ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ କେନ୍ଦ୍ର ବଜେଟରେ ‘ମେକ ଇନ ଇଣ୍ଡିଆ’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗଗୁଡ଼ିକ ଉପରେ ଧ୍ୟାନ ଦିଆଯାଇଛି। ଏମଏସଏମଇଗୁଡ଼ିକ ପାଇଁ ଋଣ ପ୍ରଦାନକୁ ସହଜ ଓ ସୁଗମ କରାଯିବା ଲାଗି ସରକାର ଅନଲାଇନ ପୋର୍ଟାଲ ମାଧ୍ୟମରେ  ୫୯ ମିନିଟରେ ୧ କୋଟି ଟଙ୍କାର ୠଣ ପ୍ରଦାନ କରିବା ଲାଗି ଏକ ଯୋଜନାର ଶୁଭାରମ୍ଭ କରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଏସଟି ପଞ୍ଜିକୃତ ସମସ୍ତ ଏମଏସଏମଇଗୁଡିକୁ ନୂତନ ଓ  ବଢ଼ିଥିବା ଋଣ ଉପରେ ଶତକଡା ୨ ପ୍ରତିଶତ ହାରରେ ୩୫୦ କୋଟି ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯିବ।

ସରକାର ବାର୍ଷିକ ୧.୫ କୋଟିରୁ କମ କାରବାର କରୁଥିବା ଛୋଟ ଦୋକାନୀ ଓ ଖୁଚୁରା ବିକ୍ରେତାମାନଙ୍କୁ ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନା ଅଧୀନରେ ପେନସନ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ସ୍କିମ ଅଫ୍ ଫଣ୍ଡ ଫର ଅପଗ୍ରେଡେସନ ଆଣ୍ଡ ରିଜେନେରେସନ ଅଫ ଟ୍ରାଡିସନାଲ ଇଣ୍ଡଷ୍ଟ୍ରିଜ୍ (ସ୍ଫୂର୍ତ୍ତି) ଅଧୀନରେ ୧୦୦ଟି ନୂତନ କ୍ଲଷ୍ଟର ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ୫୦ ହଜାର କାରିଗର ଉପକୃତ ହେବ।

ସ୍କିମ ଫର ପ୍ରମୋସନ ଅଫ ଇନୋଭେସନ, ରୁରାଲ ଇଣ୍ଡଷ୍ଟ୍ରିଜ୍ ଆଣ୍ଡ ଅନ୍ତପ୍ରେନୋୟରସିପ୍‌(ଆସପାୟାର) ଅଧୀନରେ କୃଷି-ଗ୍ରାମୀଣ ଶିଳ୍ପ କ୍ଷେତ୍ରରେ ୭୫ ହଜାର ଦକ୍ଷ ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ୮୦ଟି ଜୀବିକା ବ୍ୟବସାୟ ଇନକ୍ୟୁବେଟର୍ସ (ଏଲବିଆଇ) ଓ ୨୦ଟି ପ୍ରଯୁକ୍ତି ବ୍ୟବସାୟ ଇନକ୍ୟୁବେଟର୍ସ (ଟିବିଆଇ) ପ୍ରତିଷ୍ଠା କରାଯିବ।

ପରୋକ୍ଷ କର ମାଧ୍ୟମରେ ମେକ ଇନ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ଲାଗି କେନ୍ଦ୍ର ବଜେଟରେ ମଧ୍ୟ ପ୍ରସ୍ତାବ ରହିଛି। ଏହା ଏମଏସଏମଇ କ୍ଷେତ୍ରକୁ ମଧ୍ୟ ସହାୟକ ହୋଇପାରେ।

Comment