ଓଡ଼ିଶାଲାଇଭ୍ ବ୍ୟୁରୋ

ରସଗୋଲା ହେଉଛି ମିଠାମାନଙ୍କ ରାଜା। ଓଡ଼ିଆମାନଙ୍କ ପ୍ରିୟ ଖାଦ୍ୟ ମଧ୍ୟରୁ ରସଗୋଲା। କେତେକ ଓଡ଼ିଆ ଗବେଷକଙ୍କ ମତରେ ଜଗନ୍ନାଥ ପରମ୍ପରାରେ ରସଗୋଲାର ବ୍ୟବହାର ଦ୍ୱାଦଶ ଶତାବ୍ଦୀରୁ ଚାଲିଆସୁଛି। କୁହାଯାଏ ନୀଳାଦ୍ରି ବିଜେ ସମୟରେ ଅଭିମାନିନୀ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ଜଗନ୍ନାଥ ପତ୍ନୀଙ୍କୁ ରସଗୋଲା ଭେଟି ଦିଅନ୍ତି। ଏହାପରେ ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ପାରନ୍ତି।

ରସଗୋଲା ଦିବସ ପାଳନ ସଂପର୍କରେ ସମସ୍ତଙ୍କ ଭିନ୍ନ ଭିନ୍ନ ମତ ରହିଛି। ଏହି ଦିବସ ଅବସରରେ ଆସନ୍ତୁ ଜାଣିବା ରସଗୋଲାର ଉତ୍ପତ୍ତି ଏବଂ ତା’ର ଇତିହାସ ବିଷୟରେ।

ରଥଯାତ୍ରାରେ ମହାବାହୁ ଶ୍ରୀଜଗନ୍ନାଥ ବଡ଼ ଭାଇ ଓ ଭଉଣୀଙ୍କୁ ନେଇ ନଅଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥା’ନ୍ତି ଏବଂ ମହାଲକ୍ଷ୍ମୀକୁ ନେଇ ନଥାନ୍ତି। ମହାଲକ୍ଷ୍ମୀଙ୍କୁ ନେଇ ନଥିବାରୁ ଲକ୍ଷ୍ମୀ ମା’ ଅଭିମାନ କରିଥା’ନ୍ତି। ମହାଲକ୍ଷ୍ମୀଙ୍କୁ ଖୁସି କରାଇବା ପାଇଁ ଜଗନ୍ନାଥଙ୍କ ପକ୍ଷରୁ ଲକ୍ଷ୍ମୀଙ୍କୁ ରସଗୋଲା ଦିଆଯାଏ। ଏହା ଦୀର୍ଘ ୭୦୦ ବର୍ଷର ପରମ୍ପରା ବୋଲି କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ଅସିତ୍‌ ମହାନ୍ତି।

ଏହି ୭ଶହ ବର୍ଷର ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ୨୦୧୫ ଜୁଲାଇ ମାସରୁ ବିଶ୍ୱବ୍ୟାପି ପରିଚିତ କରାଇବା ପାଇଁ ପାଳିତ ହୋଇ ଆସୁଛି ରସଗୋଲା ଦିବସ। ରସଗୋଲା ଉତ୍ପତ୍ତିକୁ ନେଇ ଓଡ଼ିଶା ପଶ୍ଚିମବଙ୍ଗ ଭିତରେ ୪ବର୍ଷ ଧରି ବିବାଦ ଚାଲି ଆସିଛି।

ସର୍ବପ୍ରଥମେ ସମାଜସେବୀ ଡକ୍ଟର ଅନୀତା ସାବତଙ୍କ ପ୍ରୟାସରେ ଆରମ୍ଭ ହୋଇଥିଲା ଏହି ରସଗୋଲା ଦିବସ। ଏହି ଦିବସ ଆଜି ସାରାବିଶ୍ୱ ପାଳୁଛି।

