ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଧୋତି ପିନ୍ଧା ନେତାଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଏହି ପ୍ରସଙ୍ଗଟିକୁ ବରିଷ୍ଠ କଂଗ୍ରେସ ନେତା ଓ ବଲାଙ୍ଗିର ବିଧାୟକ ନିକଟରେ ବିଧାନସଭାରେ ଉଠାଇଥିଲେ। ବିଧାନସଭାର ଚଳିତ ଅଧିବେଶନ ଆରମ୍ଭ ହେବା ପରଠାରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳ ଓ ବିରୋଧୀ ଦଳ ମଧ୍ୟରେ ଦୋଷ ଲଦାଲଦି ଚାଲିଥିବା ବେଳେ ନରସିଂହ ମିଶ୍ରଙ୍କ ଧୋତି ପିନ୍ଧା ମନ୍ତବ୍ୟଟି ଗୃହର ଗମ୍ଭୀର ପରିବେଶକୁ ବୁଧବାର ଦିନ କିଞ୍ଚିତ ହାଲକା କରିପକାଇଥିଲା।
ନରସିଂହ ମିଶ୍ର କହିଲେ ଯେ ଆଜିକାଲି ଧୋତିପିନ୍ଧା ନେତାଙ୍କୁ ଆଉ ଦେଖିବାକୁ ମିଳୁନାହିଁ। ଯୁବ ବିଧାୟକମାନେ ପାରମ୍ପରିକ ଧୋତି ପୋଷାକକୁ ପ୍ରାୟ ଭୁଲି ଗଲେଣି ବୋଲି ସେ ମନ୍ତବ୍ୟ ଦେଇଥିଲେ। ଚଳିତ ବିଧାନସଭାରେ ମାତ୍ର ଚାରି ଜଣ ବିଧାୟକ ଧୋତି ପିନ୍ଧୁଛନ୍ତି ବୋଲି କହିବାକୁ ଯାଇ ସେ କହିଲେ ଯେ ଲୋକ ପ୍ରତିନିଧିମାନେ ରାଜ୍ୟର ପାରମ୍ପରିକ ପୋଷାକକୁ ଭୁଲି ଯାଇ ସାରିଲେଣି। ନୂଆ ପିଢ଼ିର ବିଧାୟକମାନେ ଧୋତି କେମିତି ପିନ୍ଧା ଯାଏ ସେତିକି ବି ଜାଣିନାହାନ୍ତି ବୋଲି ଶ୍ରୀ ମିଶ୍ର ଟିପ୍ପଣୀ କରିଥିଲେ।

ତାଙ୍କ ଜମାନାକୁ ମନେ ପକାଇବାକୁ ଯାଇ ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଧୋତି ପିନ୍ଧୁଥିଲେ। ନିଜେ ମିଶ୍ର ଏବେ ବି ଧୋତି ପିନ୍ଧି ବିଧାନସଭା ଆସିଥା’ନ୍ତି। ତାଙ୍କ ମତ ଥିଲା ଯେ ଗୃହରେ ସମସ୍ତେ ଓଡ଼ିଶାର ସଂସ୍କୃତି ଓ ପରମ୍ପରା କଥା କହୁଛନ୍ତି ଅଥଚ ଗୃହକୁ ଆସିବା ବେଳେ ପ୍ୟାଣ୍ଟ ସାର୍ଟ ପିନ୍ଧି ଆସୁଛନ୍ତି।
ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଲକ୍ଷ୍ୟ କରି ନରସିଂହ ମିଶ୍ର କହିଲେ ଯେ ଆପଣ ବି ଧୋତି ପିନ୍ଧିବା ଦରକାର। ଏଥିରେ ଜବାବ ରଖି ବାଚସ୍ପତି କହିଲେ, ‘‘ଏହା ମୋ ଦ୍ୱାରା ସମ୍ଭବ ନୁହେଁ କାରଣ ମୁଁ ବାଟରେ ଚାଲିବା ବେଳେ ପଡ଼ି ଯାଇପାରେ।’’
ଉଲ୍ଲେଖଯୋଗ୍ୟ ଯେ ନରସିଂହ ମିଶ୍ରଙ୍କ ବ୍ୟତୀତ ଶାସକ ବିଜେଡିର ଅନନ୍ତ ଦାସ (ଭୋଗରାଇ) ଓ ନିତ୍ୟାନନ୍ଦ ସାହୁ (ବସ୍ତା) ଧୋତି ପିନ୍ଧି ବିଧାନସଭାକୁ ଆସିଥାନ୍ତି।
















