ଓଡ଼ିଶାଲାଇଭ୍‌ ବ୍ୟୁରୋ

“୧୮୬୮ ମସିହାରେ ପଶ୍ଚିମବଙ୍ଗ ରସଗୋଲା ତିଆରି କରିଥିବା କହୁଥିବା ବେଳେ ଓଡ଼ିଶା ପାଖରେ ରହିଛି ଦୀର୍ଘ ୭୦୦ ବର୍ଷର ଐତିହ୍ୟ। ପବିତ୍ର ରଥଯାତ୍ରାର ଅନ୍ତିମ ଦିବସ ନୀଳାଦ୍ରି ବିଜେରେ ମହାପ୍ରଭୁ ଜଗନ୍ନାଥ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥାନ୍ତି। ଦୀର୍ଘ ୭୦୦ ବର୍ଷ ଧରି ଓଡ଼ିଶାରେ ଏହି ପରମ୍ପରା ପାଳନ ହୋଇ ଆସୁଛି”, କହିଛନ୍ତି ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଅସିତ ମହାନ୍ତି।

୨୦୧୫ ମସିହାରୁ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଦିନଟିକୁ ଓଡ଼ିଶାରେ ରସଗୋଲା ଦିବସ ଭାବେ ପାଳନ କରାଯାଇଆସୁଅଛି। ତେବେ ଏହି ଦିନଟି କାହିଁକି ଏବଂ କିଭଳି ଭାବେ ଆରମ୍ଭ ହୋଇଥିଲା, ସେନେଇ ଓଡ଼ିଶାଲାଇଭ୍‌ ଟିମ୍‌ ଭେଟିଥିଲେ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଅସିତ ମହାନ୍ତିଙ୍କୁ।

ରସଗୋଲା ଦିବସର ଉତ୍ପତି

ଓଡ଼ିଶାଲାଇଭ୍‌କୁ ସାକ୍ଷାତକାର ଦେଇ ଅସିତ ମହାନ୍ତି କହିଛନ୍ତି, “ଓଡ଼ିଶା ରସଗୋଲା ହେଉଛି ଓଡ଼ିଶାର। ୨୦୧୫ ମସିହାରେ ଓଡ଼ିଶା ସରକାର ପାହାଳ ରସଗୋଲାକୁ ଜିଆଇ ମାନ୍ୟତା ଦେବା ପାଇଁ ଘୋଷଣା କରିବାରୁ, ପଡ଼ୋଶୀ ପଶ୍ଚିମବଙ୍ଗ ଏହାକୁ ବିରୋଧ କରିଥିଲା। ରସଗୋଲା ଓଡ଼ିଶାର ନୁହେଁ ବୋଲି ପ୍ରତିବାଦ କରିଥିଲା ପଶ୍ଚିମବଙ୍ଗ। ସେଇଠୁ ସୃଷ୍ଟି ହେଲା ରସଗୋଲା ଦିବସ। ୨୦୧୫ ମସିହା ନବକଳେବର ବର୍ଷର ନିଳାଦ୍ରୀବିଜେ ଦିନଟିକୁ ଓଡ଼ିଶାରେ ରସଗୋଲା ଦିବସ ଭାବେ ପାଳନ ହୋଇ ଆସୁଛି।”

ରସଗୋଲା କାହାର?

୨୦୧୭ ମସିହାରେ ପଶ୍ଚିମବଙ୍ଗର ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିଲା। ଯଦି ରସଗୋଲା ଓଡ଼ିଶାର ତେବେ, ପ୍ରଶ୍ନ ଉଠୁଛି ଯେ, ପଶ୍ଚିମବଙ୍ଗକୁ କିପରି ରସଗୋଲାର ଭୌଗୋଳିକ ମାନ୍ୟତା ମିଳିଲା? ଏହାର ଉତ୍ତର ଦେବାକୁ ଯାଇ ଅସିତ ମହାନ୍ତି କହିଛନ୍ତି, “ରସଗୋଲା ଓଡ଼ିଶାର ବୋଲି ଭାରତ ସରକାରଙ୍କୁ ନଥିପତ୍ର ଦିଆଯାଇଛି। ଆଗାମୀ ଦିନରେ ଓଡ଼ିଶା ରସଗୋଲା ପାଇଁ ଓଡ଼ିଶା ଜିଆଇ ମାନ୍ୟତା ପାଇବ।”

