ଓଡ଼ିଶାଲାଇଭ ବ୍ୟୁରୋ

ମଧ୍ୟପ୍ରଦେଶରେ ଜଣେ ମହାନଗର ନିଗମ ଅଧିକାରୀଙ୍କୁ ବିଜେପି ବିଧାୟକ ବ୍ୟାଟରେ ମାରିବା ଘଟଣାରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୃଙ୍ଖଳା ଭାଙ୍ଗିଥିବା ବିଧାୟକଙ୍କୁ ମୋଦି ନାଲି ଆଖି ଦେଖାଇବା ସହିତ  କଠୋର ହୋଇଛନ୍ତି।

‘‘ବିଧାୟକଙ୍କ ଏଭିଳି ବ୍ୟବହାରକୁ ଆଦୌ ବରଦାସ୍ତ କରାଯିବନି। ସେ ଶିଷ୍ଟାଚାର ଶିଖିବା ସହିତ ଶୃଙ୍ଖଳିତ ହେବା ଉଚିତ। ଯେତେ ପ୍ରଭାବଶାଳୀଙ୍କୁ ପୁଅ ହୁଅନ୍ତୁ ନା କାହିଁକି ସେ ଦଣ୍ଡିତ ହେବେ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ବିଧାୟକଙ୍କ ସମର୍ଥନ କରିଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରାଯିବ‘‘, କହିଛନ୍ତି ମୋଦି।

ସେ ଆହୁରି କହିଛନ୍ତି ଯେ ଜନ ପ୍ରତିନିଧିଭାବେ ଶୃଙ୍ଖଳା ଭିତରେ ରହିବା ଦରକାର। ମଙ୍ଗଳବାର ବିଜେପି ସଂସଦୀୟ ଦଳ ବୈଠକରେ ଏହି ପ୍ରସଙ୍ଗରେ ମୋଦି ମନ୍ତବ୍ୟ ଦେଇଛନ୍ତି।

ମଧ୍ୟପ୍ରଦେଶ ଇନ୍ଦୋର-୩ର ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟ ଜଣେ ମହାନଗର ନିଗମ ଅଧିକାରୀଙ୍କୁ କ୍ରିକେଟ ବ୍ୟାଟରେ ମାଡ଼ ମାରିଥିଲେ। ବିଧାୟକ ବିଜୟବର୍ଗୀୟଙ୍କର ଜଣେ ସହଯୋଗୀଙ୍କ ଘରକୁ ଇନ୍ଦୋର ମହାନଗର ନିଗମ ବିପଦପୂର୍ଣ୍ଣ ବୋଲି ଘୋଷଣା କରିଥିଲେ। ଏଥିପାଇଁ ଏହି ଘରକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ଇନ୍ଦୋର ମହାନଗର ନିଗମ।  କିନ୍ତୁ ଏହାକୁ ବିରୋଧ କରିଥିଲେ ବିଧାୟକ ଆକାଶ।

ଘରକୁ ଭାଙ୍ଗିବାକୁ ଆସିଥିବା ଅଧିକାରୀଙ୍କୁ ସେ ଘର ଭାଙ୍ଗିବାକୁ ବାରଣ କରିଥିଲେ ଏବଂ ପରେ ବିଧାୟକ ଆକାଶ ଓ ତାଙ୍କର କିଛି ସହଯୋଗୀ ମିଶି ମହାନଗର ଅଧିକାରୀଙ୍କୁ ବ୍ୟାଟରେ ମାରିଥିଲେ।

ବିଧାୟକଙ୍କର  ଏହି ଦବଙ୍ଗଗିରିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପୋଲିସ ଆସି ଉକ୍ତ ଘଟଣାରେ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହାପରେ ବିଧାୟକ ଓ ତାଙ୍କ ୧୦ ସହେଯାଗୀଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ପରେ ତାଙ୍କୁ ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି।

Comment