ଓଡ଼ିଶାଲାଇଭ୍ ବ୍ୟୁରୋ

ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ବିଜୟ ଯାତ୍ରାରେ ବଳି ପଡ଼ିଲେ ଶହ ଶହ ପଶୁପକ୍ଷୀ।

ରକ୍ତରଞ୍ଜିତ ହୋଇଛି ମା’ ମାଣିକେଶ୍ୱରୀ ପୀଠ। କଳାହାଣ୍ଡି ଜିଲ୍ଲାର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରବିବାର ମା’ଙ୍କ ଛତର ବିଜୟ ଯାତ୍ରା ଅବସରରେ ରାଜରାସ୍ତାରେ ହଜାର ହଜାର ସଂଖ୍ୟାରେ ପଶୁପକ୍ଷୀ ବଳି ଦେବା ପ୍ରଥା ବର୍ତ୍ତମାନ ଚର୍ଚ୍ଚାର କାରଣ ପାଲଟିଛି।

ମହାଷ୍ଟମୀ ଦିନ ମଧ୍ୟରାତ୍ରିରେ ମହାବଳୀ ଦିଆଯିବାପରେ ମା’ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତରକୁ ମନ୍ଦିର ବାହାରକୁ ଅଣାଯାଇଥିଲା। ମନ୍ଦିରର ଉତ୍ତର ଦ୍ୱାର ନିକଟରେ ଥିବା ବୁଢ଼ାରଜା ମନ୍ଦିର ସମ୍ମୁଖରେ ମା’ଙ୍କୁ ପୋଢ଼ବଳି ଦିଆଯାଇଥିଲା। ଏହାପରେ ମା’ଙ୍କ ଚଳନ୍ତି ପ୍ରତିମାକୁ ଜେନାଖୋଲ ପର୍ଯ୍ୟନ୍ତ ନିଆଯାଇଥିଲା।

ଏହାପରେ ରବିବାର ନବମୀ ତିଥିରେ ଭୋର ସମୟରେ ମା’ଙ୍କ ପାଖରେ ବୋଦା ବଳି ଦିଆଯିବା ସହ ବିଭିନ୍ନ ଗୁପ୍ତ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ମା’ଙ୍କ ଚଳନ୍ତି ପ୍ରତିମାକୁ ମନ୍ଦିର ପ୍ରତ୍ୟାବର୍ତ୍ତନ କରାଯାଇଥିଲା। ଏହି ସମୟରେ ୪କିଲୋମିଟର ଦୀର୍ଘ ରାଜପଥରେ ହଜାର ହଜାର ସଂଖ୍ୟାରେ ପଶୁପକ୍ଷୀଙ୍କ ବଳି ଦିଆଯାଇଥିଲା। ଏପରିକି ଜେନାଖୋଲରୁ ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଥିବା ରାସ୍ତା ରକ୍ତରେ ଓଦା ହୋଇଯାଇଥିବା ଦେଖିବାକୁ ମିଳିଲା।

ଏହି ଶୋଭାଯାତ୍ରା ଯାଉଥିବାବେଳେ ଶ୍ରଦ୍ଧାଳୁମାନେ ଶହ ଶହ ସଂଖ୍ୟାରେ ବୋଦା, ଛେଳି, କୁକୁଡ଼ା ଆଦି ବଳି ଦେଉଛନ୍ତି। ଫଳରେ ଜେନାଖାଲଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ରକ୍ତରଞ୍ଜିତ ହୋଇଯାଇଛି।

ତେବେ ବଳି ବନ୍ଦ କରିବା ପାଇଁ ପୂର୍ବରୁ ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ଘୋଷଣା କରାଯାଇଥିଲା। ହେଲେ ପୂର୍ବରୁ ଚାଲିଆସିଥିବା ଏହି ବଳି ପ୍ରଥା ବନ୍ଦ କରିବାକୁ ପ୍ରଶାସନ ବିଫଳ ହୋଇଛି।

ରବିବାର ଘୁମୁରା, ନିଶାନ୍, ଘଣ୍ଟର ଆଦି ବାଦ୍ୟରେ ପ୍ରକମ୍ପିତ ହୋଇଥିଲା ଭବାନୀପାଟଣା ସହର। ଏହାରି ମଧ୍ୟରେ ଅପରାହ୍‌ଣରେ ମନ୍ଦିରକୁ ପତ୍ୟାବର୍ତ୍ତନ କରିଥିଲେ ଭବାନୀପାଟଣାର ଅଧିଷ୍ଠାତ୍ରୀ ମା ମାଣିକେଶ୍ୱରୀ।

Comment