ଡକ୍ଟର ସାବତ କହିଛନ୍ତି, ‘‘ବର୍ଷକରେ ଥରେ ନୀଳାଦ୍ରି ବିଜେ ଦିନ ଭକ୍ତମାନେ ଶ୍ରୀଜଗନ୍ନାଥଙ୍କୁ ରସଗୋଲା ଦିଅନ୍ତି। ପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ପାଇଁ ତାଙ୍କୁ ରସଗୋଲା ଭେଟ ଦେଇଥା’ନ୍ତି। ଏହାପରେ ହିଁ ଜଗନ୍ନାଥ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି।’’

‘‘ରସଗୋଲା ବିଷୟରେ ଆମେ ଟୁଇଟର୍‌ରୁ ଆରମ୍ଭ କରିଥିଲୁ। ରସଗୋଲା ବିଷୟରେ ବେଶୀ ଲେଖିଲୁ, ପୋଷ୍ଟ ଏବଂ ସେୟାର କରିଲୁ। ଜୁଲାଇ ୩୦, ୨୦୧୫ ନୀଳାଦ୍ରି ବିଜେରେ ପ୍ରଥମ ରସଗୋଲା ଦିବସ ପାଳନ କରିବୁ ବୋଲି ନିଷ୍ପତି ନେଲୁ। ଏହାପରେ ଏହାକୁ ଲୋକ ପସନ୍ଦ କରିବା ଆରମ୍ଭ କଲେ ଏବଂ ସେବେଠୁ ରସଗୋଲା ଦିବସ ଭାବେ ପାଳିତ ହେଉଛି’’, କହିଛନ୍ତି ସମାଜସେବୀ ଡକ୍ଟର ଅନୀତା ସାବତ।

ଓଡ଼ିଶାର ରସଗୋଲା କହିଲେ ଲୋକେ ପାହାଳ ବା ସାଲେପୁରର ପ୍ରସିଦ୍ଧ ରସଗୋଲାକୁ ବୁଝିଥାନ୍ତି।

ପାହାଳ ମିଠା ବ୍ୟବସାୟୀ ସଙ୍ଘ ଅକ୍ଷୟ କୁମାର ଲେଙ୍କା କହିଛନ୍ତି ଯେ ନୀଳାଦ୍ରି ବିଜେ ଦିନ ସେମାନେ ରସଗୋଲା ଦିବସ ଭାବେ ପାଳନ କରନ୍ତି। ଦୋକାନ ସଜାସଜି କରି କିଛି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଡାକି ଏହି ଦିବସ ପାଳନ କରନ୍ତି।

ଏହି ରସଗୋଲାର ଆଦର ଏତେ ଅଧିକ ଥିବାରୁ ଅନେକ ଲୋକ ବଂଶାନୁକ୍ରମିକ ଭାବେ ବେଉସା ଭାବେ ଗ୍ରହଣ କରି ନିଜ ପରିବାରର ଭରଣ ପୋଷଣ କରିଥାନ୍ତି। ଏହି ରସଗୋଲା ଓଡ଼ିଶା ବାହାରକୁ ତଥା ଦିଲ୍ଲୀ, ଗୋଆ ଏବଂ ଅନ୍‌ଲାଇନ୍‌ରେ ସପ୍ଲାଇ କରାଯାଉଛି।

ଜଗନ୍ନାଥ ପରମ୍ପରାରୁ ରସଗୋଲା ଜନ୍ମିଥିବା ବିଶ୍ୱାସ ରହିଛି। ଏହି ରସଗୋଲା ଓଡ଼ିଆମାନଙ୍କ ଭାବବେଗ ସହ ଜଡ଼ିତ ରହିଛି। ଏହି ରସଗୋଲା ଦିବସ ପାଳିତ ହେବା ଦିନଠାରୁ ଓଡ଼ିଶାର ରସଗୋଲା ଦେଶ ବିଦେଶରେ ପରିଚିତ ହୋଇଛି।

Comment