ଓଡ଼ିଶାଲାଇଭ ବ୍ୟୁରୋ

‘ମୁଁ ବି ଧୋନିଙ୍କ ଫ୍ୟାନ୍’ ଗୁରୁବାର ଏଭଳି ଏକ କଥା କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ। ଧୋନିଙ୍କୁ ଜଣେ କିମ୍ବଦନ୍ତୀ ଖେଳାଳି ବୋଲି କହିବା ସହ ଧୋନିଙ୍କ ନେତୃତ୍ୱରେ ଭାରତ ଭଲ ଖେଳିଛି ବୋଲି କହିଛନ୍ତି ଯୋଗରାଜ। ଧୋନି ଭାରତକୁ ଦ୍ୱିତୀୟ ଥର ପାଇଁ ବିଶ୍ୱକପ ଦେବା ଗର୍ବର କଥା ବୋଲି କହିଛନ୍ତି ଏହି ୬୧ ବର୍ଷିୟ ପୂର୍ବତନ ଭାରତୀୟ ଖେଳାଳି।

ଆଶ୍ଚର୍ଯ୍ୟର କଥା ହେଲା ସବୁ ସମୟରେ ଧୋନିଙ୍କ ବିରୁଦ୍ଧରେ ନକରାତ୍ମକ ମନ୍ତବ୍ୟ ପାଇଁ ବେଶ ପରିଚିତ ଯୋଗରାଜ। ବିଶ୍ୱକପ ସେମିଫାଇନାଲରୁ ଭାରତର ପରାଜୟ ପାଇଁ ସିଧାସଳଖ ଧୋନିଙ୍କୁ ଦାୟୀ କରିଥିଲେ ଯୋଗରାଜ। ବିଶ୍ୱକପରେ ଲଗାତାର ଭାବେ ଧୋନିଙ୍କ ଧିମା ଇଂନିସ୍ ପାଇଁ ତାଙ୍କୁ ଦଳରୁ ନିଜେ ବାହାରି ଯିବାକୁ କହିଥିଲେ ଯୋଗରାଜ। ସେହିଭଳି ବିଶ୍ୱକପ ଦଳରେ ଯୁବରାଜ ସିଂ, ଗୌତମ ଗମ୍ଭୀର, ଅମ୍ବାତି ରାୟୁଡୁଙ୍କୁ ସ୍ଥାନ ନ ମିଳିବା ପରେ ଏଥିପାଇଁ ଧୋନିଙ୍କୁ ଦାୟୀ କରିଥିଲେ।

କିନ୍ତୁ ବର୍ତ୍ତମାନ ସେ ଧୋନିଙ୍କୁ ଜଣେ କିମ୍ବଦନ୍ତୀ ଖେଳାଳି ବୋଲି କହିବା ସହ ସେ ନିଜକୁ ମଧ୍ୟ ଧୋନିଙ୍କ ଫ୍ୟାନ ବୋଲି କହିଛନ୍ତି। ସେ କେବେ ବି ଧୋନିଙ୍କୁ ସମାଲୋଚନା କରିନାହାନ୍ତି । ସବୁବେଳେ ତାଙ୍କ କଥାକୁ ଭୁଲ ଭାବେ ଦେଖାଯାଉଛି ବୋଲି କହିଛନ୍ତି ଯୋଗରାଜ ସିଂ।

Comment