ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ଗୋଟିଏ ଦିନରେ ବାହୁଡ଼ା ଏବଂ ହରିଶୟନ ଏକାଦଶୀ ଗୋଟିଏ ଦିନରେ ପଡ଼ୁଛି। ହରିଶୟନ ଏକାଦଶୀଠାରୁ ଠାକୁର ୪ମାସ ଶୟନ କରିଥା’ନ୍ତି।

ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ତିନି ଠାକୁରମାନେ ଶୟନ କରନ୍ତି। କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ମହାପ୍ରଭୁ ଶୟନରୁ ଉଠନ୍ତି। ବିଳମ୍ବିତ ରାତିରେ ବଡ଼ସିଂହାର ବେଶ ଓ ବଡ଼ସିଂହାର ଭୋଗ ହୋଇ ମହାସ୍ନାନ ପରେ ଭଣ୍ଡାରମେକାପ ଭଣ୍ଡାର ଘରୁ ସୁବର୍ଣ୍ଣର ଶୟନ ଠାକୁରଙ୍କୁ ତିନି ରଥକୁ ବିଜେ କରନ୍ତି।

ଶ୍ରୀବଳଭଦ୍ରଙ୍କ ରଥରେ ବାସୁଦେବ, ଦେବୀ ସୁଭଦ୍ରାଙ୍କ ରଥରେ ଭୁବନେଶ୍ୱରୀ ଓ ଶ୍ରୀଜଗନ୍ନାଥଙ୍କ ରଥରେ ଶ୍ରୀ ନାରାୟଣ ବିଜେ କରିଥାନ୍ତି।

ପୂଜାପଣ୍ଡା ଶୟନ ଠାକୁରମାନଙ୍କୁ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗକୁ ଲାଗି କରାଇବା ପରେ ରଥଉପରେ ମହାସ୍ନାନ ନୀତି ହୁଏ। ତିନି ଜଣ ପୂଜା ପଣ୍ଡା ତିନିରଥରେ ବିଜେ ହୋଇଥିବା ଶୟନ ଠାକୁରମାନଙ୍କୁ ହାତରେ ଧରି ମନ୍ଦିର ଭଣ୍ଡାର ଦୁଆର ନିକଟକୁ ନେଇଥାନ୍ତି। ପାରମ୍ପରିକ ନୀତି ଅନୁଯାୟୀ ସେଠାରେ ଶୟନ ନୀତି ଅନୁଷ୍ଠିତ ହୋଇଥାଏ।

ଶୟନ ଘରେ ପେଡ଼ି, ଶେଯ, ତକିଆ, ତାଟ ପ୍ରସ୍ତୁତ ହୋଇଥାଏ। ଠାକୁରମାନେ ଏଥିରେ ଶୟନ କରନ୍ତି। ଏହି ସମୟରେ ପ୍ରସାଦ ଲାଗି, ପୁଷ୍ପାଞ୍ଜଳି ଆଦି କାର୍ଯ୍ୟ ବନ୍ଦ କରାଯାଏ।

କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ଠାକୁରମାନେ ଶୟନରୁ ଉଠନ୍ତି।

Comment