ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀକ୍ଷେତ୍ରରେ ପହଣ୍ଡିରେ ଆସୁଛନ୍ତି ପ୍ରଭୁ ବଳଭଦ୍ର। ସୁଦର୍ଶନଙ୍କ ପହଣ୍ଡି ପଛକୁ ପଛ ଆରମ୍ଭ ହୋଇଛି ବଳଦେବଙ୍କ ପହଣ୍ଡି। ବଡ଼ ଠାକୁରଙ୍କୁ ବାଇଶି ପାହଚ ଦେଇ ସେବକମାନେ ରଥକୁ ଆଣୁଛନ୍ତି।

ବଳଦେବଙ୍କୁ ବଡ଼ଦାଣ୍ଡରେ ଅପେକ୍ଷା କରି ରହିଛି ତାଳଧ୍ୱଜ ରଥ। ଏହି ରଥର ଚଉଦଟି ଚକ ଯାହାକି ଚତୁର୍ଦ୍ଦଶ ମନ୍ୱନ୍ତର ସହ ତୁଳନା କରାଯାଏ।

Shree Balabhadra Pahandi

ସୁଦର୍ଶନଙ୍କୁ ସେବାୟତମାନେ କାନ୍ଧରେ ଧରି ପହଣ୍ଡି କରି ଆଣିଥା’ନ୍ତି। ସେହିଭଳି ଦେବୀ ସୁଭଦ୍ରାଙ୍କୁ ମଧ୍ୟ କାନ୍ଧରେ ଧରି ପହଣ୍ଡି ବିଜେ କରିଥା’ନ୍ତି ସେବାୟତମାନେ। ହେଲେ ବଡ଼ ଠାକୁର ବଳଦେବ ଏବଂ କାଳିଆ ଠାକୁର ଜଗନ୍ନାଥ ଧୀରେ ଧୀରେ, ହଲି ହଲି, ପାହଚ ପରେ ପାହଚ ଦେଇ ପହଣ୍ଡିରେ ଆସିଥାନ୍ତି।

ବାଇଶି ପାହଚ ଅତିକ୍ରମ କରି ସିଂହଦ୍ୱାର ଗୁମୁଟ ଦେଇ ଶ୍ରୀଜୀଉମାନେ ବଡ଼ଦାଣ୍ଡକୁ ଆସିଥା’ନ୍ତି। ସିଂହଦ୍ୱାରରେ ପହଣ୍ଡିରେ ଠାକୁରମାନଙ୍କୁ ପ୍ରଥମେ ଦର୍ଶନ କରିବାକୁ ଦର୍ଶକମାନଙ୍କ ମଧ୍ୟରେ ଅପୂର୍ବ ଆବେଗ ଦେଖିବାକୁ ମିଳିବ।

ଆଜି ସକାଳେ ଶ୍ରୀମନ୍ଦିରରେ ବିଭିନ୍ନ ନୀତି ନିର୍ଦ୍ଦାରିତ ସମୟରେ ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ ହୋମ କରାଯାଇଛି। ପରେ ପରେ ରଥ ପ୍ରତିଷ୍ଠା କରାଯାଇଥିଲା।

ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଶ୍ରୀଜିଉମାନେ ଆସିଲା ବେଳେ ଧାଡ଼ି ପହଣ୍ଡି କରାଯାଇଥାଏ। ତେଣୁ ସୁଦର୍ଶନଙ୍କ ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷର ଶ୍ରୀଜଗନ୍ନାଥଙ୍କ ପହଣ୍ଡି କରାଯାଉଛି।

ପହଣ୍ଡିର ଅନ୍ୟତମ ଆକର୍ଷଣ ହେଉଛି ଘଣ୍ଟୁଆମାନଙ୍କ ପାରମ୍ପରିକ ଘଣ୍ଟୁଆ ନାଦ। ତା’ସାଙ୍ଗକୁ ଆଲଟ ଚାମର କରି ଶ୍ରୀଜୀଉମାନଙ୍କୁ ୨୨ ପାହାଚ ଦେଇ ରଥକୁ ପହଣ୍ଡି କରି ନିଆଯାଇଥାଏ।

ପୁରୀରେ ଶ୍ରୀଗୁଣ୍ଡିଚା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ଦଶ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି।

Comment