ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ସ୍ୱାଧୀନତା ଦିବସ। ଚଳିତବର୍ଷ ୭୩ତମ ସ୍ଵାଧୀନତା ଦିବସ ପାଳନ କରିବ ପୂରା ଦେଶ। ଏଥର ପ୍ରଥମଥର ଲାଗି ରାଜ୍ୟସ୍ତରୀୟ ପରେଡ୍‌ କାର୍ଯ୍ୟକ୍ରମ ଭୁବନେଶ୍ୱର ଗାନ୍ଧୀମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ।

ଚଳିତବର୍ଷ ରାଜ୍ୟସ୍ତରୀୟ ପରେଡ୍‌ରେ ଭାଗ ନେବେ ମୋଟ୍‌ ୪ଟି ଗ୍ରୁପ୍। ଟେରିଟୋରିଆଲ ପୋଲିସ, ତେଲେଙ୍ଗାନା ପୋଲିସ୍, ସେଣ୍ଟ୍ରାଲ ଆର୍ମଡ୍‌ ପୋଲିସ୍‌ ଓ ଓଡ଼ିଶା ପୋଲିସ୍‌ ଭାଗନେଇ ରାଷ୍ଟ୍ରିୟ ସାଲ୍ୟୁଟ୍ କରିବେ।

ସ୍ଵାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୯ଟା ୧୫ରେ ପହଞ୍ଚିବେ। ପହଞ୍ଚିବା ପରେ ପ୍ରଦର୍ଶନୀ ପଡ଼ିଆରେ ୯ଟା ୧୭ରେ ପତାକା ଉତ୍ତୋଳନ କରିବେ।

ଏହାସହ ବିଭିନ୍ନ ସ୍କୁଲ୍‌ର ସ୍କାଉଟ୍ ଗାଇଡ୍‌, ଏନ୍‌ସିସି ସମତେ ୩୧ଟି ଗ୍ରୁପ୍‌ ମଧ୍ୟ ଭାଗ ନେବେ।

ପ୍ରଦର୍ଶନି ପଡ଼ିଆରେ ପୋଲିସ୍‌ ଡିଜି ବିଜୟ କୁମାର ଶର୍ମା, ପୋଲିସ୍‌ କମିଶନର ସତ୍ୟଜିତ୍‌ ମହାନ୍ତି, ଡିସିପି ଅନୁପ ସାହୁଙ୍କ ସମତେ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିବେ।

ଏଥର ପ୍ରଦର୍ଶନୀ ପଡ଼ିଆରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଚଳିତବର୍ଷ ୨୫ ପ୍ଲାଟୁନ୍ ପୋଲିସ୍‌ ମୁତୟନ କରାଯାଇଛି। ଉତ୍ସବ ସ୍ଥାନରେ ୬୦ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି।

ଚଳିତ ଥର ପରେଡ୍‌ କାର୍ଯ୍ୟକ୍ରମ ଦେଖିବା ପାଇଁ ପ୍ରାୟ ୮ରୁ ୧୦ ହଜାର ଲୋକ ଆସିବେ ବୋଲି ଅନୁମାନ କରାଯାଉଛି। ଲୋକଙ୍କ ସୁବିଧାକୁ ଦେଖି ୫ହଜାର ସିଟ୍‌ର ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍‌ ସମସ୍ୟା ଏଡ଼ାଇବା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା ମଧ୍ୟ କରଯାଇଛି।

Comment