ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍‌ରେ ଭାରତକୁ ମିଳିଲା ୧୫ ପଦକ।

କଟକ : ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍‌ରେ ପ୍ରଥମରୁ ଶେଷ ଯାଏଁ ରହିଲା ଭାରତର ଦବଦବା। ସବୁ ବର୍ଗର ଇଭେଣ୍ଟରୁ ସ୍ୱର୍ଣ୍ଣ ପଦକ ପୋଛିନେଲା ଭାରତ। କେବଳ ସ୍ୱର୍ଣ୍ଣ ନୁହେଁ, ରୌପ୍ୟ ଓ ବ୍ରୋଞ୍ଜ ମିଶାଇ ଭାରତକୁ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍‌ରେ ମୋଟ ୧୫ ପଦକ ମିଳିଲା। ୨୦୧୫ ସୁରତ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ପ୍ରତିଯୋଗିତାରେ ଭାରତ ୧୬ ପଦକ ଜିତିଥିଲା।

କଟକ ଜବାହରଲାଲ୍ ନେହରୁ ଇନଡୋର ଷ୍ଟାଡିୟମଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ୧୪ ଦେଶ ଅଂଶଗ୍ରହଣ କରିଥିଲେ। କିନ୍ତୁ ସଫଳତା ଦୃଷ୍ଟିରୁ ଭାରତ ସବୁଠାରୁ ଆଗରେ ରହିଥିଲା। ପଦକ ତାଲିକା ଦେଖିଲେ ଟିମ୍ ଇଭେଣ୍ଟରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ମିଳିଥିଲା। ମହିଳା ବର୍ଗରେ ମାନିକା ବାତ୍ରା, ଅର୍ଚ୍ଚନା କମାଥ୍, ମଧୁରିକା ପଟକର ଚାମ୍ପିଅନ୍ ହୋଇଥିଲେ।

ପୁରୁଷରେ ଶରତ କମଲ, ଜି.ସାଥିୟାନ୍ ଓ ହରମିତ୍ ଦେଶାଇ ଭାରତ ପାଇଁ ସ୍ୱର୍ଣ୍ଣ ଗୌରବ ପାଛୋଟି ଆଣିଥିଲେ। ମିକ୍ସ ଡବଲ୍ସରେ ଜି.ସାଥିୟାନ୍ ଓ ଅର୍ଚ୍ଚନା କମାଥଙ୍କ ଯୋଗୁଁ ଭାରତର ସ୍ୱର୍ଣ୍ଣ ତାଲିକାରେ ଆଉ ଏକ ସଫଳତା ଯୋଡି ହୋଇଥିଲା।

ଏହି ଯୋଡି ଫାଇନାଲରେ ସିଙ୍ଗାପୁରକୁ ପରାସ୍ତ କରି ଚାମ୍ପିଅନ୍ ହୋଇଥିଲେ। ଏହି ନିର୍ଦ୍ଦିଷ୍ଟ ଇଭେଣ୍ଟରେ ହରମିତ ଦେଶାଇ ଓ ଆହ୍ୟିକା ମୁଖାର୍ଜୀଙ୍କ ଯୋଡି ରୌପ୍ୟ ପଦକ ଜିତିଥିଲେ।  ମହିଳା ଡବଲ୍‌ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପୂଜା ସହସ୍ରବୁଦ୍ଧି ଓ କୀର୍ତ୍ତିକା ସିହ୍ନା ରୟ।

ଅନ୍ୟତମ ଭାରତୀୟ ପ୍ରତିଦ୍ୱନ୍ଦ୍ୱୀ ଶ୍ରୀଜା ଆକୁଲା, ମୌସୁମୀ ପଲ୍ ରୌପ୍ୟ ଏବଂ ସୁତୀର୍ଥା ମୁଖାର୍ଜୀ, ଆହ୍ୟିକା ମୁଖାର୍ଜୀ ବ୍ରୋଞ୍ଜ ପଦକ ହାସଲ କରିପାରିଛନ୍ତି। ମହିଳା ଡବଲ୍‌ସରେ ବି ସ୍ୱର୍ଣ୍ଣ ପଦକ ଭାରତର ମୁଣିକୁ ଯାଇଥିଲା। ପୂଜା ସହସ୍ରବୁଦ୍ଧି ଓ କୀର୍ତ୍ତିକା ସିହ୍ନା ରୟ ଦଳ ପାଇଁ ଏହି ଗୌରବ ଆଣିଥିଲେ।

