ଓଡ଼ିଶାଲାଇଭ ବ୍ୟୁରୋ

ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ ଦେବେ ପୂର୍ବ ଅପେକ୍ଷା ୧୦ଗୁଣା ଅଧିକା ଜରିମାନା। ଲୋକସଭା ପରେ ରାଜ୍ୟସଭାରେ ମୋଟର ଯାନ ସଂଶୋଧନ ବିଲ। ମୋଟର ଯାନ ଆଇନ ୧୯୮୮କୁ ପରିବର୍ତ୍ତନ କରାଯାଇ ସଂଶୋଧନ କରାଯାଇଛି। ଏବେ ବେପରୁଆ ଗାଡ଼ି ଚଲାଇ ଟ୍ରାଫିକ ନିୟମ ଭାଙ୍ଗୁଥିବା ଚାଳକଙ୍କୁ କ୍ଷମା କରାଯିବ ନାହିଁ।

ମଦପିଇ ଗାଡ଼ି ଚଲାଇଲେ ୧୦ହଜାର

ଏଣିକି ମଦୁଆ ଡ୍ରାଇଭର ଦେବେ ୫ଗୁଣା ଅଧିକ ଜରିମାନା। ପୂର୍ବରୁ ମଦ ପିଇ ଗାଡ଼ି ଚଲାଉଥିବା ଚାଳକଙ୍କଠୁ ୨ହଜାର ଜରିମାନା ଆଦାୟ କରାଯାଉଥିଲା। ବର୍ତ୍ତମାନ ସଂଶୋଧିତ ଆଇନ ବିଲରେ ପରିଣତ ହେଲେ ତାହା ୨ହଜାର ପରିବର୍ତ୍ତେ ୧୦ହଜାର ହୋଇଯିବ। ମଦୁଆ ଚାଳକଙ୍କ ଯୋଗୁଁ ଅଧିକ ଦୁର୍ଘଟଣା ହେଉଥିବାରୁ ତାଙ୍କ ପାଇଁ ଅଧିକ ଜରିମାନା କରାଯାଇଛି।

ସିଟବେଲ୍ଟ ନପିନ୍ଧିଲେ ୧ହଜାର

କାର ଓ ଅନ୍ୟ ଚାରି ଚକିଆ ଯାନରେ ସିଟବେଲ୍ଟ ନପିନ୍ଧିଲେ ଦେବେ ପୂର୍ବାପେକ୍ଷା ୧୦ଗୁଣା ଜରିମାନା। ପୂର୍ବରୁ ଏହି ଜରିମାନା ୧୦୦ଟଙ୍କା ଥିବାବେଳେ ବର୍ତ୍ତମାନ ତାହା ୧ହଜାର କରାଯିବ।

ବିନାହେଲମେଟରେ ଗଲେ ଦେବେ ୧ହଜାର

ହେଲେମେଟ ନପିନ୍ଧି ସହରରେ ପୋଲିସକୁ ଚକମା ଦେଉଥିବା ବାଇକ ଚାଳକଙ୍କୁ ବଡ଼ ଝଟକା। ଏଣିକି ଧରା ପଡ଼ିଲେ ଗଣିବେ ୧ହଜାର ଟଙ୍କା। ୩ମାସ ଯାଏଁ ଲାଇସେନ୍ସ ରଦ୍ଧ କରାଯିବ। ପୂର୍ବରୁ ଏହି ଜରିମାନା ୧୦୦ ଥିବାବେଳେ ବର୍ତ୍ତମାନ ତାହା ୧ହଜାର କରାଯାଇଛି।

ଫୋନରେ ଗପି ଗାଡ଼ି ଚଲାଇଲେ ୫ହଜାର

ଗାଡି ଚଲାଇଲା ବେଳେ ଗୋଟେ ହାତରେ ଫୋନ ଧରି କଥା ହେଲେ ଓ ହେଲମେଟରେ ଫୋନ ପୂରାଇ କଥା ହେଲେ ଦେବେ ଜରିମାନା। ଫୋନରେ ଗପିଲେ, ଓଭରଟେକ ଓ ରଙ୍ଗ ରୁଟରେ ଗଲେ ଏଣିକି ଦେବେ ୫ଗୁଣା ଜରିମାନା। ପୂର୍ବରୁ ଏହି ଜରିମାନା ୧ହଜାର ଥିବାବେଳେ ଏହା ଏବେ ୫ହଜାରରେ ପହଞ୍ଚିଛି।

ଲାଇସେନ୍ସ ନଥିଲେ ୫ହଜାର

ବିନା ଲାଇସେନ୍ସ ଓ ବେପରୁଆ ଗାଡ଼ି ଚାଳକ ହେଇଯାଆନ୍ତୁ ସାବଧାନ। ଏଣିକି ବିନା ଲାଇସେନ୍ସରେ ଧରା ପଡ଼ିଲେ ଦେବେ ବଡ଼ ଆକାରର ଜରିମାନ। ପୋଲିସମାନେ ଏହି କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଜରିମାନା ରାଶି ୫୦୦ରୁ ୫ହଜାରକୁ ବୃଦ୍ଧି କରାଯାଇଛି।

ନାବାଳକ ଗାଡ଼ି ଚଲାଇଲେ ଅଭିଭାବକ ପାଇବେ ଦଣ୍ଡ

ନାବଳକ କିମ୍ଵା ନାବାଳିକା ଗାଡ଼ି ଚଲାଇଲେ ପୂର୍ବରୁ କୌଣସି ଜରିମାନା ନଥିଲା ବେଳେ ବର୍ତ୍ତମାନ ଧରା ପଡ଼ିଲେ ଅଭିଭାବକ ଓ ଗାଡ଼ି ମାଲିକଙ୍କୁ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏହାସହ ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

Comment