ଓଡ଼ିଶାଲାଇଭ ବ୍ୟୁରୋ

  • ଦିନିକିଆ ମ୍ୟାଚ–୯୦
  • ନ୍ୟୁଜିଲାଣ୍ଡ-୪୩
  • ଇଂଲଣ୍ଡ-୪୧
  • ବିଶ୍ଵକପ ମ୍ୟାଚ-୯
  • ନ୍ୟୁଜିଲାଣ୍ଡ-୫
  • ଇଂଲଣ୍ଡ-୪

ଦୀର୍ଘ ୪୫ ଦିନରେ ୪୭ ମ୍ୟାଚ ପରେ ଆଜି ଆଇସିସି ବିଶ୍ଵକପ ୨୦୧୯ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚରେ ଇଂଲଣ୍ଡ ଓ ନ୍ୟୁଜଲିଣ୍ଡ ମୁହାଁମୁହିଁ ହେବେ। ନ୍ୟୁଜିଲାଣ୍ଡ ସେମିଫାଇନାଲରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ବେଳେ ଇଂଲଣ୍ଡ ଡିପେଣ୍ଡିଙ୍ଗ ଚାମ୍ପିୟନ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ଦୁଇ ଦଳ ପୂର୍ବରୁ ବିଶ୍ଵକପ ହାସଲ କରିନାହାନ୍ତି ତେବେ ଚଳିତ ବିଶ୍ଵକପରେ ବିଶ୍ଵ ଏକ ନୂଆ ବିଜେତା ଦେଖିବ।

ଇଂଲଣ୍ଡ ୧୯୭୯, ୧୯୮୭, ୧୯୯୨ ପରେ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ସେହିପରି ନ୍ୟୁଜିଲାଣ୍ଡ ଲଗାତାର ଦ୍ଵିତୀୟ ଥର ପାଇଁ ଫାଇନାଲ ଖେଳିବ। ୨୦୧୫ ବିଶ୍ଵକପରେ ନ୍ୟୁଜିଲାଣ୍ଡ ପାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇ ରନର୍ସ ଅପରେ ସନ୍ତୁଷ୍ଟ ହୋଇଥିଲା।

ଚଳିତ ବିଶ୍ଵକପର ଲିଗ୍ ମ୍ୟାଚରେ ଇଂଲଣ୍ଡ ଦଳ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଏଣୁ ଏହି ମ୍ୟାଚରେ ଘରୋଇ ପରିବେଶରେ ଇଂଲଣ୍ଡ ଦଳ ଆତ୍ମବିଶ୍ଵାର ସହ ପଡ଼ିଆକୁ ଓହ୍ଲାଇବ। ସେହିପରି ନ୍ୟୁଜିଲାଣ୍ଡ ଦଳ ଲିଗ ମ୍ୟାଚର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ। ଇଂଲଣ୍ଡର ଶକ୍ତିଶାଳୀ ବ୍ୟାଟିଂ ଲାଇନ ଭାର ଜୋଏ ରୁଟ, ଜାସନ ରଏ, ଇୟନ ମୋର୍ଗାନ, ଜୋସ ବଟଲର, ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସଙ୍କ ଭଳି ଦକ୍ଷ ଖେଳାଳିଙ୍କ ହାତରେ ରହିଛି।

ନ୍ୟୁଜିଲାଣ୍ଡର କେନ ଓ୍ଵିଲିୟମସନ, ମାର୍ଟିନ ଗପ୍ଟିଲ, ରସ ଟେଲର, ଟମ ଲାଥମ ବେଶ ଭଲ ଫର୍ମରେ ରହିଛନ୍ତି। ସେହିପରି ବୋଲିଂରେ ମଧ୍ୟ ଟ୍ରେଣ୍ଟ ବୋଲ୍ଟ,, ଟିମ ସଉଦି, ମିଚେଲ ସାଣ୍ଟନର, ମ୍ୟାଟ ହେନେରି ଚମତ୍କାର ଫର୍ମରେ ରହିଛନ୍ତି। ତେବେ ଏହି ମ୍ୟାଚରେ ଇଂଲଣ୍ଡର ବ୍ୟାଟିଂ ଓ ନ୍ୟୁଜିଲାଣ୍ଡର ବୋଲିଂ ମଧ୍ୟରେ ଘମାଘଟ ଲଢେଇ ଦେଖିବାକୁ ମିଳିବ।

ଉଭୟ ଦେଶ ପରସ୍ପର ବିପକ୍ଷରେ ୯୦ଟି ଦିନିକିଆ ଖେଳିଛନ୍ତି। ସେଥିମଧ୍ୟରୁ ଇଂଲଣ୍ଡ ୪୧ ଓ ନ୍ୟୁଜିଲାଣ୍ଡ ୪୩ ମ୍ୟାଚ ଜିତିଛି। ବିଶ୍ଵକପରେ ମଧ୍ୟ ଇଂଲଣ୍ଡଠାରୁ ନ୍ୟୁଜିଲାଣ୍ଡ ଟିକେ ଆଗରେ ରହିଛି। ବିଶ୍ଵକପରେ ଦୁଇ ଦଳ ପରସ୍ପର ବିପକ୍ଷରେ ୯ଟି ମ୍ୟାଚ ଖେଳିଥିବା ବେଳେ ସେଥିରୁ ନ୍ୟୁଜିଲଣ୍ଡ ୫ଟି ଓ ଇଂଲଣ୍ଡ ୪ଟି ମ୍ୟାଚରେ ବିଜୟୀ ହୋଇଛି।

Comment