ଶ୍ରୀଜା ଆକୁଲା ଓ ମୌସୁମୀ ପଲ୍ ଏହି ଇଭେଣ୍ଟରେ ରୌପ୍ୟ ଜିଣିଥିବା ବେଳେ ସୁତୀର୍ଥା ମୁଖାର୍ଜୀ ଏବଂ ଆହ୍ୟିକା ମୁଖାର୍ଜୀଯୋଡିଙ୍କ ଯୋଗୁଁ ବ୍ରୋଞ୍ଜ ବି ଭାରତ ଖାତାକୁ ଯାଇଥିଲା। ପୁରୁଷ ଡବଲ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ଆନ୍ଥୋନି ଅମଲାଜ ଓ ମାନବ ବିକାଶ ଠକ୍କର। ଜି.ସାଥିୟାନ୍ ଓ ଶରତ କମଲଙ୍କୁ ରୌପ୍ୟ ମିଳିଥିଲା।
ସିଙ୍ଗିଲ୍ସ ଇଭେଣ୍ଟରେ ଭାରତର ସମ୍ପୂର୍ଣ୍ଣ ଅକ୍ତିଆର ଥିଲା। ଉଭୟ ପୁରୁଷ ଓ ମହିଳାରେ ଭାରତୀୟ ଖେଳାଳିମାନେ ଫାଇନାଲକୁ ଉନ୍ନୀତ ହୋଇଥିଲେ। ମହିଳାରେ ଆହ୍ୟିକା ମୁଖାର୍ଜୀ ସ୍ୱର୍ଣ୍ଣ, ମଧୁରିକା ପଟକର ରୌପ୍ୟ ଏବଂ ଶ୍ରୀଜା ଆକୁଲାଙ୍କୁ ବ୍ରୋଞ୍ଜ ମିଳିଛି। ପୁରୁଷରେ ହରମିତ ଦେଶାଇ ସ୍ୱର୍ଣ୍ଣ, ଜି.ସାଥିୟାନ୍ ରୌପ୍ୟ ପଦକ ଅକ୍ତିଆର କରିପାରିଛନ୍ତି।

‘କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି’- ମୁଖ୍ୟମନ୍ତ୍ରୀ

ଜବାହରଲାଲ୍ ନେହରୁ ଇନ୍ଡୋର ଷ୍ଟାଡିୟମ୍ ଠାରେ ଆୟୋଜିତ ୨୧ ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍‌ର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଜୟୀ କ୍ରୀଡ଼ାବିତଙ୍କୁ ପୁରସ୍କୃତ କରିଥିଲେ ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘‘କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ବହୁତ ଆଗକୁ ଯାଇଛି। ଜାତୀୟ, ଅନ୍ତର୍ଜାତୀୟ ପ୍ରତିଯୋଗିତା ସଫଳ ଆୟୋଜନ କରି ଓଡ଼ିଶା ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଗକୁ ବି ଏହା ଜାରି ରହିବ।’’

ସମ୍ମାନିତ ଅତିଥି ଭାବେ କ୍ରୀଡ଼ମନ୍ତ୍ରୀ ତୁଷାରକାନ୍ତି ବେହେରା, ଏମ୍ଏସ୍ଏମ୍ଇ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପୋଲିସ କମିସନର ସତ୍ୟଜିତ୍ ମହାନ୍ତି, କ୍ରୀଡ଼ା ସଚିବ ବିଶାଲ ଦେବ, ନିର୍ଦ୍ଦେଶକ ଭିନିଲ୍ କ୍ରୀଷ୍ଣା, ରାଜ୍ୟଗୋଷ୍ଠ ଟେବୁଲ୍ ଟେନିସ୍ ମହାସଂଘ ଚେୟାରମ୍ୟାନ୍ ବିବେକ କୋହଲି, ସଚିବ ଏମ୍.ପି.ସିଂହଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Comment