ନୀଳାମ୍ବର ରଥ

କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରକୁ ହାତ ଉଠାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ନିର୍ବାଚନମଣ୍ଡଳୀ ପାଇଁ ପ୍ରଚାର ବେଳେ ଏହି ଘଟଣା ଘଟିଛି। ଜଣେ ଆଇପିଏସ୍ ଅଫିସର୍ ତଥା ଜିଲ୍ଲା ପୋଲିସର ମୁଖ୍ୟଙ୍କ ଏଭଳି ଆଚରଣ ଦୁର୍ଭାଗ୍ୟଜନକ। ଜଣେ ସାମ୍ବାଦିକ ହିସାବରେ ମୁଁ ଏହାର ନିନ୍ଦା କରୁଛି।

ଆଇଏଏସ୍ ଏବଂ ଆଇପିଏସ୍ ଅଫିସରମାନେ ପ୍ରଶାସନର ସର୍ବୋଚ୍ଚସ୍ତରରେ ରହି ସରକାର ଓ ଶାସନକୁ ଚଳାଇଥାନ୍ତି। ଆଇଏଏସ୍ ଅଧିକାରୀମାନେ ପ୍ରଶାସନର ଗୋଟିଏ ସ୍ତରରେ ଥିବା ବେଳେ ଆଇପିଏସ୍‌ମାନେ ପୋଲିସ୍, ଆଇନ ଶୃଙ୍ଖଳା ଭଳି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ତୁଲାଇଥାନ୍ତି। ଜଣେ ବ୍ୟକ୍ତି ଦାୟିତ୍ଵର ଯେତେ ଉପରସ୍ତରକୁ ଯାଏ ତା’ର ଉତ୍ତରଦାୟିତ୍ଵ ସେତେ ଅଧିକ ରହିଥାଏ। କିନ୍ତୁ ଗୋଟେ ଜିଲ୍ଲାର ପୋଲିସ୍ ବିଭାଗର ସର୍ବୋଚ୍ଚ ଅଧିକାରୀ ଯଦି ସର୍ବସାଧାରଣ ସ୍ଥାନରେ ଏଭଳି ନିଜର ନିୟନ୍ତ୍ରଣ ହରାନ୍ତି ତେବେ ତାଙ୍କ ତଳେ ଥିବା ପୋଲିସ୍ ବାବୁମାନେ ଜନସାଧାରଣଙ୍କ ପ୍ରତି କି ବ୍ୟବହାର ପ୍ରଦର୍ଶନ କରିବେ ସେ ବିଷୟରେ ହୁଏତ ଆଲୋଚନା କରିବାର ଆବଶ୍ୟକତା ନାହିଁ।

ଗତ କିଛି ମାସ ଧରି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଅଧିକ ଚିନ୍ତିତ ଓ ଯତ୍ନବାନ୍ ହୋଇପଡ଼ିଛି ରାଜ୍ୟ ପୋଲିସ୍। ବିଶେଷକରି ନିର୍ବାଚନ ପୂର୍ବରୁ ପୋଲିସ୍‌ର ଷ୍ଟାଇଲ୍ ବଦଳିଛି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ କୌଣସି ପ୍ରକାର ତ୍ରୁଟି ହେବା ଉଚିତ୍ ନୁହେଁ। କିନ୍ତୁ ଏହି ସୁରକ୍ଷା ନାଁରେ ଆଉ କାହାର ଅଧିକାର କ୍ଷୁର୍ଣ୍ଣ କରିବା ମଧ୍ୟ ଗ୍ରହଣୀୟ ମନେ ହେଉ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଗସ୍ତ ବେଳେ କେନ୍ଦ୍ରାପଡ଼ା ଏସ୍‌ପି ନିଜକୁ ଅଧିକ ଦାୟିତ୍ଵବାନ୍ ବୋଲି ଦର୍ଶାଇ ଯେଉଁ ଦାୟିତ୍ଵହୀନତାର ପରିଚୟ ଦେଇଛନ୍ତି ସେ ବିଷୟରେ ଯେ ଶୁଣୁଛି ତାଙ୍କର ନିନ୍ଦା କରୁଛି।

ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ କେତେଜଣ ଆଇଏଏସ୍ ଏବଂ ଆଇପିଏସ୍ ଅଫିସର, ଏପରିକି ତାଙ୍କ ତଳେ ବିଭିନ୍ନ ଦାୟିତ୍ଵରେ ଥିବା ବାବୁମାନେ ଏଭଳି ଦବଙ୍ଗଗିରି ଦେଖାଉଥିବା ନଜରକୁ ଆସିଛି। ହେଲେ ଦୁର୍ଭାଗ୍ୟର କଥା ଯେ ତାଙ୍କ ଉପରେ ଥିବା ଅଧିକାରୀମାନେ ଏ ବାବଦରେ ଉଚିତ୍ ପଦକ୍ଷେପ ନେବା ଅପେକ୍ଷା ନିରବ ରହି ଅନ୍ୟାୟର ସମର୍ଥନ କରୁଥିବା ଦେଖିବାକୁ ମିଳିଛି।

ପ୍ରଶାସନ ଯେତେ ସ୍ଵଚ୍ଛ, ସରଳ, ଲୋକାଭିମୁଖୀ ରହିବ ଗୋଟିଏ ରାଜ୍ୟ ବା ଦେଶର ବିକାଶ ପ୍ରକ୍ରିୟା ସେତେ ତ୍ଵରାନ୍ଵିତ ହେବ। କିନ୍ତୁ ଶାସନର ସର୍ବୋଚ୍ଚସ୍ତରରେ ଥିବା ଏହି ଅଧିକାରୀମାନେ ଯଦି କଥାକଥାକେ ବାଟ ହୁଡିବେ, ଗଳା ଉଚ୍ଚା କରିବେ ଏପରିକି ଲୋକଙ୍କ ଉପରକୁ ହାତ ଉଠାଇବେ, ତେବେ ତାହା କି ପ୍ରକାର ଲୋକପ୍ରିୟ ପ୍ରଶାସନ ବୋଲି କୁହାଯିବ?

କେନ୍ଦ୍ରାପଡ଼ା ଘଟଣାରେ ପୋଲିସ୍ ବିଭାଗର ସର୍ବୋଚ୍ଚ ଅଧିକାରୀ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବା କଥା। ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଥିବାରୁ ନବୀନବାବୁ କ’ଣ ପଦକ୍ଷେପ ନେବେ ତା’ ଉପରେ ମଧ୍ୟ ମିଡ଼ିଆର ନଜର ରହିଛି।

Comment