ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଖୁବ୍‌ଶୀଘ୍ର କ୍ରିକେଟ୍‌କୁ ଅଲମ୍ପିକ୍ସରେ ସାମିଲ କରିବା ପାଇଁ ପ୍ରୟାସ ଚାଲିଛି” ଏହା କହିଛନ୍ତି ଏମ୍‌ସିସି(ମେଲବର୍ନ କ୍ରିକେଟ୍ କ୍ଲବ) ବିଶ୍ୱ କ୍ରିକେଟ୍‌ କମିଟିର ଚେୟାରମ୍ୟାନ ମାଇକ୍ ଗଟିଙ୍ଗ। ଆସନ୍ତା ୨୦୨୮ ଲସ୍ ଏଞ୍ଜେଲସ୍ ଅଲମ୍ପିକ୍ସ ଗେମ୍ସରେ କ୍ରିକେଟ୍ ସ୍ଥାନ ପାଇବା ନେଇ ଆଇସିସି ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଉଛି।

ମାଇକ୍ ଗଟିଙ୍ଗ କହିଛନ୍ତି, “ଚଳିତ ସପ୍ତାହରେ ଆଇସିସିର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ସାୱନୀଙ୍କ ସହ ଏ ବିଷୟରେ ଚର୍ଚ୍ଚା ହୋଇଥିଲା। ସେ ୨୦୨୮ ଅଲମ୍ପିକ୍ସ ଗେମ୍ସରେ କ୍ରିକେଟ୍‌କୁ ସ୍ଥାନ ଦେବା ପାଇଁ କାମ ଆରମ୍ଭ କରିଛନ୍ତି।” ତେବେ ଯଦି ଏହା ସଫଳ ହେବ, ତାହେଲେ ସମଗ୍ର ବିଶ୍ୱସ୍ତରରେ କ୍ରିକେଟ୍‌ ପାଇଁ ଏହା ଏକ ବଡ଼ ଘୋଷଣା ହୋଇପାରେ ବୋଲି ଗଟିଙ୍ଗ କହିଛନ୍ତି।

ବର୍ତ୍ତମାନ ଭାରତୀୟ କ୍ରିକେଟ୍ ବୋର୍ଡ ଡୋପିଂ ନିରୋଧି ସଂସ୍ଥା ନାଡା ଅଧିନକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି। କାରଣ ସମସ୍ତ ଖେଳ ସଂଘଗୁଡିକ ବାଧ୍ୟତାମୂଳକ ଭାବରେ ଡୋପିଂ ନିୟମରେ ରହିବାକୁ ପଡ଼ିବ ବୋଲି ଅଲମ୍ପିକ୍ସ ଗେମରେ ନିୟମ ରହିଛି।

ଏହା ପୂର୍ବରୁ କ୍ରକେଟକୁ ଏସିଆନ୍ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସାମିଲ କରାଯାଇସାରିଛି। ଏହାକୁ ଆଉ ପାଦେ ଆଗକୁ ନେଇ ଅଲମ୍ପିକ୍ସ ଗେମ୍ସରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରହିଛି। ଏନେଇ ଆଇସିସି ଓ ଏମସିସି ଏଦିଗରେ କାର୍ଯ୍ୟ ଆରମ୍ଭ କରୁଛନ୍ତି। ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ମଧ୍ୟ କ୍ରିକେଟକୁ ଅଲମ୍ପିକ୍ସରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ।

Comment