ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୧୫ ଦିନର ଅଣସର ଘରେ ରହିବା ପରେ ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ

ଜୁଲାଇ ୪ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଜି ନବଯୌବନ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀଜୀଉଙ୍କର ଏହି ନବ ଯୌବନ ଦର୍ଶନ ପାଇଁ କାହିଁ କେଉଁ ସ୍ଥାନରୁ ଦର୍ଶକଙ୍କ ସୁଅ ଛୁଟିଛି ପୁରୀକୁ।

ସେପଟେ ଘୋଷଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବ। ଏହାପରେ ତିନି ରଥକୁ ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ।

ଆଜି ଅମାବାସ୍ୟା ତିଥିରେ ନବଯୌବନ ଦର୍ଶନ ଏବଂ ନେତ୍ରୋତ୍ସବ ଅନୁଷ୍ଠିତ ହେବ। ପ୍ରଭୁଙ୍କ ଅଣସର ସମୟରେ ପୂଜା ପାଉଥିବା ପଟ୍ଟିଦିଅଁ ତଥା ଦଶାବତାର ଠାକୁର ବାହୁଡ଼ା ବିଜେ କରିବେ। ଅଣସର ତାଟି ଫିଟାଯିବ। ଏହାପରେ ଚତୁର୍ଦ୍ଧାମୂତ୍ତିଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ।

ଏହାପରେ ଶ୍ରୀଜୀଉଙ୍କୁ ଚନ୍ଦନଲାଗି କରାଯାଇ ନେତ୍ରୋତ୍ସବ ବନ୍ଦାପନା, ରୋଷହୋମ ଏବଂ ଯାତ୍ରାଙ୍ଗୀ ମହାସ୍ନାନ କରାଯିବ।

ଅପରାହ୍ଣରେ ରଥଖଳାକୁ ଆଜ୍ଞାମାଳ ବିଜେ କରିବେ। ପୂଜାପଣ୍ଡା ସେବକ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ସହ ଶୋଭାଯାତ୍ରାରେ ରଥଖଳାକୁ ଯିବେ। ଶ୍ରୀନଅର ସମ୍ମୁଖ ରଥଖଳାରୁ ତିନିରଥ ସିଂହଦ୍ଵାରକୁ ଅଣାଯିବ।

ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଏବଂ ପହୁଡଆଳତି ପରେ ଦଇତାପତିମାନେ ଶ୍ରୀମୁଖ ଖଣ୍ଡୁଆ, ବାହୁଟକଣ୍ଟ ଏବଂ ସେନାପଟା ଲାଗି କରିବେ। ରଥଯାତ୍ରା ପହଣ୍ଡି ପାଇଁ ମହାପ୍ରଭୁଙ୍କୁ ପ୍ରସ୍ତୁତ କରାଯିବ।

Comment