ଓଡ଼ିଶାଲାଇଭ ବ୍ୟୁରୋ

ସେମିଫାଇନାଲରେ ନ୍ୟୁଜିଲାଣ୍ଡଠୁ ପରାସ୍ତ ହେବାପରେ ବିଶ୍ଵକପ ଫାଇନାଲରୁ ବାଦ ପଡ଼ିଛି ଭାରତ। ହେଲେ ସର୍ବାଧିକ ବ୍ୟକ୍ତିଗତ ରନ ତାଲିକାରେ ରୋହିତ ଶର୍ମାଙ୍କ ନାମ ଶୀର୍ଷ ରହିଛି। ଏହି ଭାରତୀୟ ଓପନର ୧୦ଟି ମ୍ୟାଚରୁ ୬୪୮ରନ କରି ପ୍ରଥମ ସ୍ଥାନରେ ରହିଛନ୍ତି। ତେବେ ଏହି ସ୍ଥାନ ବଜାୟ ରହିବକି ନାହିଁ ତାହା ରବିବାର ଫାଇନାଲ ମ୍ୟାଚ ପରେ ସ୍ପଷ୍ଟ ହୋଇଯିବ।

ରୋହିତଙ୍କ ପଛକୁ ଏହି ତାଲିକାରେ ଡେଭିଡ ଓ୍ଵାର୍ନର(୬୪୭), ସକିବ ଅଲ ହାସନ(୬୦୬) ରହିଛନ୍ତି। ଏହି ଦୁଇ ଖେଳାଳି ରୋହିତଙ୍କୁ ଟପିବାର ପ୍ରଶ୍ନ ଉଠୁନି। ହେଲେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଜୋ ରୁଟ(୫୪୯) ଓ କେନ ଓ୍ଵିଲିୟମସନଙ୍କ ପାଖରେ ତାଙ୍କୁ ଟପିବାର ସୁଯୋଗ ରହିଛି।

ରବିବାର ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଫାଇନାଲରେ ରୋହିତଙ୍କୁ ଟପିବାକୁ ହେଲେ ରୁଟଙ୍କୁ ୧୦୦ ଓ ଓ୍ଵିଲିୟମସନଙ୍କୁ ୧୦୧ରନ ଆବଶ୍ୟକ। ଯାହାକି କିଛି ଅସମ୍ଭବ ମନେ ହେଉନି। ତେବେ ଫାଇନାଲ ମ୍ୟାଚ ପରେ ଶୀର୍ଷ ସ୍ଥାନରେ କିଏ ରହିବ ତାହା ସ୍ପଷ୍ଟ ହୋଇଯିବ।

Comment