ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଖୋର୍ଦ୍ଧାରୁ ଆରମ୍ଭ ହେଲା ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନ। ଶିବରାଜ ସିଂହ ଚୌହାନ ଓଡ଼ିଶାରୁ ହେଲେ ସଭ୍ୟ।

ବିଧାନସଭା ନିର୍ବାଚନରେ ଓଡ଼ିଶାରେ ବିଜେପିର ମିଶନ ୧୨୦ ଫେଲ୍ ମାରିବା ପରେ ଦଳ ପୌର ନିର୍ବାଚନକୁ ଫୋକସ୍‌ କରିଛି। ପୌର ନିର୍ବାଚନ ତାରିଖ ଘୋଷଣା ହୋଇ ନଥିବା ବେଳେ ବିଜେପି ଅଗଷ୍ଟ ୨୦ ସୁଦ୍ଧା ୫୦ ଲକ୍ଷ ସଭ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି।

ଖୋର୍ଦ୍ଧାରୁ ବିଜେପି ଆଜି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ସଭ୍ୟ ସଂଗ୍ରହ କମିଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶିବରାଜ ସିଂହ ଚୌହାନ ଖୋର୍ଦ୍ଧା ଆସି ଏହି ଅଭିଯାନ ଆରମ୍ଭ କରିଥିଲେ। ନିଜେ ଓଡ଼ିଶାରୁ ସଭ୍ୟ ହେବା ସହ ୨୫ ଜଣଙ୍କୁ ସଭ୍ୟ କରାଇଥିଲେ। ଆଗାମୀ ଦିନରେ ବିଜେପିର ସଦସ୍ୟ ସଂଖ୍ୟା ବଢ଼ିବ ବୋଲି କହିଥିଲେ ଶିବରାଜ।

‘‘ଆମ ମିଶନ କେବେ ଫେଲ୍ ହୋଇନି। ତ୍ରିପୁରାରେ ଯାହା ମିଶନ ଥିଲା ସେଥିରେ ସଫଳ ହୋଇଥିଲୁ। ଓଡ଼ିଶାରେ ଯେଉଁ ମିଶନ ଟାର୍ଗେଟ କରାଯାଇଥିଲା ସେଥିରୁ ଆମେ ଓହରିନୁ। ଆମେ ଆମ ମିଶନରେ ଅଟଳ ଅଛୁ। ଆଗାମୀ ଦିନରେ ସଫଳ ହେବୁ’’, କହିଛନ୍ତି ଶିବରାଜ ସିଂହ ଚୌହାନ।

ଶିବରାଜ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଖୋର୍ଦ୍ଧାଠାରେ ଅନୁଷ୍ଠିତ ସଦସ୍ୟ ସଂଗ୍ରହ ଅଭିଯାନରେ ଯୋଗ ଦେଇ ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ବର୍ଷିଥିଲେ। ନବୀନ ଓଡ଼ିଆ କହି ଜାଣି ନାହାନ୍ତି ଏବଂ ତାଙ୍କ ଶାସନ ଅମଳରେ ଦୁର୍ନୀତି ସୀମା ଟପିଥିବା କହିଥିଲେ ଶିବରାଜ।

ଖୋର୍ଦ୍ଧାରୁ ଆସି ଭୁବନେଶ୍ୱରରେ ଅନୁଷ୍ଠିତ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେଇଥିଲେ ଶିବରାଜ। ବିଜେପି ସଙ୍ଗଠନକୁ ଆଗକୁ ନେବାକୁ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରିଥିଲେ।

ଗତ ୪ ବର୍ଷ ତଳେ ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲା। ନିଜେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଧଉଳିରୁ ଏହି ଅଭିଯାନ ଆରମ୍ଭ କରିଥିଲେ ଏବଂ ସେ ମଧ୍ୟ ଓଡ଼ିଶାରୁ ସଭ୍ୟ ହୋଇଥିଲେ।

ଦଳ ୩୬ ହଜାର ବୁଥ୍‌ରେ ସ୍ଥିତି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ଏଥିରେ ଫେଲ୍ ମାରିଥିଲା ଦଳ। ୩୪ ଲକ୍ଷ ସଭ୍ୟ ଥିବା ବିଜେପି ଦାବି କରିଥିଲେ ମଧ୍ୟ ତାହା ଭୋଟରେ ପରିଣତ ହୋଇପାରି ନଥିଲା।

ମିଶନ ୧୨୦ର ଲକ୍ଷ୍ୟ ନେଇ ବିଜେପି ନିର୍ବାଚନ ଲଢ଼ିଥିଲା। ହେଲେ ଦଳକୁ ମାତ୍ର ୨୩ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା।

‘‘ଲକ୍ଷ୍ୟ ହାସଲ ନହେବା ଯାଏଁ ଆମେ ଆମ ମିଶନରୁ ଓହରିବୁ ନାହିଁ। ଏଥିପାଇଁ ଆମେ ରଣନୀତି ପ୍ରସ୍ତୁତ କରିଛୁ। ୨୦୨୪ ନିର୍ବାଚନ ଏବଂ ଆଗାମୀ ପୌର ନିର୍ବାଚନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛୁ’’, କହିଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ।

Comment