ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭୋଟ୍ ଦେଲେ ପାଟକୁରା ବିଧାନସଭା ଆସନର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର। ସେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ଗରଦପୁର ବ୍ଲକ ନିକଟସ୍ଥ ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ୨୬୩ ନମ୍ବର ବୁଥ୍‌କୁ ଯାଇ ନିଜ ମତ ସାବ୍ୟସ୍ତ କରିଛନ୍ତି।

ଭୋଟ୍ ଦେବା ପରେ ବିଜୟ ମହାପାତ୍ର ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ‘‘ସତ୍ୟ ଓ ନ୍ୟାୟର ଜୟ ହେବ। ୧୯ ବର୍ଷ ହେଲାଣି ବିଜେଡି ଯେଉଁ ଅରାଜକତା କରି ଆସୁଛି, ତା’ର ଧ୍ୱଂସ ହେବ। ପାଟକୁରାରେ ଏବେ ପରିବର୍ତ୍ତନ ଆସିବ। ପାଟକୁରାବାସୀ ପରିବର୍ତ୍ତନ ଚାହୁଁଛନ୍ତି, ପରିବର୍ତ୍ତନ ପାଇଁ ମୋ’ ପଛରେ ଛିଡ଼ା ହୋଇଛନ୍ତି।’’

ସକାଳ ୭ଟାରୁ ଏହି ଭୋଟ୍ କେନ୍ଦ୍ରରେ ମତଦାନ ଆରମ୍ଭ ହୋଇଥିଲା ମତଦାନ କେନ୍ଦ୍ରରେ ଭୋଟ୍ ଦେବା ପାଇଁ କେନ୍ଦ୍ର ସମ୍ନାରେ ଲମ୍ବା ଲାଇନ୍ ଲାଇନ୍ ଲାଗିଥିଲା।

ପାଟକୁରାରେ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବାକୁ ଥିଲାବେଳେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିର ବିଜୟ ମହାପାତ୍ର, ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ, କଂଗ୍ରେସର ଜୟନ୍ତ ମହାନ୍ତି ଅଛନ୍ତି।

୩୦୯ଟି ମତଦାନ କେନ୍ଦ୍ରରୁ ୧୩୮ଟି କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

୨୦୦୯ରେ ପାଟକୁରାରେ ବିଜେପି ପ୍ରାର୍ଥୀ ହୋଇଥିଲେ ବିଜୟ ମହାପାତ୍ର। ହେଲେ ତାଙ୍କ ଭାଗ୍ୟ ସାଥ୍ ଦେଲାନି। ସେ ପୁଣି ନିର୍ବାଚନ ହାରିଥିଲେ। ୨୦୧୪ରେ ବିଜୟ ମହାକାଳପଡ଼ାରୁ ପ୍ରାର୍ଥୀ ହୋଇଥିଲେ। ସେଠି ବି ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ଏଥର ବିଜୟ ତାଙ୍କ ପୁରୁଣା ଆସନ ପାଟକୁରାରୁ ପ୍ରାର୍ଥୀ ହୋଇଛନ୍ତି। ଏଥର ତାଙ୍କ ପାଇଁ ଶେଷ ସୁଯୋଗ। ଏହି ଶେଷ ଲଢ଼େଇରେ ବିଜୟଙ୍କ ସାଥିରେ ପାଟକୁରାବାସୀ ରହୁଛନ୍ତି ନା ନାହିଁ ଦେଖିବାକୁ ବାକି ରହିଲା।

Comment