ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ଏଥର ପାଟକୁରା ନିର୍ବାଚନ ମଇଦାନରେ ଦେଖିବାକୁ ମିଳିଥିଲା।

ନେତାଙ୍କ ପୁଅ ନେତା। ଅତୀତରେ ଏମିତି ଅନେକ ଉଦାହରଣ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି। ବାପା ପରେ ପୁଅ ରାଜନୀତିକୁ ଆସିବା କିଛି ନୂଆ କଥା ନୁହେଁ। ହେଲେ ପାଟକୁରା ନିର୍ବାଚନ ଶେଷ ହେଉ ହେଉ ଏବେ ଏହି ରାସ୍ତାରେ ପାଦ ଦେଇଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର। ବିଜୟ ତାଙ୍କ ପୁଅ ଅରବିନ୍ଦ ମହାପାତ୍ର ଓରଫ୍ ବାବୁଙ୍କୁ ରାଜନୀତିକୁ ଆଣିବା ପାଇଁ ଚାହୁଁଥିବା ଏବେ କେନ୍ଦ୍ରାପଡ଼ା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅରବିନ୍ଦ ମହାପାତ୍ର ଓରଫ୍ ବାବୁ ନିକଟରେ ଶେଷ ହୋଇଥିବା ପାଟକୁରା ନିର୍ବାଚନ ମଇଦାନରେ ହଠାତ ଆବିର୍ଭାବ ହୋଇଥିଲେ। ଯଦିଓ ତାଙ୍କୁ ଫ୍ରଣ୍ଟଲାଇନ ପ୍ରଚାରରେ ଦେଖିବାକୁ ମିଳି ନଥିଲା, ହେଲେ ସେ ବିଜୟଙ୍କ ପ୍ରଚାର ଦାୟିତ୍ୱ ବୁଝୁଥିବା କୁହାଯାଉଛି। ଏପରିକି ସେ ଯୁବ ଭୋଟରଙ୍କୁ ମନାଇବା ପାଇଁ ପାଟକୁରା ନିର୍ବାଚନ ମଇଦାନରେ ଗୋଟି ଚାଳନା କରୁଥିବା କୁହାଯାଉଛି।

କାହିଁକି ପୁଅକୁ ଆଣିଲେ ବିଜୟ?

ବିଜୟ ମହାପାତ୍ର ଗତ ୨୦୦୪ରୁ ୨୦୧୪ ଯାଏଁ ନିର୍ବାଚନରେ ପରାଜିତ ହୋଇ ଆସୁଥିଲେ। ୨୦୧୯ ତାଙ୍କ ପାଇଁ ଶେଷ ଲଢ଼େଇ ବୋଲି କୁହାଯାଉଥିଲା। ଏହି ଲଢ଼େଇରେ ବିଜୟ ଜିତିବା ନେଇ ଅନେକ ଆଶା ରଖିଥିଲେ। ଏଣୁ ପୁଅକୁ ଶେଷ ଲଢ଼େଇରେ ପାଟକୁା ନିର୍ବାଚନ ମଇଦାନକୁ ଆଣିଥିଲେ ବିଜୟ।

ପ୍ରଥମ କଥା ହେଉଛି ପାଟକୁରାର ଯୁବ ଭୋଟରଙ୍କୁ ମନାଇବା ପାଇଁ ବିଜୟ ଚାହୁଁଥିଲେ। ଏଣୁ ସେ ତାଙ୍କ ପୁଅକୁ ନିର୍ବାଚନ ପ୍ରଚାରରେ ସାମିଲ କରିଥିଲେ। ଅରବିନ୍ଦ ମଧ୍ୟ ବାପାଙ୍କ ପାଇଁ ପ୍ରଚାର କରିଥିବା ଦେଖିବାକୁ ମିଳିଛି।

ଆଉ ଗୋଟିଏ କଥା ହେଉଛି ବିଜୟଙ୍କର ଏବେ ବୟସ ହୋଇଗଲାଣି। ୨୦୨୪ ବେଳକୁ ଯଦି ସେ ସୁସ୍ଥ ଥିବେ ତାହାଲେ ନିର୍ବାଚନ ଲଢ଼ିବେ। ନହେଲେ ପୁଅକୁ ପ୍ରାର୍ଥୀ କରିପାରନ୍ତି ବୋଲି ବିଜୟଙ୍କର ନିକଟତମ ଲୋକଙ୍କ ପାଖରୁ ଶୁଣିବାକୁ ମିଳୁଛି। ଏଣୁ ୨୦୧୯ ଲଢ଼େଇରେ ବିଜୟ ତାଙ୍କ ପୁଅକୁ ଲୋକଙ୍କ ପାଖରେ ପ୍ରୋଜେକ୍ଟ କରିଥିବା ଚର୍ଚ୍ଚା ହେଉଛି।

ବିଜୟଙ୍କ ପୁଅ ସକ୍ରିୟ ରାଜନୀତିରେ ନାହାନ୍ତି। ସେ ଏକ ସଫ୍ଟୱେୟାର କମ୍ପାନିରେ ଚାକିରି କରୁଛନ୍ତି। ବିଦେଶରେ ମଧ୍ୟ ରହୁଥିଲେ। ଗତ କିଛି ମାସ ହେଲା ସେ ଓଡ଼ିଶା ଫେରିଛନ୍ତି। ବର୍ତ୍ତମାନ ସେ ଓଡ଼ିଶାରେ ଥିବାରୁ ବାପାଙ୍କୁ ନିର୍ବାଚନରେ ସହଯୋଗ କରିବାକୁ ଆଗେଇ ଆସିଥିବା କୁହାଯାଉଛି।

ଗଡ଼ ଜଗିଛନ୍ତି ବିଜୟ!

