ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ଚିନ୍ତା ବଢ଼ାଇଛି ‘ପିଓକେ’।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ ହେବା ପରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଏବେ ‘ପିଓକେ’ ଚିନ୍ତା ଘାରିଛି। ପିଓକେକୁ ଯଦି ଭାରତ କବ୍‌ଜା କରିବାକୁ ଚାହେଁ ତାହାଲେ ପାକିସ୍ତାନ ଯୁଦ୍ଧ କରିବାକୁ ପଛାଇବ ନାହିଁ ବୋଲି ଇମ୍ରାନ ଧମକ ଦେଇଛନ୍ତି।

ପାକିସ୍ତାନ ଆଜି ୭୩ତମ ସ୍ୱାଧୀନତା ଦିବସ ପାଳନ କରିଛି। ଏହି ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ବିଧାନସଭାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଠାରେ ସେ ଭାରତକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ।

‘‘ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ କରିବା ପରେ ଭାରତ ପିଓକେ ଉପରେ ଆଖି ପକାଇଛି। ପିଓକେକୁ ନିଜ ଦଖଲକୁ ନେବା ପାଇଁ ଭାରତ ସରକାର କିଛି ବି କରିପାରନ୍ତି। ଯଦି ଏମିତି କିଛି ପଦକ୍ଷେପ ଭାରତ ପକ୍ଷରୁ ନିଆଯାଏ ତାହାଲେ ପାକିସ୍ତାନୀ ସେନା ଏହାର ଦୃଢ଼ ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି’’, କହିଛନ୍ତି ଇମ୍ରାନ୍ ଖାନ୍‌।

ଯଦି ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୁଏ ତାହାଲେ ଏଥିପାଇଁ ଜାତିସଂଘ ଦାୟୀ ରହିବ ବୋଲି ଇମ୍ରାନ କହିଛନ୍ତି।

‘‘କଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ପୃଥିବୀର ବିଭିନ୍ନ ମଞ୍ଚକୁ ନେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିର ଅସଲ ମୁଖାକୁ ଖୋଲି ସାରା ବିଶ୍ୱକୁ ସତ ଜଣାଇ ଦେବ। କଶ୍ମୀର ମାମଲାରେ ଯଦି ଆବଶ୍ୟକ ପଡ଼େ ଆମେ ଅନ୍ତର୍ଜାତୀୟ କୋର୍ଟକୁ ମଧ୍ୟ ଯିବୁ। ଲଣ୍ଡନରେ ଜାତିସଂଘର ମହାସଭା ଅନୁଷ୍ଠିତ ହେବ। ସେଠାରେ ପାକିସ୍ତାନ ବଡ଼ ରାଲି କରି କଶ୍ମୀର ପ୍ରସଙ୍ଗକୁ ବିରୋଧ କରିବ’’, କହିଛନ୍ତି ଇମ୍ରାନ।

ଇମ୍ରାନ୍‌ ଖାନ୍ ଆହୁରି କହିଥିଲେ ଯେ ବିଜେପି ଏବଂ ସଂଘର ବିଚାରଧାରା ହେଉଛି ମୁସଲମାନ ବିରୋଧୀ। ହିନ୍ଦୁସ୍ତାନରେ ମୁସଲମାନଙ୍କ ସ୍ୱରକୁ ଚାପିଦେବା ପାଇଁ ଉଦ୍ୟମ ହେଉଛି। ପାକିସ୍ତାନ ଚାଲିଯିବାକୁ ସେମାନଙ୍କୁ ଧମକ ଦିଆଯାଉଛ।

କଶ୍ମୀର ପ୍ରସଙ୍ଗ ମୋଦିଙ୍କ ପାଇଁ ମହଙ୍ଗା ପଡ଼ିବ ବୋଲି ଇମ୍ରାନ ପିଓକେରେ ଚେତାବନୀ ଦେଇଛନ୍ତି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ ହେବା ପରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଘାବରେଇ ଯାଇଛନ୍ତି। କଶ୍ମୀର ପ୍ରସଙ୍ଗରେ ସବୁ ଆଡୁ ଝଟ୍‌କା ଖାଇବା ପରେ ଇମ୍ରାନ ଏବେ ଭାରତକୁ ଯୁଦ୍ଧ ଧମକ ଦେଉଛନ୍ତି।

କଶ୍ମୀର ପ୍ରସଙ୍ଗକୁ ନେଇ ଜାତିସଂଘର ଦ୍ୱାରସ୍ଥ ହୋଇଥିଲା ପାକିସ୍ତାନ। ହେଲେ ଜାତିସଂଘ ଏଥିରେ ହସ୍ତକ୍ଷେପ କରିପାରିବେନି ବୋଲି ମନା କରି ଦେଇଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ ଲୋଡ଼ିଥିଲା ପାକିସ୍ତାନ। ହେଲେ ସେ ବି ମଧ୍ୟସ୍ଥତା କରିବାକୁ ମନା କରି ଦେଇଥିଲେ।

ଶେଷରେ ପାକିସ୍ତାନ ଭୋକ ବିକଳରେ ତାଟିଆ କୁମୁଡ଼ିବା ଭଳି ନିଜ ଆଡୁ ଭାରତ ସହ ସମ୍ପର୍କ କାଟିଥିଲା।

Comment