ଓଡ଼ିଶାଲାଇଭ୍ ବ୍ୟୁରୋ

ବାରିମୂଳ ଆଶ୍ରମ ମନା ପରେ ବାବା ସାରଥି ଏବେ ଯିବେ କୁଆଡ଼େ? ଖୋଜୁଛନ୍ତି ନୂଆ ଠିକଣା।

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : ୩ ବର୍ଷ ୩୫୦ ଦିନ ପରେ ଚୌଦ୍ୱାର ଜେଲରୁ ମୁକୁଳିଛନ୍ତି ସନ୍ତୋଷ ରାଉଳ ଓରଫ୍ ଆତ୍ମଘୋଷିତ ସାରଥି ବାବା। ଗୁରୁବାର ସନ୍ଧ୍ୟାରେ ଜେଲରୁ ମୁକୁଳିଛନ୍ତି। ବାରିମୂଳ ଆଶ୍ରମ ନଯିବା ପାଇଁ କୋର୍ଟ ସର୍ତ୍ତାବଳୀରେ କହିଥିବାରୁ ଏବେ ସାରଥି ଖୋଜୁଛନ୍ତି ନୂଆ ଠିକଣା। ଏବେ ସେ କୁଆଡ଼େ ଯିବେ ଏବଂ କ’ଣ କରିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

୨୦୧୫ ମସିହା ଅଗଷ୍ଟ  ୮ ତାରିଖରେ କ୍ରାଇମବ୍ରାଞ୍ଚ ବାବା ସାରଥିଙ୍କୁ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମରୁ ଗିରଫ କରିଥିଲା। ଜେଲରେ ଥାଇ ସେ ସାଢ଼େ ୩ ବର୍ଷ ହେଲା ନ୍ୟାୟିକ ଲଢ଼େଇ ଲଢୁଥିଲେ। ବାରମ୍ବାର ଜାମିନ ଆବେଦନ ଖାରଜ ହେବା ପରେ ଓଡ଼ିଶା ହାଇକୋର୍ଟ ସାରଥିଙ୍କୁ ତିନୋଟି ମାମଲାରେ ସର୍ତ୍ତମୂଳକ ଜାମିନ ଦେଇଥିଲେ।

ଓଡ଼ିଶା ହାଇକୋର୍ଟଙ୍କ ଜାମିନ ଅର୍ଡରକୁ ଆଜି କେନ୍ଦ୍ରାପଡା ଜିଲ୍ଲା ଏସ୍‌ଡିଜେଏମଙ୍କ କୋର୍ଟରେ ସାରଥିଙ୍କ ଓକିଲ ରବିନାରାୟଣ ମହାନ୍ତି ଓ ମାନସ ଚାନ୍ଦ ଦାଖଲ କରିଥିଲେ। ଦୁଇ ଜାମିନଦାରଙ୍କ ବଦଳରେ ସାରଥିଙ୍କୁ ଜାମିନ ଦିଆଯାଇଛି। ସାରଥିଙ୍କ ସମ୍ପର୍କୀୟ ମହାକାଳପଡା ବ୍ଲକ ରାଜଗଡ ଗାଁର ପରୀକ୍ଷୀତ ମିଶ୍ର ଓ ଆଳି ବ୍ଲକ ମାଳପାଟଣା ଗାଁର ପ୍ରଶାନ୍ତ ଦାଶ ସାରଥିଙ୍କୁ ଜାମିନରେ ନେଇଛନ୍ତି। ସାରଥିଙ୍କର ଏହି ଦୁଇ ବନ୍ଧୁଙ୍କର ୨ ଲକ୍ଷ ଟଙ୍କାର ସମ୍ପତ୍ତି ମଧ୍ୟ ଜାମିନ ପରିସରଭୁକ୍ତ ହୋଇଛି।

କେନ୍ଦ୍ରାପଡ଼ା ଏସଡିଜେଏମ୍ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ନିର୍ଦ୍ଦେଶ ସହ  ବେଲ ବଣ୍ଡ ଗ୍ରହଣ କରିଥିଲେ। ଏସଡିଜେଏମଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ସାରଥି ଯାଇପାରିବେ ନାହିଁ, କୌଣସି ସଭାସମିତି କରି ପାରିବେ ନାହିଁ କିମ୍ବା ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରିବେ ନାହିଁ ବୋଲି ଜାମିନରେ ସର୍ତ୍ତ ରହିଛି। ଏସଡିଜେଏମଙ୍କ କୋର୍ଟରୁ ସ୍ପେଶାଲ ମେସେଞ୍ଜର ଚୌଦ୍ୱାର ଜେଲକୁ ଜାମିନ ଅର୍ଡର ନେଇ ଯିବା ପରେ ସାରଥି ଜେଲରୁ ମୁକୁଳିଥିଲେ।

