ଓଡ଼ିଶାଲାଇଭ ବ୍ୟୁରୋ

ଜମି ନୁହେଁ କି ପୂର୍ବ ଶତ୍ରୃତା ନୁହେଁ ଘଟଣାଟି ଘଟିଛି କେନାଲ ପାଣିକୁ ନେଇ। କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ସାଗର ଓ ପାଞ୍ଚଗୋଛିଆ ଗ୍ରାମବାସୀଙ୍କ ମଧ୍ୟରେ କେନାଲ ପାଣିକୁ ନେଇ ଘଟିଛି ଖଣ୍ଡଯୁଦ୍ଧ। ଉଭୟ ଗ୍ରାମର ମହିଳା ଓ ପୁରୁଷମାନେ ତୀର, ଟାଙ୍ଗିଆ ଓ ପାର୍ସାରେ ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ଜଣ ଆହତ ହୋଇଛନ୍ତି।

ଆହତମାନେ କଟକ ବଡ଼ ମେଡିକାଲ ସମେତ ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୁଇ ଗ୍ରାମ ମଧ୍ୟରେ ଅନେକ ବର୍ଷ ଧରି ଚାଲିଥିବା କେନାଲ ପାଣି ବିବାଦ ରବିବାର ଉଗ୍ର ରୂପ ନେଇଛି।

ବହୁ ବର୍ଷ ତଳେ ସାଗର ଚାମୁଣ୍ଡାପଲ୍ଲୀ ବନ୍ଧକୁ ଗ୍ରାମବାସୀ ଖୋଳିଥିଲେ। ଏହାକୁ ସାଗର ବନ୍ଧକୁ ସଂଯୋଗ କରି ପାଣିକୁ ଆଖପାଖ ରଙ୍ଗବାଡୁ, ବଡ଼ବାରେଣି, ବନ୍ଧହୁଡ଼ା, ଅଢ଼େଇବାରେଣିରେ ଥିବା ଦୁଇ ହାଜାର ହେକ୍ଟରରୁ ଅଧିକ ଚାଷ ଜମିକୁ ଜଳ ଯୋଗାଇ ଦିଆଯାଏ।

ହେଲେ ପାଞ୍ଚଗୋଛିଆ ଗ୍ରାମବାସୀ ସେହି ବନ୍ଦର ତଳ ପଟୁ ଏକ ଘାଇ କରିଦେଇଥିବାରୁ ସାଗର କେନାଲକୁ ଆଉ ପାଣି ଆସୁନଥିଲା। ଏହାକୁ ନେଇ ସାଗର ଓ ପାଞ୍ଚଗୋଛିଆ ଗ୍ରାମରେ ବିବାଦ ଲାଗିରହିଥିଲା। ପ୍ରଶାସନ ଉପସ୍ଥିତିରେ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଉପାୟ ବାହାରି ନଥିଲା। ଫଳରେ ରବିବାର ଏହା ଉଗ୍ରରୂପ ନେଇଛି।

ରବିବାର ସକାଳୁ ସାଗର ଗ୍ରାମର କିଛି ଲୋକ କେନାଲ ପାଣି ଯାଉଥିବା ବାଟରେ ବନ୍ଧ କରିଥିଲେ। ଏହାକୁ ନେଇ ପାଞ୍ଚଗୋଛିଆ ଗ୍ରାମବାସୀଙ୍କ ସହ ବଚସା ଆରମ୍ଭ ହୋଇ ଗଣ୍ଡଗୋଳ ଆଗରମ୍ଭ ହୋଇଥିଲା।

ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ପକ୍ଷରୁ ଗ୍ରାମରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗଣ୍ଡଗୋଳକାରୀଙ୍କ ମଧ୍ୟରୁ କିଛିଙ୍କୁ ପୋଲିସ ଅଟକ ରଖିଛି।

Comment