ପଶ୍ଚିମବଙ୍ଗ କହିବା ଅନୁଯାୟୀ, ୧୮୬୮ ମସିହାରେ ରସଗୋଲା ପଶ୍ଚିମବଙ୍ଗ ତିଆରି ହୋଇଥିଲା। ହେଲେ ରସଗୋଲା ପାରମ୍ପରିକ ଭାବେ ଓଡ଼ିଶାର, ଏହା ବଡ଼ ପ୍ରମାଣ ହେଉଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ। ନୀଳାଦ୍ରି ବିଜେ ହେଉଛି ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ଅନ୍ତିମ ଦିନ। ନୀଳାଦ୍ରି ବିଜେ ଦିନ ୯ ଦିନର ଯାତ୍ରା ସାରି ଶ୍ରୀମନ୍ଦର ରତ୍ନ ସିଂହାସନକୁ ଫେରିଥାନ୍ତି। ଏହି ଦିନ ରସଗୋଲା ଦେଇ ମହାପ୍ରଭୁ ଅଭିମାନ କରିଥିବା ଦେବୀ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥାନ୍ତି। ଏହା ହେଉଛି ଦୀର୍ଘ ୭୦୦ ବର୍ଷର ଓଡ଼ିଆ ପରମ୍ପରା।

“ରସଗୋଲା ହେଉଛି ଓଡ଼ିଶାର। ପଞ୍ଚଦଶ ଶତାବ୍ଦୀ ଶେଷ ଏବଂ ଷୋଡ଼ଶ ଶତାବ୍ଦୀ ଆରମ୍ଭରେ ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ରସଗୋଲା ବିଷୟରେ ଉଲ୍ଲେଖ ହୋଇଛି। ତେବେ ମାତ୍ର ଦେଢ଼ ଶହ ବର୍ଷ ପୂର୍ବେ କଲିକତାରେ ପ୍ରଥମ ଥର ପାଇଁ ରସଗୋଲା ତିଆରି ହୋଇଥିଲା”, କହିଛନ୍ତି ଅସିତ ମହାନ୍ତି।

ରସଗୋଲାର ପ୍ରକାର ଭେଦ

ବାଂଲା ରସଗୋଲା ଏବଂ ଓଡ଼ିଶା ରସଗୋଲା ଏକା ନୁହେଁ, ସମ୍ପୂର୍ଣ୍ଣ ଭାବେ ଅଲଗା। ପଶ୍ଚିମବଙ୍ଗର ସ୍ପଞ୍ଜ ରସଗୋଲା ହୋଇଥିବା ବେଲେ ଓଡ଼ିଶାର ରସଗୋଲା ହେଉଛି ନରମ। ବିଶିଷ୍ଟ ଓଡ଼ିଆ ନାଟ୍ୟକାର ଗୋପଳ ଛୋଟରାୟ ତାଙ୍କ ଆତ୍ମଜୀବନି ‘ପଥିକ’ରେ କହିଛନ୍ତି, “ଆମ ରସଗୋଲା ପୁଚ୍‌ପୁଚ୍‌, ତାଙ୍କ ରସଗୋଲା ଖରଖର।”

ସୋସିଆଲ ମିଡିଆରେ ରସଗୋଲା ଦିବସ

୨୦୧୫ରେ ରସଗୋଲାକୁ ନେଇ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ସହିତ ଓଡ଼ିଶାର ଏକ ମିଠା ଯୁଦ୍ଧ ଆରମ୍ଭ ହୋଇଥିଲା। ଏଥିସହ ସୋମିଆଲ ମିଡିଆରେ ଓଡ଼ିଶା ରସଗୋଲାକୁ ନେଇ କ୍ୟାମ୍ପେନ୍‌ ସୃଷ୍ଟି ହୋଇଥିଲା। ଏହି କ୍ୟାମ୍ପେନ୍‌ ଆରମ୍ଭ କରିଥିଲେ ଅନିତା ସାବତ। କ୍ୟାମ୍ପେନ୍‌ ଜରିଆରେ ୨୦୧୫ ନବକଳେବର ବର୍ଷ ନୀଳାଦ୍ରି ବିଜେରେ ପ୍ରଥମ ଥର ପାଇଁ ରସଗୋଲା ଦିବସ ପାଳନ ହୋଇଥିଲା। ଏହା ପରଠାରୁ ପ୍ରତିବର୍ଷ ନୀଳାଦ୍ରି ବିଜେ ଦିନ ଓଡ଼ିଶାରେ ରସଗୋଲା ଦିବସ ପାଳନ କରାଯାଉଛି।

Comment