ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ ହେବା ପରେ ପାକିସ୍ତାନ ଏବେ ଭୋକ ବିକଳରେ ତାଟିଆ କାମୁଡୁଛି। ଭାରତ ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ନିଜ ଆଡୁ ସମ୍ପର୍କ କାଟୁଛନ୍ତି।

୩୭୦ ଉଛେଦ ହେବା ପରେ ଇମ୍ରାନ ଖାନ୍ ଚିନ୍ତାରେ ପଡ଼ିଛନ୍ତି। ଭାରତ ନିଜ ଅଞ୍ଚଳରୁ ୩୭୦ ଉଛେଦ କରିଥିଲେ ମଧ୍ୟ ପାକିସ୍ତାନର ହରଡ଼କମ୍ପ ହୋଇଛି। ଫଳରେ ଇମ୍ରାନ ଭାରତ ସହିତ ସମ୍ପର୍କ କାଟି ଚାଲିଛନ୍ତି।

ଗତ ୫ ତାରିଖରେ ରାଜ୍ୟସଭା ଏବଂ ୬ ତାରିଖରେ ଲୋକସଭାରେ ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍‌ ପାସ୍ କରିଥିଲେ ମୋଦି ସରକାର। ଏହାକୁ ନେଇ ଭାରତରେ ବିତର୍କ ଚାଲିଥିବା ବେଳେ ପାକିସ୍ତାନ ପାର୍ଲାମେଣ୍ଟରେ ବସିଥିଲା ମିଳିତ ଅଧିବେଶନା ଏହି ଅଧିବେଶନରେ ଭାରତ ଜମ୍ମୁ କଶ୍ମୀରରୁ ୩୭୦ ହଟାଇବା ବେଆଇନ ବୋଲି ଆଲୋଚନା ହୋଇଥିଲା।

ଖାଲି ସେତିକି ନୁହେଁ, ଭାରତରେ ଆଗାମୀ ଦିନରେ ପୁଲୱାମା ଭଳି ଆକ୍ରମଣ ହୋଇପାରେ ବୋଲି ଇମ୍ରାନ ପରୋକ୍ଷରେ ଧମକ ଦେଇଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ମନ୍ତବ୍ୟ ଉପରେ ଭାରତ କୌଣସି ପ୍ରତିକ୍ରିୟା ଦେଇ ନଥିଲେ ମଧ୍ୟ  ପାକିସ୍ତାନ ନିଜ ଆଡୁ ସମ୍ପର୍କ କାଟି ଚାଲିଛି।

ପାକିସ୍ତାନରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କୁ ପ୍ରଥମେ ପାକ୍ ସରକାର ସମନ କରିଥିଲେ। ଏହାର ଗୋଟିଏ ଦିନ ପରେ ପାକ୍ ସରକାର ନିର୍ଦ୍ଦେଶ ଦେଲେ ଯେ ପାକିସ୍ତାନରୁ ଭାରତୀୟ ଦୂତାବାସ ହଟାଯାଉ। ଏହା ଥିଲା ଭାରତ ସହିତ ପାକିସ୍ତାନ ସମ୍ପର୍କ କାଟିବାର ପ୍ରଥମ ପାହାଚ।

ଏହାପରେ ଇମ୍ରାନ ତାଙ୍କ ବାସଭବନରେ ଡାକିଥିଲେ ଜାତୀୟ ସୁରକ୍ଷା କମିଟିର ବୈଠକ। ଜମ୍ମୁ କଶ୍ମୀରରୁ ୩୭୦ ଉଛେଦ ହେବା ପରେ ପାକିସ୍ତାନ ସୀମାରେ ସୁରକ୍ଷା ବ୍ୟବସ୍ଥା କେମିତି ଅଛି ସେନେଇ ଆଲୋଚନା କରିଥିଲେ।

