ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ସିରିଏଲ୍ କିଲର ‘ନାଇଫ୍ ମ୍ୟାନ୍’ ନାରାୟଣ ସାହୁ ଶେଷରେ ଜେଲ୍ ଯାଇଛି। ୭୨ ଘଣ୍ଟାର ଘନଘନ ଜେରା ପରେ ପୋଲିସ ତାକୁ ଆଜି ଗିରଫ କରି କୋର୍ଟ ଚାଲାଣ କିରିଛି। ତିନିଟି ହତ୍ୟାକାଣ୍ଡରୁ ଓଏମ୍‌ପି ଛକର ଦୁଇଟି ହତ୍ୟାକାଣ୍ଡରେ ନାରାୟଣର ସଂପୃକ୍ତି ଥିବା ନେଇ ପୋଲିସକୁ ଠୋସ୍ ପ୍ରମାଣ ମିଳିଛି। ରାଣୀହାଟ ହତ୍ୟାକାଣ୍ଡଟିର ସୁରାକ ଯୋଗାଡ଼ କରିବା ପାଇଁ ନାରାୟଣକୁ ପୋଲିସ ରିମାଣ୍ଡରେ ନେବ।

ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଏକ ଛୋଟ ଟାଙ୍ଗିଆ ଓ ନାରାୟଣ ପିନ୍ଧିଥିବା ହଳେ ଗାମୁଛାକୁ ପୋଲିସ ଜବତ କରିଛି। ସେହିପରି ଏକାଧିକ ସିସିଟିଭି ଫୁଟେଜ୍, ଇଲୋକ୍ଟ୍ରୋନିକ୍ସ ସର୍ଭିଲାନ୍ସ, ପାରିପାର୍ଶ୍ୱିକ ତଥ୍ୟ ଓ ଏକାଧିକ ସାକ୍ଷୀଙ୍କ ବୟାନକୁ ଆଧାର କରି ପୋଲିସ ନାରାୟଣକୁ କୋର୍ଟରେ ହାଜର କରିଥିଲା। ଏହିସବୁ ତଥ୍ୟ ପ୍ରମାଣ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ପର୍ଯ୍ୟାପ୍ତ ହେବ ବୋଲି କଟକ ଡିସିପି ଅଖିଳେଶ୍ୱର ସିଂହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଓଏମ୍‌ପି ଛକ ପାରଳା ମହାରାଜ ପାର୍କ ପାଖରେ ଗଲା ତିନି ମାସ ହେବ ଅଭିଯୁକ୍ତ ନାରାୟଣ ସାହୁ ରହି ଆସୁଥିଲା। ପାର୍କ ପଛପଟେ ଥିବା ପାଚେରୀ କାନ୍ଥରେ ଜରିପାଲ ଟାଙ୍ଗି ରହୁଥିଲା। ମାତ୍ର କିଛି ଦିନ ଭିତରେ ତାର ଏହି ପାଲ ଟଙ୍ଗା ଘରକୁ କେହି ନିଆଁ ଲଗାଇ ପୋଡ଼ି ଦେଇଥିଲା। ପରେ ଏହାଠାରୁ ସାମାନ୍ୟ ଦୂରରେ ସେ ପୁଣି ପାଲ ଟାଙ୍ଗି ଆଉ ଏକ ଘର କରି ରହିବାକୁ ଲାଗିଲା। ପାର୍କର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା ଦର୍ଶାଇ ତାର ଏହି ଘରକୁ ମଧ୍ୟ କିଛି ଲୋକ ଭାଙ୍ଗି ଦେଲେ। ଶେଷରେ ସେ ପାର୍କ ପାଖରୁ ଚାଲିଯାଇ ମାଲଗୋଦାମ ଓଭରବ୍ରିଜ୍ ଆରମ୍ଭ ହେଉଥିବା ସ୍ଥାନର ଡାହାଣ ପଟେ ପାଲ ଟାଙ୍ଗି ଏକ ଘର କରି ରହିଥିଲା।

ତେବେ ତାର ଘର ପୋଡ଼ିବା ଓ ଘର ଭାଙ୍ଗିବା ଘଟଣାରେ ନିକଟର କିଛି ଲୋକ ସଂପୃକ୍ତ ଥିଲେ ବୋଲି ସେ ସନ୍ଦେହ କରୁଥିଲା। ଏଥିପାଇଁ ତା’ ମନରେ ଭିଷଣ ରାଗ ମଧ୍ୟ ଥିଲା।

ଗତ ୨୪ ତାରଖ ଭୋର ସମୟରେ ସେ ନିଜ ପାଲଟଙ୍ଗା ଘରୁ ଉଠିଥିଲା। ପାଖରେ ରଖିଥିବା ଟାଙ୍ଗିଆକୁ ନେଇ ପ୍ରଥମେ ପାରଳା ପାର୍କ ପାଖକୁ ଯାଇଥିଲା। ପାର୍କ ସମ୍ମୁଖରେ ପଣ୍ଡା ନାମକ ଯୁବକ ଶୋଇଥିବା ସେ ଦେଖିବାକୁ ପାଇଲା। ଏହା ପରେ ସେ ଯୁବକର ବେକକୁ ଟାଙ୍ଗିଆରେ କାଟିଦେଇଥିଲା।

