ଓଡ଼ିଶାଲାଇଭ୍ ବ୍ୟୁରୋ

 ଚତୁର୍ଦ୍ଧାମୁର୍ତ୍ତିଙ୍କ ପହଣ୍ଡି ଶେଷ ହୋଇଛି। ଧାଡ଼ି ପହଣ୍ଡିରେ ତିନି ରଥକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୁର୍ତ୍ତି। ପ୍ରଥମେ ଶ୍ରୀ ସୁଦର୍ଶନ ଏବଂ ପରେ ବଡ଼ଠାକୁର, ତା’ପରେ ଦେବୀ ସୁଭଦ୍ରା ଏବଂ ପରି ଶେଷରେ ଶ୍ରୀଜଗନ୍ନାଥ ରଥ ଉପରେ ବିଜେ କରିଛନ୍ତି।

ଏବେ ଛେରାପହଁରା କାର୍ଯ୍ୟକୁ ଅପେକ୍ଷା। ପରମ୍ପରା ଅନୁଯାୟୀ ପୁରୀ ରାଜା ଦିବ୍ୟ ସିଂହ ଦେବ ଆସି ଛେରାପହଁରା କରି ସାରିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ଛେରାପହଁରା ନୀତି ସରିବା ପରେ ରଥଟଣା ହେବ। ଏନେଇ ଭକ୍ତମାନେ ଅପେକ୍ଷା କରିଛନ୍ତି।

ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ ଦ୍ୱାରପାଳ ପୂଜା ପରେ ବେଶଶେଷ, ଗୋପାଳ ବଲ୍ଲଭ ଓ ସକାଳ ଧୂପ ଶେଷ ହୋଇଥିଲା। ଏହାପରେ ଆରମ୍ଭ ହୋଇଥିଲା ପହଣ୍ଡି। ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡିରେ ନିଆଯାଇଥିଲା।

ଏହାପରେ ବଡଭାଇ ବଳଦେବ ପହଣ୍ଡିରେ ଆଡ଼ପ ମଣ୍ଡପରୁ ଝୁଲିଝୁଲି ରଥକୁ ଆସିଥିଲେ। ତାଙ୍କ ପଛକୁ ଭଉଣୀ ସୁଭଦ୍ରାଙ୍କ ପହଣ୍ଡିରେ ନିଆଯାଇଛି। ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ ହୋଇଥିଲା।

ଘଣ୍ଟ, କାହାଳୀ, ଶବ୍ଦରେ କମ୍ପି ଉଠୁଛି ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ। ବଡ଼ଦାଣ୍ଡରେ ଅନେକ ଭକ୍ତ ବିଭିନ୍ନ ବେଶରେ ନୃତ୍ୟ ମାଧ୍ୟମରେ ସେମାନଙ୍କ ଭକ୍ତିଭାବ ପ୍ରଦର୍ଶନ କରୁଛନ୍ତି। ଓଡ଼ିଶୀ କଳାକାରମାନେ ମଧ୍ୟ ନୃତ୍ୟ ପରିବେଷଣ କରି ଶ୍ରୀକ୍ଷେତ୍ରରେ ଏକ ଅପୂର୍ବ ଭକ୍ତିର ପରିବେଶ ସୃଷ୍ଟି କରୁଛନ୍ତି।

ମଝିରେ ମଝିରେ ବନାଟି କଳାକାରମାନେ ସେମାନଙ୍କ ଅପୂର୍ବ କଳା ପ୍ରଦର୍ଶନ କରୁଛନ୍ତି।

ପହଣ୍ଡିର ଅନ୍ୟତମ ଆକର୍ଷଣ ହେଉଛି ଘଣ୍ଟୁଆମାନଙ୍କ ପାରମ୍ପରିକ ଘଣ୍ଟୁଆ ନାଦ। ତା’ସାଙ୍ଗକୁ ଆଲଟ ଚାମର କରି ଶ୍ରୀଜୀଉମାନଙ୍କୁ ୨୨ ପାହାଚ ଦେଇ ରଥକୁ ପହଣ୍ଡି କରି ନିଆଯାଇଥାଏ।

ପୁରୀରେ ଶ୍ରୀଗୁଣ୍ଡିଚା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Comment