ଏହି ଆଲୋଚନାରୁ ଖବର ଆସିଲା ସେ ଭାରତ ସହିତ ପାକିସ୍ତାନ ସମ୍ପର୍କ ଛିନ୍ନ କରିବାକୁ ଚାହୁଁଛି। ଏହି ଖବର କିଛି ସମୟ ପରେ ସତ ପ୍ରମାଣିତ ହେଲା। ବିଭିନ୍ନ ଗଣମାଧ୍ୟମରେ ଖବର ଆସିଲା ଯେ ଭାରତ ସହିତ ପାକିସ୍ତାନ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିଛି। ଏହାସହ ଦ୍ୱିପାକ୍ଷିକ ସମ୍ପର୍କ କାଟିବା ପାଇଁ ନିଷ୍ପତ୍ତି ନେଇଛି।

୮ ତାରିଖ ଦିନ ପାକିସ୍ତାନ ସମ୍ପର୍କ କାଟିବାରେ ଆଉ ଦୁଇ ପାଦ ଆଗକୁ ବଢ଼ିଛି। ଉଭୟ ଆକାଶ ମାର୍ଗ ଏବଂ ରେଳ ପଥରେ କଟକଣା ଜାରି କରିଛି ପାକିସ୍ତାନ। ପାକିସ୍ତାନର ୧୧ଟି ରୁଟ୍‌ ଦେଇ ଭାରତୀୟ ବିମାନ ଯାତ୍ରା କରିଥାଏ। ସେଥିମଧ୍ୟରୁ ୩ଟି ରୁଟ୍‌ରେ ବିମାନ ଉଡ଼ାଣକୁ ବ୍ୟାନ୍ କରିଛନ୍ତି ପାକ୍‌ ସରକାର।

ଖାଲି ସେତିକି ନୁହେଁ, ଭାରତ-ପାକିସ୍ତାନ ମଧ୍ୟରେ ଗଡୁଥିବା ସମଜୌତା ଏକ୍ସପ୍ରେସ୍‌କୁ ବନ୍ଦ କରିଦେଇଛି ପାକିସ୍ତାନ। ଆଜି ପାକିସ୍ତାନରୁ ଭାରତ ଅଭିମୁଖେ ଆସିଥାନ୍ତା ସମଝୌତା ଏକ୍ସପ୍ରେସ୍‌। ହେଲେ ପାକିସ୍ତାନ ଡ୍ରାଇଭର ଏବଂ ଟ୍ରେନ ନେଇ ଭାରତ ଯାଇପାରିବେନି ବୋଲି ପାକ୍ ରେଳ ମନ୍ତ୍ରାଳୟ ପକ୍ଷରୁ ସଫା ସଫା କୁହାଯାଇଥିଲା।

ଭାରତ ଡ୍ରାଇଭର ଏବଂ କ୍ରିୟୁ ମେମ୍ବରଙ୍କୁ ପଠାଇ ସମଝୌତା ଏକ୍ସପ୍ରେସ୍‌ ନେଇଯାଉ ବୋଲି ପାକିସ୍ତାନ ଭାରତ ସରକାରଙ୍କୁ ଖବର ପଠାଇଥିଲା।

ସେହିପରି ଭାରତୀୟ ସିନେମାକୁ ପାକିସ୍ତାନରେ ବ୍ୟାନ କରିଛନ୍ତି ଇମ୍ରାନ ସରକାର। କୌଣସି ଭାରତୀୟ ଫିଲ୍ମ ପାକିସ୍ତାନ ହଲ୍‌ରେ ରିଲିଜ୍‌ ହୋଇପାରିବନି ବୋଲି ପାକ୍ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଇମ୍ରାନ୍ ଖାନ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପରେ ଉଭୟ ଦେଶ ଭିତରେ ବନ୍ଧୁତା ବଢ଼ିବ ବୋଲି କହିଥିଲେ। କିନ୍ତୁ ପରିସ୍ଥିତି ଓଲଟା ହେଲା। ବନ୍ଧୁତା ବଢ଼ିବା ବଦଳରେ ଇମ୍ରାନ ନିଜ ଆଡୁ ସମ୍ପର୍କ କାଟୁଛନ୍ତି।

ପାକିସ୍ତାନର ଏହି ଆଭିମୁଖ୍ୟକୁ ନେଇ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ତେବେ ଆଗକୁ ପାକିସ୍ତାନ ଆଉ କ’ଣ ପଦେକ୍ଷପ ନେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।

Comment