ଓଡ଼ିଶାଲାଇଭ୍ ବ୍ୟୁରୋ
ବାରିପଦାରେ ଅନୁଷ୍ଠିତ ରଥଯାତ୍ରା ୧୯୭୫ ମସିହାରେ ରଚିଥିଲା ଏକ ଇତିହାସ, ଯାହାକୁ ଆଜି ରାଜ୍ୟ ତଥା ରାଜ୍ୟ ବାହାରେ ଅନ୍ୟମାନେ ଅନୁସରଣ କରୁଛନ୍ତି।
(ବାରିପଦାରୁ ରାଧାଶ୍ୟାମ ପ୍ରଧାନ): ପବିତ୍ର ଗୁଣ୍ଡିଚା ଯାତ୍ରା ଅବସରରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀହରିବଳଦେବ ଜୀଉଙ୍କ ଏହି ଅଭିନବ ଯାତ୍ରାରେ କିଛିଟା ସ୍ୱତନ୍ତ୍ରତା ଏବଂ ପାରମ୍ପରିକତାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ପ୍ରଥମତଃ ବାରିପଦାରେଏହି ରଥଯାତ୍ରା ୩ଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ। ପ୍ରଥମ ଦିନ ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ରଥାରୁଢ଼ କରାଯାଇଥାଏ। ପରବର୍ତ୍ତି ଦୁଇଦିନ ବାରିପଦାର ବଡ଼ଦାଣ୍ଡରେ ରଥ ଗଡ଼ିଥାଏ ଗୁଣ୍ଡିଚା ମନ୍ଦିର ଅଭିମୁଖେ।
ମୟୂରଭଞ୍ଜର ତତ୍କାଳିନ ମହାରାଜା ବୈଦ୍ୟନାଥ ଭଞ୍ଜଙ୍କ ସମୟରୁ ଆରମ୍ଭ କରାଯାଇଥିବା ଏହି ପାରମ୍ପରିକ ଯାତ୍ରାକୁ ତିନିଦିନ ଧରି କରାଯାଉଛି। କିମ୍ବଦନ୍ତି କହେ କି ତତ୍କାଳିନ ମହାରାଜା ବୈଦ୍ୟନାଥ ଭଞ୍ଜ ନିଜର ପାରିଷଦ ସଙ୍ଗରେ ଧରି ପୁରୀ ଯାଉଥିଲେ ରଥଯାତ୍ରା ଦେଖିବାକୁ। ତାଙ୍କର ଏହି ଯାତ୍ରାକୁ ସେ ସମୟର ପୁରୀ ରାଜା ଭିନ୍ନ ଦୃଷ୍ଟିରେ ଦେଖିଥିଲେ। ତାଙ୍କୁ ଅଠରନଳା ନିକଟରେ ଅଟକି ରହିବାକୁ କୁହାଯାଇଥିଲା।
ମହାରାଜା ବୈଦ୍ୟନାଥ ଭଞ୍ଜ ରାତିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରିଥିଲେ। ପରେ ତାଙ୍କୁ ସ୍ଵପ୍ନାଦେଶ ହୋଇଥିଲା ଯେ ବାରିପଦାକୁ ଫେରିଯାଇ ସେଠାରେ ଜଗନ୍ନାଥଙ୍କୁ ପ୍ରତିଷ୍ଠା କର। ସ୍ଵଭାବତଃ ମୟୂରଭଞ୍ଜର ତତ୍କାଳିନ ମହାରାଜା ସବୁ ଧର୍ମକୁ ପ୍ରାଧାନ୍ୟ ଦେଉଥିଲେ ବି ନିଜେ ଗୌଡ଼ୀୟ ବୈଷ୍ଣବ ଧର୍ମକୁ ଅଗ୍ରାଧିକାର ଦେଉଥିଲେ। ସେହି ସମୟରୁ ମୟୂରଭଞ୍ଜର ତତ୍କାଳିନ ରାଜଧାନୀ ବାରିପଦାଠାରେ ପ୍ରତିଷ୍ଠା ହୋଇଥିଲା ଶ୍ରୀହରି ବଳଦେବଜୀଉଙ୍କ ମନ୍ଦିର। ଏବଂ ସେହି ସମୟରୁ ଅନୁଷ୍ଠିତ ହୋଇଆସୁଛି ପାରମ୍ପରିକ ରଥଯାତ୍ରା। କିନ୍ତୁ ତତ୍କାଳୀନ ମୟୂରଭଞ୍ଜ ସାମ୍ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକେ ଗୋଟିଏ ଦିନରେ ଏହି ରଥଯାତ୍ରାରେ ଅଂଶଗ୍ରହଣ କରି ନିଜ ଘରକୁ ଫେରିବା କଷ୍ଟକର ବ୍ୟାପାର ହେଉଥିବାରୁ ପ୍ରଜାମାନଙ୍କ ମନୋରଞ୍ଜନ ପାଇଁ ଏହି ରଥକୁ ୩ଦିନ ବ୍ୟାପି ଆୟୋଜିତ କରାଯାଇଛି।
ତେବେ କଳା, ସଂସ୍କୃତି ପ୍ରୀତି ରଖିଥିବା ମୟୂରଭଞ୍ଜର ବୁଦ୍ଧିଜୀବୀମାନେ ସବୁ ସମୟରେ କିଛି ନୂତନତ୍ଵ ପ୍ରତି ରୁଚି ରଖିଥା’ନ୍ତି। ଏହିଭଳି କିଛି ବୁଦ୍ଧିଜୀବୀ ଏବଂ ତତ୍କାଳିନ ଜିଲ୍ଲା ପ୍ରଶାସନର ଆଲୋଚନା କ୍ରମେ ଗତ ୧୯୭୫ ମସିହା ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବାରିପଦା ରଥକୁ ଏକ ନୂଆ ରୂପ ଦେବାକୁ ସ୍ଥିର କରିଥିଲେ। ସେହି ବର୍ଷଠାରୁ ବାରିପଦାର ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳାମାନେ ଟାଣିବା ଆରମ୍ଭ ହୋଇଥିଲା। ଏହି ପରମ୍ପରା ଆଜି ବି କେବଳ ଉଜ୍ଜିବିତ ହୋଇ ରହି ନାହିଁ ବରଂ ବାରିପଦା ରଥର ପ୍ରମୂଖ ଆକର୍ଷଣ ପାଲଟିଛି ସୁଭଦ୍ରାଙ୍କ ରଥ।
ଆଜି ତାହା କେବଳ ଜିଲ୍ଲା କିମ୍ବା ରାଜ୍ୟ ମଧ୍ୟରେ ସୀମିତ ହୋଇ ରହିନାହିଁ। ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ମହିଳାମାନେ ଏଥିରେ ଅଂଶଗ୍ରହଣ କରି ନିଜକୁ ଧନ୍ୟ ମନେକରୁଛନ୍ତି। ବାରିପଦାର ପରମ୍ପରା ମୁତାବକ ରଥାରୁଢ଼ ଥିବା ଶ୍ରୀଜୀଉମାନଙ୍କ ମଧ୍ୟରୁ ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ଵଜରଥ ବାରିପଦାର ବଡ଼ଦାଣ୍ଡରେ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଅଭିମୁଖେ ପୂର୍ବନିର୍ଦ୍ଧାରିତ ସୂଚନା ମୁତାବକ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳାମାନେ ଟାଣିଥିଲେ।
