ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା: ପର୍ଯ୍ୟଟକମାନଙ୍କ ପାଇଁ ଖୁସି ଖବର। ଆଜିଠୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ଯାଉଛି ଭିତରକନିକା ଜାତୀୟ ଉଦ୍ୟାନ। ଭିତରକନିକାର ଡାଙ୍ଗମାଳ ଓ ଏହାର ଆଖପାଖ ଅଞ୍ଚଳମାନଙ୍କରେ ବାସ କରୁଥିବା ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ପାଇଁ କଟକଣା ଜାରି କରିଥିଲା ବନ ବିଭାଗ। ତେଣୁ ଏହା ଅଗଷ୍ଟ ୧ ତାରିଖରୁ ଅପସାରଣ କରି ନିଆଯାଇଛି।

ଏହି ସମୟରେ ପୁରୁଷ କୁମ୍ଭୀର ଓ ମା କୁମ୍ଭୀରଙ୍କ ମଧ୍ୟରେ ସଙ୍ଗମ ହୋଇଥାଏ। ମା’ କୁମ୍ଭୀରମାନେ ଭିତରକନିକାର ଲୁଣା ଜଙ୍ଗଲ ମଧ୍ୟରୁ ଖରଖରୀ ପତ୍ର ସଂଗ୍ରହକରି ବସା ବାନ୍ଧିଥାନ୍ତି। କିଛିଦିନ ପରେ ମା’ କୁମ୍ଭୀରମାନେ ଅଣ୍ଡା ଦେଇଥାନ୍ତି। ମା’ କୁମ୍ଭୀରମାନେ ଅଣ୍ଡା ଦେଇଥିବା ବସା ନିକଟରେ ଏକ ଗାତ ଖୋଳି ସେଠାରେ ତାଙ୍କ ଅଣ୍ଡାଗୁଡିକୁ ଜଗି ରହିଥାନ୍ତି। ସେମାନେ ବସାଛାଡି କୁଆଡେ ଯା’ନ୍ତି ନାହିଁ। ଛୁଆ କୁମ୍ଭୀରର ସୁରକ୍ଷା ପାଇଁ ମା’ କୁମ୍ଭୀର ଜଗି ରହିଥାଏ। ଏହି ସମୟରେ ମା କୁମ୍ଭୀର ଅତ୍ୟନ୍ତ ହିଂସ୍ର ହୋଇଥାଏ। କେହି ଯଦି ତାର ବସା ନିକଟତର ହୁଏ ତେବେ କୁମ୍ଭୀର ତତକ୍ଷଣାତ ଆକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ଥାଏ। ତେଣୁ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ଏହି ସମୟରେ ପର୍ଯ୍ୟଟକମାନଙ୍କ ପ୍ରବେଶରେ କଟକଣା ଲଗାଇଥାନ୍ତି ବନ ବିଭାଗ।

କିଛିଦିନ ପରେ ଅଣ୍ଡାରୁ ଛୁଆମାନେ ବାହାରିବାପରେ ମା କୁମ୍ଭୀର ଛୁଆ କୁମ୍ଭୀରମାନଙ୍କୁ ସାଙ୍ଗରେ ଧରି ଆଖପାଖରେ ବୁଲାବୁଲି କରିବା ଶିଖାଏ। ଛୁଆମାନେ ଶୀକାର କରି ଶିଖିଲେ ମା’ କୁମ୍ଭୀର ସେମାନଙ୍କୁ ଛାଡି ଚାଲିଯାଇଥାଏ। ଭିତରକନିକା ବନାଞ୍ଚଳ ମଧ୍ୟରେ ଚଳିତ ବର୍ଷ ବନ ବିଭାଗ ୧୦୩ଟି କୁମ୍ଭୀର ବସା ଠାବ କରିଥିଲେ। ଏବେ ଏହି ବସାମାନଙ୍କରୁ କୁମ୍ଭୀର ଶାବକମାନେ ବାହାରି ସାରିଲେଣି ଓ ମା’ କୁମ୍ଭୀର ସହିତ ଜଳାଶୟକୁ ଯାଇ ସାରିଲେଣି। ତେଣୁ ଏବେ ଭିତରକନିକା ବନାଞ୍ଚଳରେ କୁମ୍ଭୀର ଆକ୍ରମଣ ଭୟ ନଥିବାରୁ କଟକଣା ଉଠାଇ ନିଆଯାଇଛି।

Comment