ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ସମ୍ବୋଧିତ କରିଥିଲେ। ପ୍ରାୟ ୪୦ ମିନିଟର ଲମ୍ବା ଭାଷଣରେ ମୋଦି ନୂଆ କଶ୍ମୀର ଏବଂ ଲଦାଖର ଚିତ୍ର ଆଙ୍କିଥିଲେ।

ଧାରା ୩୭୦ ଏବଂ ୩୫ ଏ’ ଉଛେଦ ହେବା ପରେ ଜମ୍ମୁ କଶ୍ମୀର ଏବଂ ଲଦାଖରେ ନୂଆ ଯୁଗ ଆରମ୍ଭ ହେବ ବୋଲି ମୋଦି କହିଥିଲେ। ୭୧ ବର୍ଷ ଭିତରେ ଯାହା ହୋଇପାରି ନଥିଲା ଜମ୍ମୁ କଶ୍ମୀରରେ ଏବେ ତାହା ହେବାକୁ ଯାଉଛି ବୋଲି ମୋଦି କହିଥିଲେ।

ନୂଆ ଜମ୍ମୁ କଶ୍ମୀର ଓ ନୂଆ ଲଦାଖର ନିର୍ମାଣ ହେବ

ଭାରତର ଅନ୍ୟ ରାଜ୍ୟମାନଙ୍କର ବିକାଶ ଯେମିତି ହେଉଛି ସେମିତି ବିକାଶ ଜମ୍ମୁ କଶ୍ମୀରରେ ହୋଇନାହିଁ। ବିକଶର ପହୁ ବଚରେ ରହିଛି ଜମ୍ମୁ କଶ୍ମୀର ଓ ଲଦାଖ। ଏବେ ୩୭୦ ଉଛେଦ ହୋଇଥିବାରୁ ଜମ୍ମୁ କଶ୍ମୀର ଓ ଲଦାଖର ଚିତ୍ର ବଦଳିଯିବ। ଏକ ନୂଆ ଜମ୍ମୁ କଶ୍ମୀର ଏବଂ ଲଦାଖ ଦେଖିବେ ଭାରତବାସୀ।

‘‘ଅନ୍ୟ ରାଜ୍ୟରେ ଛାତ୍ରଛାତ୍ରୀମାନେ ଶିକ୍ଷା ଅଧିକାର ପାଉଛନ୍ତି। ହେଲେ ଜମ୍ମୁ କଶ୍ମୀରରେ ଏହି ଅଧିକାର ମିଳୁ ନଥିଲା। ଦଳିତମାନଙ୍କ ପ୍ରତି ହେଉଥିବା ନିର୍ଯାତନା ରୋକିବା ପାଇଁ ସାରା ଦେଶରେ ଦୃଢ଼ ଆଇନ ବ୍ୟବସ୍ଥା ଅଛି। କିନ୍ତୁ ଏଥିରୁ ଜମ୍ମୁ କଶ୍ମୀରର ଲୋକ ବଞ୍ଚିତ ହେଉଥିଲେ। ସଂଖ୍ୟଲଘୁ ସଂପ୍ରଦାୟର ସୁରକ୍ଷା ପାଇଁ ସାରା ଦେଶରେ ଆଇନ ଅଛି, ହେଲେ ତାହା ଏଠାରେ ଲାଗୁ ହୋଇନାହିଁ। ଏବେ ଏସବୁ ଅନ୍ଧାରୀ ଶାସନର ଅନ୍ତ ଘଟିଛି। ଜମ୍ମୁ କଶ୍ମୀର ଓ ଲଦାଖରେ ବିକାଶ ଧାରାରେ ସାମିଲ ହେବ’’, କହିଛନ୍ତି ମୋଦି।

ଯୁବକମାନଙ୍କୁ ନିଯୁକ୍ତି

ଜମ୍ମୁ କଶ୍ମୀରର ଯୁବକମାନେ ଏଥର ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ହେବେ ନାହିଁ। ରାଜନୈତିକ ଏବଂ ସରକାରୀ ଚାକିରି କ୍ଷେତ୍ରରେ ଜମ୍ମୁ କଶ୍ମୀର ଏବଂ ଲଦାଖର ଯୁବକମାନଙ୍କୁ ସୁଯୋଗ ମିଳିବ। ଏଠାକାର ଯୁବକମାନଙ୍କୁ ସେନାରେ ସାମିଲ କରିବା ପାଇଁ ଆର୍ମି ରାଲି କରାଯିବ। ପ୍ରଧାନମନ୍ତ୍ରୀ ମେଧାବୃତ୍ତି ଯୋଜନା ବି ଏଠାରେ ଲାଗୁ କରାଯିବ ବୋଲି ମୋଦି କହିଥିଲେ।