୨୦୧୫ମସିହା ଅଗଷ୍ଟ ମାସ ୮ତାରିଖରେ ବବାରିମୂଳ ଆଶ୍ରମରେ କ୍ରାଇମବ୍ରାଞ୍ଚ ଚଢାଉ କରି ବିଭିନ୍ନ ସାମଗ୍ରୀ ସହ ଟଙ୍କା ସୁନା ଓ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଜବତ କରି ସାରଥିକୁ ଗିରଫ କରିଥିଲା।  ସାରଥିଙ୍କ ନାଁରେ ପୃଥକ ପୃଥକ ତିନୋଟି ମାମଲା ରୁଜୁ ହୋଇଥିଲା। ହାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲରେ ଜିନ୍ ପ୍ୟାଣ୍ଟ ପିନ୍ଧି ଜନୈକା ଯୁବତୀଙ୍କ ସହ ବାବା ସାରଥି ରହିବା ଭିଡିଓ ଭାଇରାଲ୍ ହେବା ଘଟଣା ବେଶ୍ ଚର୍ଚ୍ଚା ଜୋର ଧରିଥିଲା।

କେନ୍ଦ୍ରାପଡା ସଦରଥାନା ହଳଦୀଡିହ ଗ୍ରାମର ଜନୈକା ଯୁବତୀଙ୍କୁ ବିବାହ କରାଇ ଦେବାକୁ କହି ଜମି ପଟ୍ଟା , ଟଙ୍କା ଓ ଅଳଙ୍କାର ଲୁଟିନେବା ଅଭିଯୋଗରେ ଛନ୍ଦି ହୋଇ ପଡିଥିଲେ ସାରଥି। ୨୦୧୫ ଅଗଷ୍ଟ ୮ ତାରିଖରେ ସାରଥି ଗିରଫ ହେବାପରେ  ଯୁବତୀ ଜଣକ ଗତ ୨୦୧୫ ଅଗଷ୍ଟ ୨୦ ତାରିଖରେ  କ୍ରାଇମବ୍ରାଞ୍ଚ ନିକଟରେ ଏହି ଅଭିଯୋଗ କରିବାରୁ କ୍ରାଇମବ୍ରାଞ୍ଚ ଭାରତୀୟ ଦଣ୍ଡ ସଂହତି ଧାରା ୧୨୦ବି , ୪୨୦,୩୫୪,୫୦୬୵ ୩୪ରେ ମାମଲା ରୁଜୁ କରିଥିଲେ।

୩ଟି ମାମଲାରେ ଜାମିନ ଆବେଦନ କେନ୍ଦ୍ରାପଡା ଏସଡିଜେଏମ, ଏଡିଜେ କୋର୍ଟରେ ଖାରଜ ହେବା ପରେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସାରଥି। ଶେଷରେ ସାରଥିଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା।

କ୍ରାଇମବ୍ରାଞ୍ଚ କେସ ନମ୍ବର ୨୦୵୨୦୧୫ ଓଜିଆର କେସ୍‌ ନମ୍ବର ୧୦୬୨୵୧୫ରେ କେନ୍ଦ୍ରାପଡା ଏସଡିଜେଏମ୍ ଜାମିନ ମଞ୍ଜୁର କରିଛନ୍ତି। ସାରଥିଙ୍କ ଜାମିନୀରେ ପ୍ରମୁଖ ସର୍ତ୍ତାବଳୀ ଅନୁସାରେ ସାରଥି କୋର୍ଟଙ୍କୁ ନଜଣାଇ ବାହାରକୁ ଯାଇ ପାରିବେନି। କେନ୍ଦ୍ରାପଡା ଜିଲ୍ଲା ଭିତରେ ସାରଥିଙ୍କୁ ରହିବାକୁ ପଡିପାରେ। ତେବେ କେନ୍ଦ୍ରାପଡା ଜିଲ୍ଲାର କେଉଁ ସ୍ଥାନରେ ସାରଥିଙ୍କୁ ରହିବାକୁ ହେବ ତାହା ସ୍ପଷ୍ଟ ହୋଇ ପାରିନି। ସାରଥିଙ୍କ ବାରିମୂଳ ଆଶ୍ରମ ଏବେ ଇଡିଙ୍କ ତଦନ୍ତ ପରିସର ଭୁକ୍ତ ରହିଛି। ବାରିମୂଳ ଗାଁରେ ସାରଥିଙ୍କର ଏକ ପୈତୃକ ଘର ରହିଛି। ତେବେ ବାରିମୂଳ ଗାଁରେ ପୁରାଇ ନଦେବାକୁ ଗ୍ରାମବାସୀ ଜିଦ୍ ଧରିଛନ୍ତି। ଏପରିସ୍ଥଳେ ସାରଥି କୁଆଡ଼େ ଯିବେ ତା’ ଉପରେ ନଜର ରହିଛି।

Comment