ଓଡ଼ିଶାଲାଇଭ୍ ବ୍ୟୁରୋ

  • ଏମସିଆଇର ସ୍ଥାନ ନେବ ଜାତୀୟ ମେଡିକାଲ କମିସନ
  • ଘରୋଇ ମେଡିକାଲ କଲେଜ ଓ ଏକକ ବିଶ୍ୱବିଦ୍ୟାଳୟର ଫି ନିୟନ୍ତ୍ରଣ କରିବେ କମିଶନ
  • ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଜରୁରୀ ହେବ ନେକ୍ସଟ ପରୀକ୍ଷା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଜାତୀୟ ମେଡିକାଲ କମିସନ ବିଲ-୨୦୧୯କୁ ଅନୁମୋଦନ କରିଛନ୍ତି। ଏହି ବିଲକୁ ଅନୁମୋଦନ ମିଳିବା ପରେ ମେଡିକାଲ କାଉନସିଲ ଅଫ ଇଣ୍ଡିଆ(ଏମସିଆଇ) ସ୍ଥାନରେ ଜାତୀୟ ମେଡିକାଲ କମିସନ ପ୍ରତିଷ୍ଠା କରାଯିବ। ଏହି ବିଲ୍ ବର୍ତ୍ତମାନ ପ୍ରଚଳିତ ଇଣ୍ଡିଆନ ମେଡିକାଲ କାଉନସିଲ ଆଇନ ୧୯୫୬ର ସ୍ଥାନ ନେବ।

ଏହି ବିଲର ବିଶେଷତ୍ୱ ହେଉଛି ଡାକ୍ତରୀ ସ୍ନାତକ(ଏମବିବିଏସ) ପାଠ୍ୟକ୍ରମର ଅନ୍ତିମ ବର୍ଷର ପରୀକ୍ଷା ଜାତୀୟ ପ୍ରସ୍ଥାନ ପରୀକ୍ଷା(ନେକ୍ସଟ) ଭାବେ ପରିଚିତ ହେବ। ଏହା ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ତଥା ବିଦେଶୀ ଡାକ୍ତରୀ ସ୍ନାତକମାନଙ୍କ ପାଇଁ ସ୍କ୍ରିନିଂ ଟେଷ୍ଟ ଭାବେ ବିବେଚିତ ହେବ।

ଦେଶରେ ଗୋଟିଏ ନିଟ୍, କମନ କାଉନସେଲିଂ ଏବଂ ନେକ୍ସଟ ଆଦି ଜାତୀୟ ପ୍ରବେଶିକା ପରୀକ୍ଷା ଏମ୍‌ସ ଭଳି ଜାତୀୟ ଗୁରୁତ୍ୱ ବହନ କରୁଥିବା ସଂସ୍ଥାନରେ ଉପଯୋଗୀ ହେବ।

ଘରୋଇ ମେଡିକାଲ କଲେଜ ଓ ଏକକ ବିଶ୍ୱବିଦ୍ୟାଳୟର ୫୦% ସିଟ୍‌ରେ ଫି’ ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ ଏହି କମିଶନ ନିୟନ୍ତ୍ରଣ କରିବେ।

ମେଡିକାଲ ଆସେସମେଣ୍ଟ ଓ ରେଟିଂ ବୋର୍ଡ (ଏମଏଆରବି) ମେଡିକାଲ କଲେଜଗୁଡ଼ିକର ଅନୁଧ୍ୟାନ କରିବ ଏବଂ ମେଡ଼ିକାଲ କଲେଜଗୁଡ଼ିକୁ ରାଙ୍କ ପ୍ରଦାନ କରିବା ଲାଗି ଏକ ବ୍ୟବସ୍ଥା କରାଯିବ। ଫଳରେ ଡାକ୍ତରୀ ଛାତ୍ରଛାତ୍ରୀମାନେ ନାମଲେଖା ନିମନ୍ତେ ସଠିକ ମେଡିକାଲ କଲେଜ ଚୟନ କରିପାରିବେ।

