ଓଡ଼ିଶାଲାଇଭ ବ୍ୟୁରୋ

ପାକିସ୍ତାନର ଭେଟରାନ କ୍ରିକେଟର ସୋଏବ ମଲ୍ଲିକ ଶୁକ୍ରବାର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଚଳିତ ବିଶ୍ଵକପର ବାଂଲାଦେଶ ବିପକ୍ଷରେ ଶେଷ ଲିଗ ମ୍ୟାଚ ପରେ ଏହି ଘୋଷଣା କରିଛନ୍ତି।

ସେ ତାଙ୍କ ଶେଷ ଦିନିକିଆ ଚଳିତ ବିଶ୍ଵକପରେ ଭାରତ ବିପକ୍ଷରେ ଖେଳିଥିଲେ। ଶେଷ ଲିଗ୍ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳିବାକୁ ତାଙ୍କୁ ସୁଯୋଗ ମିଳିନଥିଲା। ଏହି ମ୍ୟାଚ ଶେଷ ହେବା ପରେ ସୋଏବ ଟ୍ଵିଟରରେ ଅବସର ଘୋଷଣା କରିଥିଲେ।

ସୋଏବ ଟ୍ଵିଟ କରିଥିଲେ ଯେ,”ଆଜି ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରୁଛି। ମୁଁ ଖେଳିଥିବା ଖେଳାଳି, କୋଚ, ମୋ ପରିବାର ଓ ମୋ ଫ୍ୟାନମାନଙ୍କୁ ଧନ୍ୟବାଦ ଜଣାଉଛି।“

ବିଜୟ ପରେ ପାକିସ୍ତାନ ଏକ ପ୍ରେସ କନଫରେନ୍ସ କରି କ୍ରିକେଟର ସୋଏବ ମଲ୍ଲିକଙ୍କୁ ଫେରଓ୍ଵେଲ ଦେଇଥିଲେ। ସବୁ ଖେଳାଳି ବାଉଣ୍ଡ୍ରି ପାଖରେ ଛିଡ଼ା ହୋଇ ସୋଏବଙ୍କୁ ଡ୍ରେସିଙ୍ଗ ରୁମକୁ ପଠାଇଥିଲେ। ସେ ବିଶ୍ଵକପ ପୂର୍ବରୁ ହିଁ ଘୋଷଣା କରିଥିଲେ ଯେ ଏହା ତାଙ୍କର ଶେଷ ବିଶ୍ଵକପ।

ଏହି ୩୭ବର୍ଷିୟ ଖେଳାଳି ୨୮୭ଟି ଦିନିକିଆ ମ୍ୟାଚ ଖେଳି ୭,୫୩୪ରନ କରିଛନ୍ତି। ଏଥିରେ ୯ଟି ଶତକ ଓ ୪୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ବୋଲିଂରେ ମଧ୍ୟ ୧୫୮ଟି ଓ୍ଵିକେଟ ହାସଲ କରିଛନ୍ତି।

ସୋଏବ ୨୦୧୫ରେ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଥିଲେ ବର୍ତ୍ତମାନ ଦିନିକିଆରୁ ନେଇଛନ୍ତି। ବର୍ତ୍ତମାନ କେବଳ ଟି-୨୦ ଫର୍ମାଟ ଖେଳିବେ।

Comment