ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା ଅଗ୍ନିପୁର ପଞ୍ଚାୟତର ଲଳିତା ଦେଇପୁର ଶାସନର ଲଳିତେଶ୍ୱରଙ୍କ ପୀଠରୁ ନବରଙ୍ଗପୁର ଜିଲ୍ଲା ଲୋକ ମହୋତ୍ସବ ମଣ୍ଡେଇର ଶୁଭାରମ୍ଭ ହୋଇଯାଇଛି। ପୀଠରେ ପୂଜାର୍ଚ୍ଚନା ସରିବା ପରେ ସେଠାରୁ ମଶାଲ ପ୍ରଜ୍ଵଳିତ କରାଯାଇ ଢୋଲ, ବାଜା, ନାଚ ଗୀତରେ ଏକ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରା ଶାସନସ୍ଥିତ ହାଇସ୍କୁଲ ଖେଳ ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲା। ସେହି ପଡ଼ିଆରେ ମଣ୍ଡେଇ ଲୋକ ମହୋତ୍ସବ, ପଲ୍ଲୀଶ୍ରୀ ମେଳାର ଉଦ୍‌ଘାଟନ ହୋଇଥିଲା।

ଏହି ଉଦଘାଟନୀ ସଭାରେ ନବରଙ୍ଗପୁର ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଡକ୍ଟର ଅଜିତ କୁମାର ମିଶ୍ର ଅଧ୍ୟକ୍ଷତା କରି ମଣ୍ଡେଇର ମହତ୍ଵ ସମ୍ପର୍କରେ କହିଥିଲେ। ଆଦିବାସୀ ଲୋକ କଳା ଲୋକ ସଂସ୍କୃତି ପୁନଃ ଉଦ୍ଧାର କରିବା ପାଇଁ ମଣ୍ଡେଇ ଉତ୍ସଵ ପାଳନ କରାଯାଉଛି।

ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତରା ପ୍ରମୁଖ ଯୋଗ ଦେଇଥିଲେ। ଏହି ମଣ୍ଡେଇ ଉଦଘାଟନୀ ଉତ୍ସବରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ, ଜିଲ୍ଲା ବିଜେଡି ସଭାପତି ପ୍ରହଲ୍ଲାଦ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ବେଦବ୍ୟାସ ଭତରା, ଜିଲ୍ଲା ବିଜେପି ସଭାପତି ଗୋବିନ୍ଦ ଜୈନ, ବ୍ଲକ ଅଧ୍ୟକ୍ଷା ହୀରାମଣି ପୂଜାରୀ, ସମିତି ସଭ୍ୟ ସୁକଦେଵ ଭକ୍ତ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମଞ୍ଜୁଳା ମାଝୀ, ଅତିରିକ୍ତ ଜିଲ୍ଲାପାଳ ନିମାଇଁ ଚରଣ ସୁତାର ପ୍ରମୁଖ ଯୋଗ ଦେଇଥିଲେ।

ଏହି ମଣ୍ଡେଇ ଉଦଘାଟନୀ ସଭାରେ ନବରଙ୍ଗପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Comment