ଓଡ଼ିଶାଲାଇଭ ବ୍ୟୁରୋ  

“ଆମ ବୈଜ୍ଞାନିକମାନେ ହେଉଛନ୍ତି ସର୍ବଶ୍ରେଷ୍ଠ। ସେମାନେ ସ୍ଵଦେଶୀ ମିଶନ ବଳରେ ଚନ୍ଦ୍ରାୟନ-୨କୁ ସଫଳ ଉତକ୍ଷେପଣ କରି ପାରିଛନ୍ତି। ମହାକାଶ ବିଜ୍ଞାନରେ ଆମ ବୈଜ୍ଞାନିକ ମାନେ ସଫଳତା ଅର୍ଜନ କରିପାରିଛନ୍ତି। ଏହା ଆମ ଭାରତ ପାଇଁ ଗର୍ବର ବିଷୟ”, ରବିବାର ଦ୍ଵିତୀୟ ମନକି ବାତରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏହା ବ୍ୟତୀତ ସେ ‘ମନ କି ବାତ’ କାର୍ଯ୍ୟକ୍ରମରେ ଜଳନୀତି, ଅମରନାଥ ଯାତ୍ରା ଆଦି ବିଷୟରେ ଆଲୋଚନା କରିଥିଲେ।

ଜଳନୀତି ପାଇଁ କାମ କରୁଛନ୍ତି ସରକାର

ଜଳନୀତି ଉପରେ ଆଲୋଚନା କରି ମୋଦି କହିଛନ୍ତି, ”ବର୍ତ୍ତମାନ ସମୟରେ ଜଳ ସଂରକ୍ଷଣ ଭାରତୀୟମାନଙ୍କ ପାଇଁ ଏକ ବହୁତ ବଡ଼ ଆହ୍ଵାନ। ସରକାର ଓ ଏନଜିଓ ଏଦିଗରେ ତୃଣମୂଳସ୍ତରରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି।“

ଜଳ ସଂରକ୍ଷଣ କ୍ଷେତ୍ରରେ ଝାଡଖଣ୍ଡ ଓ ମେଘାଳୟର ଉଦ୍ୟମକୁ  ପ୍ରଶଂସା କରିଥିଲେ ମୋଦି। ଏଥିପାଇଁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ।

ସେ ଆହୁରି ମଧ୍ୟ କହିଥିଲେ, “ ହରିୟାଣାରେ କମ୍ ଜଳ ଆବଶ୍ୟକ କରୁଥିବା ଚାଷ ଜମିକୁ ମଧ୍ୟ ଗୁରୁତ୍ଵ ଦିଆଯାଉଛି। ଏଥିରେ ଚାଷୀର ମଧ୍ୟ କୌଣସି କ୍ଷତି ହେବ ନାହିଁ।“

କଶ୍ମୀର ଲୋକଙ୍କୁ ପ୍ରଶଂସା

ଅମରନାଥ ଯାତ୍ରୀରେ ସଫଳ ଯାତ୍ରା କାମନା କରି ମୋଦି କଶ୍ମୀର ଲୋକଙ୍କ ପ୍ରଶଂସା କରି କହିଛନ୍ତି, ”ଗତ ୪ ବର୍ଷ ଅପେକ୍ଷା ଏଥର ସର୍ବାଧିକ ଶ୍ରଦ୍ଧାଳୁ ଅମରନାଥ ଯାତ୍ରା କରିଛନ୍ତି। ଏହା ଖୁସିର କଥା। ଅମରନାଥ ଯାତ୍ରୀଙ୍କୁ କଶ୍ମୀର ବାସୀ ଯେଉଁଭଳି ସେବା ଯୋଗାଇ ଦେଉଛନ୍ତି ତାହା ବେଶ ପ୍ରଶଂସନୀୟ।“

ଚନ୍ଦ୍ରାୟନ-୨ର ଅବତରଣ ଦେଖିବେ ଛାତ୍ରଛାତ୍ରୀ

ବିଜ୍ଞାନ ଓ ବୈଷୟିକ ଜ୍ଞାନ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ମନ କି ବାତ କାର୍ଯ୍ୟକ୍ରମରେ ଆକର୍ଷଣୀୟ ପ୍ରତିଯୋଗିତା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଚନ୍ଦ୍ରାୟନ-୨ର  ଅବତରଣ ଦେଖିବା ପାଇଁ ଦେଶର ଛାତ୍ରଛାତ୍ରୀମାନଙ୍କୁ ଶ୍ରୀହରିକୋଟା ଯିବାପାଇଁ ସୁଯୋଗ ଦିଆଯିବ। ଏଥିପାଇଁ ଛାତ୍ରଛାତ୍ରୀ ମଧ୍ୟରେ କୁଇଜ୍ ପ୍ରତିଯୋଗିତା କରାଯିବ ଏହି ପ୍ରତିଯୋଗିତାରେ ଯେଉଁ ଛାତ୍ରଛାତ୍ରୀମାନେ ଅଧିକ ନମ୍ଵର ରଖିବେ ସେମାନେ ଶ୍ରୀହରିକୋଟା ଯାଇପାରିବେ।

ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବା ପାଇଁ ମୋଦି କହିଥିଲେ, ”ପ୍ରତିଯୋଗିତା ମାଧ୍ୟମରେ ଶ୍ରୀହରିକୋଟା ଯିବାର ସୁଯୋଗକୁ ହାତଛଡ଼ା ଜମାରୁ ବି କରନ୍ତୁ ନାହିଁ। ଅଗଷ୍ଟ ୧ରେ ପ୍ରତିଯୋଗିତା ବିଷୟରେ ସୂଚନା ଦିଆଯିବ।”

ବୈଜ୍ଞାନିକମାନଙ୍କୁ ପ୍ରଶଂସା

ପ୍ରଧାନମନ୍ତ୍ରୀ ଚନ୍ଦ୍ରାୟନ-୨ର ସଫଳତା ପାଇଁ ବୈଜ୍ଞାନିକମାମନଙ୍କୁ ପ୍ରଶଂସା କରିଥିଲେ। ମୋଦି କହିଥିଲେ,”ଆମକୁ ଆମ ପ୍ରତିଭା ଉପରେ ଭରସା କରିବା ଆବଶ୍ୟକ। ବୈଜ୍ଞାନିକମାନେ ଦିନରାତି ଏକ କରି ଚନ୍ଦ୍ରାୟନ-୨କୁ ସଫଳ ଉତକ୍ଷେପଣ କରିପାରିଛନ୍ତି।“

ସେ ଆହୁରି ମଧ୍ୟ କହିଥିଲେ, “ଜୀବନରେ ଅସୁବିଧାକୁ ସାମ୍ନା କରିବାକୁ ସାହସ ଥିବା ଆବଶ୍ୟକ। ବିଭିନ୍ନ ଅସୁବିଧା ଭିତରେ ଭାରତର ଏହି ସଫଳତା ଆଜି ସାରା ବିଶ୍ଵ ଦେଖୁଛି। ସେଥିପାଇଁ ସାରା ଦେଶ ଗର୍ବିତ।”

Comment