ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶା ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ହେଲେ ଆନ୍ଧ୍ରପ୍ରଦେଶର ନୂଆ ରାଜ୍ୟପାଳ। ଆନ୍ଧ୍ର ରାଜ୍ୟପାଳ ଭାବେ ବିଶ୍ୱଭୂଷଣଙ୍କୁ ଏହି ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବିଶ୍ୱଭୂଷଣଙ୍କୁ ଓଡ଼ିଶା ବିଜେପିର ଭୀଷ୍ମ ପିତାମହ ବୋଲି କୁହାଯାଏ।

ବିଶ୍ୱୂଭୂଷଣ ଓଡ଼ିଶା ବିଧାନସଭାକୁ ୫ ଥର ନିର୍ବାଚିତ ହୋଇଛନ୍ତି। ୨ ଥର ଜନତା ଦଳ ଏବଂ ୩ ଥର ବିଜେପି ଟିକେଟରୁ ନିର୍ବାଚିତ ହୋଇଛନ୍ତି। ଏହାସହ ବିଜେପି-ବିଜେଡି ମେଣ୍ଟ ସରକାରରେ ବିଶ୍ୱଭୂଷଣ ମନ୍ତ୍ରୀ ମଧ୍ୟ ରହିଥିଲେ।

୧୯୭୧ରେ ବିଶ୍ୱଭୂଷଣ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ। ସେ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ। ପରେ ସେ ବିଜେପିରେ ଯୋଗ ଦେଇଥିଲେ। ୧୯୮୦ରୁ ୧୯୮୮ ପର୍ଯ୍ୟନ୍ତ ବିଶ୍ୱଭୂଷଣ ରାଜ୍ୟ ବିଜେପିର ସଭାପତି ରହିଥିଲେ।

ବିଜେପି ଛାଡ଼ି ବିଶ୍ୱଭୂଷଣ ଜନତା ପାର୍ଟିରେ କିଛିଦିନ ଧରି ରହିଥିଲେ। ଜନତା ପାର୍ଟିର ରାଜ୍ୟ ଉପ-ସଭାପତି ରହିଥିଲେ। ୧୯୯୬ରେ ପୁଣି ସେ ବିଜେପିରେ ଯୋଗ ଦେଇଥିଲେ।

ବିଶ୍ୱଭୂଷଣ ହେଉଛନ୍ତି ବିଜେପିର ଜଣେ ବରିଷ୍ଠ ନେତା। ମୋଦି ସରକାର କେନ୍ଦ୍ରରେ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ବିଶ୍ୱଭୂଷଣଙ୍କୁ ଏହି ସମ୍ମାନଜନକ ପଦବୀ ମିଳିଥିବା କୁହାଯାଉଛି। ମୋଦି ସରକାରଙ୍କ ପ୍ରଥମ ପାଳିରେ ମୟୂରଭଞ୍ଜର ନେତ୍ରୀ ଦୌପଦୀ ମୁର୍ମୁଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା।

Comment