାଯାଉଛି।
ଏହି ପୃଷ୍ଠଭୂମିରେ ଯଦି ପାଟକୁରା ବିଧାନସଭା ନିର୍ବାଚନ ଓ ଏହାର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ କଥା ବିଚାରକୁ ନିଆଯାଏ ବିଜୟଙ୍କ ପାଇଁ ପରିସ୍ଥିତିଟି ଅତ୍ୟନ୍ତ ଦ୍ବନ୍ଦ୍ବ।ତ୍ମକ ହୋଇ ପଡ଼ିଛି।ଯଦିଓ ବିଜେଡ଼ି ପକ୍ଷରୁ ବହୁ ନେତା ପାଟକୁରାରେ ଠୁଳ ହେଲେଣି, ବିଜେପି ଏ ପର୍ଯ୍ୟନ୍ତ ପ୍ରଚାର ଆରମ୍ଭ କରି ନାହିଁ। କେବଳ ବିଜୟ ନିଜେ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି।

ଆଗକୁ ଦେଖିବାକୁ ବାକି ରହିଲା ବିଜେପି ବିଜେଡ଼ି ପ୍ରାର୍ଥୀଙ୍କୁ ଭିତିରିଆ ସମର୍ଥନ କରୁଛନ୍ତି କି ବିଜେଡ଼ି ବିଜୟ ମହାପାତ୍ରଙ୍କୁ ସମର୍ଥନ ଦେଉଛନ୍ତି। ବିଜୟଙ୍କ ପ୍ରତି ନବୀନଙ୍କ ଦ୍ଵେଷ ଭାବ ଏକ ଜଣାଶୁଣା କଥା।ଏଣୁ ନବୀନ ନିଶ୍ଚୟ ଚାହିଁବେ ବିଜୟ ଯେମିତି ନିର୍ବାଚିତ ନ ହୁଅନ୍ତୁ ଓ ଏଥିପାଇଁ ସେ ବିଜେପି ଉପରେ ମଧ୍ୟ ଚାପ ପ୍ରୟୋଗ କରି ପାରନ୍ତି।

Comment