‘‘ଜମ୍ମୁ କଶ୍ମୀରକୁ କାହିଁକି କେନ୍ଦ୍ର ଶାସିତ ଅଞ୍ଚଳ କରାଗଲା ତାହା ସମସ୍ତେ ଚିନ୍ତା କରିବା ଦରକାର। କାରଣ ପୂର୍ବରୁ ଯାହା ହୋଇ ନଥିଲା ତାହା ରାଜ୍ୟପାଳ ଶାସନ ପରେ ସମ୍ଭବ ହୋଇଛି। ଏଠାକାର ପ୍ରଶାସନ ସିଧା କେନ୍ଦ୍ର ସରକାରଙ୍କ ସହ ସମ୍ପର୍କରେ ରହିଥିଲେ। କେନ୍ଦ୍ର ଯୋଜନା ଏଠାରେ ପହଞ୍ଚି ପାରୁଥିଲା। ହେଲେ ଜମ୍ମୁ କଶ୍ମୀର ଅଧିକ ସମୟ କେନ୍ଦ୍ର ଶାସିତ ଅଞ୍ଚଳ ରହିବନି। ସ୍ଥିତି ସୁଧୁରିଲେ ପୁଣି ରାଜ୍ୟର ମାନ୍ୟତା ପାଇବ’’, କହିଥିଲେ ପ୍ରଧାନମନ୍ତ୍ରୀ।

ନାରୀମାନଙ୍କ ପାଇଁ ଅସଲ ସ୍ୱାଧୀନତା

ଧାରା ୩୭୦ ଏବଂ ୩୫ ଏ ଯୋଗୁଁ ଜମ୍ମୁ କଶ୍ମୀରର ନାରୀମାନେ ସେମାନଙ୍କ ହକ୍ ପାଉ ନଥିଲେ। ସାରା ଦେଶରେ କେନ୍ଦ୍ର ସରକାର ବେଟି ପଢ଼ାଓ, ବେଟି ବଚାଓ ଭଳି ଅନେ ଲୋକହିତକର ଯୋଜନା କରିଛନ୍ତି। ହେଲେ ଏଠାକାର ମହିଳାମାନେ ଏହି ସୁବିଧାରୁ ବଞ୍ଚିତ ଥିଲେ। ହେଲେ ଏବେ ସେମାନଙ୍କର ଅସଲ ସ୍ୱାଧୀନତା ଆସିଛି। ନାରୀମାନେ ଏଥର ସେମାନଙ୍କ ହକ୍‌ ପାଇବେ ବୋଲି କହିଥିଲେ ମୋଦି।

ପର୍ଯ୍ୟଟନର ବିକାଶ ହେବ

କଶ୍ମୀର ହେଉଛି ଭାରତର ଭୂସ୍ୱର୍ଗ। ଏଠାରେ ପ୍ରାକୃତିକ ସମ୍ପଦ ଭରପୁର ହୋଇ ରହିଛି। ହେଲେ ଏହାର ବିନିଯୋଗ ହୋଇପାରୁ ନଥିଲା। ଏବେ କଶ୍ମୀର ଭାଗ୍ୟ ବଦଳିବ। ଜମ୍ମୁ କଶ୍ମୀରରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ। ଲୋକେ ରୋଜଗାର ପାଇବେ। ଘାଟି ଅଞ୍ଚଳର ଲୋକେ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହେବେ ବୋଲି ମୋଦି କହିଥିଲେ।

ଏହି ଅବସରରେ ମୋଦି ଜମ୍ମୁ କଶ୍ମୀର ପୋଲିସ ପ୍ରଶାସନ ଏବଂ ସେନାବାହିନୀଙ୍କୁ ଧନ୍ୟବାଦ ଦେଇଥିଲେ। ଏହାସହ ଜମ୍ମ, କଶ୍ମୀର ଏବଂ ଲଦାଖ ଅଞ୍ଚଳର ସହିଦ ହୋଇଥିବା ବୀର ଯବାନମାନଙ୍କୁ ସ୍ମରଣ କରିଥିଲେ ମୋଦି।

Comment