ମାତ୍ର ଏହି ସମୟରେ ପାର୍କ କଡ଼ରେ ଶୋଇଥିବା ଆଉ ଜଣେ ବୃଦ୍ଧ ହଠାତ୍ ନିଦରୁ ଉଠିପଡ଼ିଲେ। ଏହି ବୃଦ୍ଧଙ୍କୁ ଦେଖି ନାରାୟଣ ହଡ଼ବଡ଼ାଇ ଯାଇଥିଲା। ସେ ତୁରନ୍ତ ଧରିଥିବା ଟାଙ୍ଗିଆରେ ଉକ୍ତ ବୃଦ୍ଧଙ୍କ ବେକକୁ କାଟି ଦେଇଥିଲା। ବୃଦ୍ଧ ଜଣକ ତଳେ ପଡ଼ି ଛଟଛଟ ହେଉଥିବାର ଦେଖି ସେ ସେଠାରୁ ଖସି ଓଏମ୍‌ପି ଓଭରବ୍ରିଜ୍ ଅଭିମୁଖେ ପଳାଇଥିଲା।

କିଛି ସମୟ ପରେ ସେ ବୁଲାବୁଲି କରି ପାଲଟଙ୍ଗା ଘରକୁ ଫେରି ଦେଖିଲା ବେଳକୁ ପାର୍କ ପାଖରେ ପୋଲିସ ପଇଁତରା ମାରୁଛି। କାଳେ ସେ ଏହି ମାମଲାରେ ଧରାପଡ଼ିଯିବ ସେଥିପାଇଁ ସେ ଭୟରେ ଓଏମ୍‌ପିରୁ ଚାଲିଚାଲି ଲିଙ୍କରୋଡ୍ ପର୍ଯ୍ୟନ୍ତ ଗଲା। ପରେ ଲିଙ୍କ ରୋଡରୁ ଭୁବନେଶ୍ୱର ଯାଉଥିବା ଏକ ବସ୍‌ରେ ଚଢ଼ି ପ୍ରଥମେ ଭୁବନେଶ୍ୱର ଓ ପରେ ସେଠାରୁ ନୟାଗଡ଼ ଓଡ଼ଗାଁ ସୁନାମୁହିଁ ଗାଁକୁ ପଳାଇଥିଲା।

ଓଏମ୍‌ପି ଛକରେ ଯେଉଁ ବୃଦ୍ଧଙ୍କ ବେକକୁ ନାରାୟଣ କାଟି ଦେଇଥିଲା ସେହି ବୃଦ୍ଧଙ୍କ ସହିତ ତାର ଜରି ଓ ବୋତଲ ଗୋଟାକୁ ନେଇ ବହୁବାର ପାଟିତୁଣ୍ଡ ହୋଇଥିବା ପୋଲିସ କହିଛି। ଏହି ରାଗରେ ବୃଦ୍ଧଙ୍କ ବେକକୁ କାଟିଥିବା ନାରାୟଣ ପୋଲିସ ଆଗରେ ସ୍ୱୀକାର କରିଥିବା ଡିସିପି କହିଛନ୍ତି।

ଅନ୍ୟପଟେ ସିରିଏଲ୍ କିଲିଂର ପ୍ରଥମ ଘଟଣା କୁହାଯାଉଥିବା ରାଣୀହାଟ କେନାଲ୍ ରୋଡ୍ କୋଦଣ୍ଡ ରାଉତ ହତ୍ୟାକାଣ୍ଡକୁ ନେଇ ପୋଲିସ ଏବେ ବି ସନ୍ଦେହରେ ରହିଛି। ନାରାୟଣ ସାହୁ ଏହି ହତ୍ୟାକାଣ୍ଡ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବୟାନ ଦେଉଥିବାରୁ ପୋଲିସ ନିର୍ଦ୍ଦିଷ୍ଟ ଥିଓରୀ ପାଖରେ ପହଞ୍ଚି ପାରୁନାହିଁ। ତେଣୁ ପୋଲିସ କେବଳ ଓଏମ୍‌ପି ଛକର ଦୁଇଟି ହତ୍ୟାକାଣ୍ଡକୁ ନେଇ ନାରାୟଣକୁ କୋର୍ଟ ଚାଲାଣ କରିଛି।

ରାଣୀହାଟ ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ପଚରା ଉଚରା କରିବା ପାଇଁ ନାରାୟଣକୁ ୭ ଦିନିଆ ରିମାଣ୍ଡରେ ଆଣିବ ପୋଲିସ। ଆସନ୍ତା ସପ୍ତାହରେ ଏହି ରିମାଣ୍ଡ ଆବେଦନ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି। ରିମାଣ୍ଡ ଆସିବା ପରେ ଅଭିଯୁକ୍ତର ଡିଏନ୍ଏ ଟେଷ୍ଟ ଓ ପଲିଗ୍ରାଫ୍ ଟେଷ୍ଟ ମଧ୍ୟ କରାଯିବ ବୋଲି ଡିସିପି କହିଛନ୍ତି।

Comment