ମା’ ଜଗତଜନନୀ, ଶକ୍ତି ସ୍ଵରୂପିଣି ମା’ ସୁଭଦ୍ରାଙ୍କ ଦେବଦଳନ ରଥ ଟାଣିବା ସମୟରେ ବାରିପଦାର ବଡ଼ଦାଣ୍ଡର ଅପୂର୍ବ ଶୋଭା ଦେଖିବାକୁ ମିଳିଥିଲା। ହଜାର ହଜାର ମା’ ଭଉଣୀମାନେ ଏହି ରଥ ଦଉଡ଼ି ଭିଡୁଥିବା ବେଳେ ସତେ ଯେମିତି ମା’ ସୁଭଦ୍ରା ଭକ୍ତମାନଙ୍କୁ ଆବେଗ ଭିତରେ ନିଜକୁ ହଜାଇ ଦେଇଥିଲେ। ଦେବୀ ସୁଭଦ୍ରାଙ୍କ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବାରିପଦା ବଡ଼ଦାଣ୍ଡର ଶୋଭାମଣ୍ଡନ କରିଥିଲା।ଏହି ମହାନ ପାରମ୍ପରିକ ଯାତ୍ରା ସହିତ ମିନାବଜାର ଏବଂ ରଙ୍ଗବେରଙ୍ଗ ମେଳା ଲୋକମାନଙ୍କୁ ବେଶ ଆକୃଷ୍ଟ କରିଥାଏ।
ବର୍ଷକରେ ଥରେ ଆସୁଥିବା ଏହି ମହାନ ପାରମ୍ପରିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ସତେ ଯେମିତି ଶ୍ରଦ୍ଧାଳୁମାନେ ବର୍ଷ ତମାତ ଅପେକ୍ଷା କରି ରହିଥାନ୍ତି। ବାରିପଦାର ବଡ଼ଦାଣ୍ଡ ସତେ ଯେମିତି ଜଗନ୍ନାଥମୟ ହୋଇପଡ଼ିଥିଲ।। ତିନୋଟି ରଥ ଆସି ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ସାନଭଉଣୀକୁ ସାଙ୍ଗରେ ନେଇ ଦୁଇ ଭାଇ ପହଣ୍ଡିବିଜେ କରିଥିଲେ ମାଉସୀ ଘର ପୋଡ଼ ପିଠା ଖାଇବାକୁ।
ଏହାପରେ ଆଉ ଏକ ସ୍ଵତନ୍ତ୍ରତା ଦେଖିବାକୁ ମିଳିଥାଏ ବାରିପଦାର ବଡ଼ଦାଣ୍ଡରେ। ଯେଉଁ ଶ୍ରଦ୍ଧାଳୁ ଭକ୍ତମାନେ ମହାପ୍ରଭୁମାନଙ୍କ ରଥକୁ ଟାଣିଟାଣି ଆଣି ମାଉସୀ ଘରେ ପହଞ୍ଚାଇଛନ୍ତି, ସେମାନଙ୍କୁ ଅବା ନିରାଶ କିପରି କରିଥାନ୍ତେ। ଶେଷରେ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ରଥ ଉପରୁ ଫୋପଡ଼ା ଯାଇଥାଏ ଶ୍ରଦ୍ଧାଲଡୁ।
ବର୍ଷଟିଏ ଅପେକ୍ଷା କରି ରହିଥିବା ଭକ୍ତମାନଙ୍କ ପାଇଁ ଗୁଡ଼ ଆଉ ବେସନରେ ପ୍ରସ୍ତୁତ ଏହି ସୁଆଦିଆ ଲଡୁ ସତେ ଯେମିତି ଅମୃତସମାନ। ରଥ ଉପରୁ ଫିଙ୍ଗାଯାଉଥିବା ଏହି ଲଡୁକୁ ପାଇବାକୁ ଭକ୍ତ ପାଗଳ ହୋଇପଡ଼ିଥାନ୍ତି। ଏହିଭଳି ଏକ ଆଧ୍ୟାତ୍ମିକ ତଥା ପାରମ୍ପରିକ କାର୍ଯ୍ୟକ୍ରମର ମଜ୍ଜାନେବାକୁ ବାରିପଦାର ବଡ଼ଦାଣ୍ଡ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଜନସମୂଦ୍ରରେ ପରିଣତ ହୋଇପଡ଼ିଥିଲା। ଏହିପରି ଏକ ନିଆରା ପରମ୍ପରାକୁ ଉପଭୋଗ କରିବାକୁ ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ପଡ଼ୋଶୀ ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ବିହାର ରାଜ୍ୟରୁ ଶ୍ରଦ୍ଧାଳୁମାନଙ୍କ ସୁଅ ଛୁଟିଥାଏ।