ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱକପ୍‌ରେ ଆଉ ମାତ୍ର ୩ଟି ମ୍ୟାଚ୍ ବାକି ରହିଥିବାବେଳେ ଆଜି ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ। ବିଶ୍ୱକପର ଫାଇନାଲରେ ପ୍ରବେଶ କରିବା ପାଇଁ ଦୁଇଦଳ ପାଖରେ ଏହା ସୁବର୍ଣ୍ଣ ସୁଯୋଗ। ଉଭୟ ଦଳ ଏହି ମ୍ୟାଚ୍ରେ ଜିତି ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଆଶା ରଖିଛନ୍ତି। ଆଜି ଇଂଲଣ୍ଡର ମାଞ୍ଚେଷ୍ଟରର ଓଲଡ୍ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଭାରତୀୟ ସମୟ ଦିନ ୩ଟାରେ ଏହି ମ୍ୟାଚ୍ ଖେଳାଯିବ।

ଦୁଇଦଳକୁ ଦେଖିଲେ ନ୍ୟୁଜିଲାଣ୍ଡ ତୁଳନାରେ ଭାରତ ଏହି ମ୍ୟାଚରେ ଫେଭରେଟ୍‌ ମାନ୍ୟତା ପାଇଛି। ଚଳିତ ବିଶ୍ୱକପରେ ଭାରତ ମୋଟ୍ ୧୫ ପଏଣ୍ଟ ସହ ଲିଗ୍ ପର୍ଯ୍ୟାୟରେ ପ୍ରଥମ ହୋଇ ସେମିଫାଇନାଲରେ ପହଞ୍ଚିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ୯ଟିରୁ ୫ଟି ବିଜୟ ଏବଂ ଗୋଟିଏ ମ୍ୟାଚ୍ ବାତିଲ୍ ହୋଇ ମୋଟ୍ ୧୧ ପଏଣ୍ଟ ସହ ଚତୁର୍ଥ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି।

ଭାରତ ତରଫରୁ ବ୍ୟାଟିଂର ଭାର ସମ୍ଭାଳିବେ ଓପନର୍ ରୋହିତ ଓ ରାହୁଲ। ଏଥିସହ ବିରାଟ କୋହଲି ଏବଂ ରିଷଭ ପନ୍ଥଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଏଥିସହ ପଞ୍ଚମ ସ୍ଥାନ ପାଇଁ କେଦାର ଯାଦବ କିମ୍ବା ଦିନେଶ କାର୍ତ୍ତିକ୍‌ଙ୍କୁ ଭଲ ଖେଳିବାକୁ ପଡ଼ିବ।

ସେହିଭଳି ବୋଲିଂ ବିଭାଗରେ ବର୍ତ୍ତମାନ ସୁଦ୍ଧା ଭାରତ ଦଳଗତ ପ୍ରଦର୍ଶନ ଜାରି ରଖିଛି। ବୁମରାଙ୍କ ଚମତ୍କାର ବୋଲିଂ ବିଶ୍ୱକପରେ ବ୍ୟାଟ୍ସମ୍ୟାନମାନଙ୍କୁ ବହୁ ଅସୁବିଧାରେ ପକାଇଛି। ଏହି ମ୍ୟାଚ୍‌ରେ ସାମି ଏବଂ ଭୁବନେଶ୍ୱରଙ୍କ ମଧ୍ୟରୁ ସାମିଙ୍କ ଖେଳିବା ଆଶା ଅଧିକ ରହିଛି।

ସେପଟେ ନ୍ୟୁଜିଲାଣ୍ଡ ଦଳ ନିଜର ବୋଲିଂ ବଳରେ ଭାରତକୁ ଚକମା ଦେବାକୁ ଲକ୍ଷ୍ୟ ରଖିଛି। ଦୁଇ ପେସ୍ ବୋଲର ଟ୍ରେଣ୍ଡ ବୋଲ୍ଟ ଓ ମ୍ୟାଟ୍ ହେନେରି ଚଳିତ ବିଶ୍ୱକପରେ ୧୫ ଏବଂ ୧୦ଟି ୱିକେଟ୍ ନେଇ ସାରିଲେଣି। ଏଥିସହ ଏହି ମ୍ୟାଚ୍‌ରେ ଲୋକି ଫର୍ଗୁସନ୍ ଦଳକୁ ଫେରିପାରନ୍ତି। ତାଙ୍କ ସହ ମିଚେଲ ସାଣ୍ଟନର୍ ଏକମାତ୍ର ସ୍ପିନର୍ ଭାବେ ଦଳରେ ରହିବେ। ଏଥିସହ ବ୍ୟାଟିଂରେ ନ୍ୟୁଜିଲାଣ୍ଡର ନେତୃତ୍ୱ ନେବେ ଅଧିନାୟକ କେନ୍ ୱିଲିୟମ୍‌ସନ। ଏଥିସହ ରସ୍ ଟେଲର ଏବଂ ଜେମସ୍ ନିସାମ୍ ମଧ୍ୟ ଚଳିତ ବିଶ୍ୱକପରେ ଭଲ ବ୍ୟାଟିଂ କରିଛନ୍ତି। ଯାହା ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିପାରେ।

ଏପଟେ ସେମିଫାଇନାଲ ଟକ୍କର ପାଇଁ ଦୁଇଦଳ ପ୍ରସ୍ତୁତ ଥିବା ବେଳେ ଆଜି ମାଞ୍ଚେଷ୍ଟରରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିପାଇଁ ବୁଧବାରକୁ ରିଜର୍ଭ ଡେ’ ଭାବେ ମଧ୍ୟ ରଖାଯାଇଛି। ଯଦି ଆଜି ଏବଂ ଆସନ୍ତାକାଲି ବର୍ଷା ଯୋଗୁଁ ମ୍ୟାଚ୍ ସମ୍ଭବ ନ ହୁଏ ତେବେ ଆଇସିସି ନିୟମ ଅନୁସାରେ ଭାରତ ସିଧାସଳଖ ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବ।

Comment