ପାଟକୁରା ନିର୍ବାଚନରେ ବିଜୟ ପରାଜିତ ହୋଇଛନ୍ତି। ଲଗାତର ସେ ପାଞ୍ଚ ଥର ପରାଜିତ ହୋଇଛନ୍ତି। ହେଲେ ତାଙ୍କ ମନୋବଳ କମି ଯାଇନି। ଏହାର ପ୍ରମାଣ ହେଉଛି ଅଗଷ୍ଟ ପହିଲାରେ ଡେରାବିଶର ଛତାଠାରେ ହୋଇଥିବା କର୍ମୀ ସମ୍ମିଳନୀ।

ନିର୍ବାଚନ ହାରିବା ପରେ ବିଜୟ ପ୍ରଥମ ଥର ପାଇଁ ପାଟକୁରା ନିର୍ବାଚନମଣ୍ଡଳୀର ଡେରାବିଶ ବ୍ଲକ ଆସିଥିଲେ।

ଡେରାବିଶର ଆରାଧ୍ୟ ଠାକୁର ଲଛମାନଜୀଉଙ୍କୁ ଦର୍ଶନ କରିବା ପରେ ଛତାଠାରେ କର୍ମୀମାନଙ୍କ ଗହଣକୁ ଆସିଥିଲେ। ଶହ ଶହ ମହିଳା ଏବଂ ପୁରୁଷ ସମର୍ଥକ ବିଜୟଙ୍କୁ ପାଛୋଟି ନେଇଥିଲେ। ବିଜୟ କର୍ମୀମାନଙ୍କୁ ଉଦବୋଧନ ଦେଇ ମନୋବଳ ଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ।

‘‘ପାଟକୁରାରେ ସଙ୍ଗଠନକୁ ସୁଦୃଢ଼ କରାଯିବ। ମୁଁ ନିଜେ ପଞ୍ଚାୟତରୁ ପଞ୍ଚାୟତକୁ ବୁଲି ସଙ୍ଗଠନ କଥା ବୁଝିବି। ନବୀନ ବାବୁ ଏବଂ ତାଙ୍କ ନେତାମାନେ ପାଟକୁରାରେ ଚଳିତ ନିର୍ବାଚନରେ ଯାହା କଲେ ତାହା ଅତୀତରେ କେବେ ଦେଖିବାକୁ ମିଳି ନଥିଲା। ପାଟକୁରା ହେଉଛି ମୋର। ପାଟକୁରାବାସୀଙ୍କ ସହ ମୁଁ ସବୁବେଳେ ରହିଛି’’, କର୍ମୀ ସମ୍ମିଳନୀରେ ଏହା କହି ବିଜୟ ଆଗାମୀ ରଣନୀତି ପାଇଁ ବିଗୁଲ ଫୁଙ୍କିଥିବା ଚର୍ଚ୍ଚା ହେଉଛି।

ତେବେ ବିଜୟ ଏହି ବିଗୁଲ୍‌ ଡେରାବିଶରେ ନିଜ ପାଇଁ ନା ପୁଅ ପାଇଁ ଫୁଙ୍କିଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଜୋର୍‌।

ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ମତ ହେଉଛି ଯେ ବିଜୟ ଆଉ ନିର୍ବାଚନ ଲଢ଼େଇରେ ସାମିଲ ହେବେ ନାହିଁ। ସେ ନିଜ ପୁଅ ପାଇଁ ଏବେଠୁ ରାସ୍ତା କ୍ଲିୟର କରୁଥିବା ମତ ଦେଇଛନ୍ତି।

ପୂର୍ବରୁ ଆସିଥିଲେ ପୁଅ

ଅତୀତରେ ବାପ-ପୁଅ ରାଜନୀତି ଦେଖିଛନ୍ତି ଓଡ଼ିଶାବାସୀ। ପୂର୍ବରୁ ହରେକୃଷ୍ଣ ମହତାବଙ୍କ ପୁଅ ଭର୍ତ୍ତୃହରି ମହତାବ, ନନ୍ଦିନୀ ଶତପଥୀଙ୍କ ପୁଅ ତଥାଗତ ସତପଥୀ, ନୀଳମଣି ରାଉତରାୟଙ୍କ ପୁଅ ବିଜୟଶ୍ରୀ ରାଉତରାୟଙ୍କୁ ସକ୍ରିୟ ରାଜନୀତିରେ ଦେଖିବାକୁ ମିଳିଥିଲା।

ଏହାପରେ ପ୍ରଫୁଲ୍ଲ ଘଡ଼ାଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼ାଇ, କଳ୍ପତରୁ ଦାସଙ୍କ ପୁଅ ପ୍ରଣବ ବଳବନ୍ତରାୟ, ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଦାସ, ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି, ଅନଙ୍ଗ ଉଦୟ ସିଂହଦେଓଙ୍କ ପୁଅ କଳିକେଶ ଏବଂ ଅର୍କେଶ ସିଂହଦେଓ ଆଦି ସକ୍ରିୟ ରାଜନୀତିକୁ ଆସିଥିଲେ।

ଗତ ୨୦୧୯ ନିର୍ବାଚନ ବେଳେ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ, ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀ, ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ, ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କ ପୁଅ ରାଜନୀତିକୁ ଆସିଥିଲେ। ନିର୍ବାଚନ ଲଢ଼ି ବିଧାୟକ ମଧ୍ୟ ହୋଇଛନ୍ତି।

ଏବେ ଏହି ରାସ୍ତାରେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ପାଦ ଦେଉଥିବା ଚର୍ଚ୍ଚା ହେଉଛି।

Comment