ଏସବୁ ପଦକ୍ଷେପ ଦ୍ୱାରା ନାମଲେଖା ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବ ଏବଂ ନାମଲେଖା ଫି’ ହ୍ରାସ ପାଇବ।

ଜାତୀୟ ମେଡିକାଲ କମିସନର ୪ଟି ସ୍ୱାୟତ ପରିଷଦ ରହିବ ଯଥା -ସ୍ନାତକ ଡାକ୍ତରୀ ଶିକ୍ଷା ବୋର୍ଡ, ସ୍ନାତକୋତର ଡାକ୍ତରୀ ଶିକ୍ଷା ବୋର୍ଡ, ମେଡିକାଲ ଆସେସମେଣ୍ଟ ଓ ରେଟିଂ ବୋର୍ଡ ଏବଂ ନୀତି ଓ ମେଡିକାଲ ପଞ୍ଜିକରଣ ବୋର୍ଡ।

ଜାତୀୟ ମେଡିକାଲ କମିସନ ଏବଂ ସମ୍ପୃକ୍ତ ବୋର୍ଡଗୁଡ଼ିକ ଉତ୍ସାହୀ ଏବଂ ଆଧୁନିକ ଚିକିତ୍ସା ପରିବେଶ ସୁନିଶ୍ଚିତ କରିବେ। ଭୌତିକ ଭିତ୍ତିଭୂମି ହ୍ରାସ ଉପରେ ଗୁରୁତ୍ୱ ଦେବେ। ବିଶ୍ୱସ୍ତରୀୟ ମାନକ ସର୍ତ୍ତାବଳୀ ତଥା ଏକ ପ୍ରଭାବୀ ଅଭିଯୋଗ ସମାଧାନ ବ୍ୟବସ୍ଥା ହାସଲ କରିବା ଦିଗରେ କାର୍ଯ୍ୟ କରିବେ।

ଚିକିତ୍ସା ପରାମର୍ଶ ପରିଷଦ ଏବଂ ଆୟୋଗରେ ରାଜ୍ୟ ଚିକିତ୍ସା ପରିଷଦ ଜରିଆରେ ନିର୍ବାଚିତ ସଦସ୍ୟମାନଙ୍କୁ ବ୍ୟାପକ ପ୍ରତିନିଧିତ୍ୱ ପ୍ରଦାନ କରିବା ଲାଗି ବ୍ୟବସ୍ଥା କରାଯାଇଛି।

ସ୍ୱାୟତ୍ତ ବୋର୍ଡର କ୍ଷମତା ୩ରୁ ୫କୁ ବୃଦ୍ଧି ପାଇଛି ଏବଂ ଏଥିରେ ଦୁଇ ଜଣ ଅସ୍ଥାୟୀ ସଦସ୍ୟଙ୍କୁ ସାମିଲ କରାଯାଇଛି। ଏମାନଙ୍କ ମଧ୍ୟରୁ ଜଣେ ସରକାରଙ୍କ ଦ୍ୱାରା ଚୟନ ହୋଇଥିବା ଡାକ୍ତର ଏବଂ ଅନ୍ୟ ଜଣେ ରାଜ୍ୟ ଚିକିତ୍ସା ପରିଷଦରୁ ନିର୍ବାଚିତ ଡାକ୍ତର ରହିବେ।

ସ୍ନାତକ ଏବଂ ସ୍ନାତକୋତ୍ତର ବୋର୍ଡ ଦ୍ୱାରା ଧାର୍ଯ୍ୟ ମାନକ ଆଧାରରେ ନୂଆ ମେଡିକାଲ କଲେଜ ଖୋଲିବା, ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବା, ଡାକ୍ତରୀ ସିଟ୍ ବଢ଼ାଇବା ଲାଗି ମେଡିକାଲ ଅନୁଧ୍ୟାନ ଏବଂ ରେଟିଂ ବୋର୍ଡ ଅନୁମତି ପ୍ରଦାନ କରିବ।

Comment