ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଲାଲକିଲ୍ଲାରେ ୭୩ତମ ସ୍ୱାଧୀନତା ଦିବସର ପତାକା ଉତ୍ତୋଳନ କରି ମୋଦି କି ବାର୍ତ୍ତା ଦେବେ ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।

ସାରା ଦେଶ ଆଜି ପାଳନ କରୁଛି ୭୩ତମ ସ୍ୱାଧୀନତା ଦିବସ। ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିବେ। ତେବେ ମୋଦି ତାଙ୍କ ଭାଷଣରେ କ’ଣ କହିବେ ତାକୁ ହିଁ ସମସ୍ତେ ଚାହିଁ ରହିଛନ୍ତି।

୭୩ତମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ମୋଦି ସରକାର ଜମ୍ମୁ କଶ୍ମୀରର ଇତିହାସ ଓ ଭୁଗୋଳ ବଦଳାଇ ଦେଇଛନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଏବଂ ୩୫ ଏ ଉଛେଦ କରି ନୂଆ ଇତିହାସ ରଚିଛନ୍ତି। ଜମ୍ମୁ କଶ୍ମୀରରୁ ଲଦାଖକୁ ଅଲଗା କରିଛନ୍ତି। ଏହି ଐତିହାସିକ ପଦକ୍ଷେପକୁ ସାରା ଦେଶ ସ୍ୱାଗତ କରୁଥିବା ବେଳେ ପାକିସ୍ତାନ ଚିନ୍ତାରେ ପଡ଼ିଛି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦକୁ ନେଇ ପାକିସ୍ତାନ ଭାରତ ସହ ସବୁ ସମ୍ପର୍କ କାଟିଛି। ଖାଲି ସେତିକି ନୁହେଁ, ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ ମଧ୍ୟ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଅଗଷ୍ଟ ୧୪ରେ ପାକିସ୍ତାନ ସ୍ୱାଧୀନତା ଦିବସ ପାଳନ କରିବା ଅବସରରେ ଇମ୍ରାନ୍‌ ମୋଦି ଏବଂ ବିଜେପିକୁ ଜୋରଦାର ଆଟାକ୍‌ କରିଛନ୍ତି।

ଏପରିକି କଶ୍ମୀର ପ୍ରସଙ୍ଗକୁ ନେଇ ଅନ୍ତର୍ଜାତୀୟ କୋର୍ଟକୁ ଯିବୁ ବୋଲି ଇମ୍ରାନ କହିଛନ୍ତି। ଏଣୁ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରି ମୋଦି ଇମ୍ରାନଙ୍କୁ କଡ଼ା ଜବାବ ଦେବେ ବୋଲି କୁହାଯାଉଛି।

ଜମ୍ମୁ କଶ୍ମୀରରୁ ଧାରା ୩୭ରୁ ଉଛେଦ ହେବା ପରେ ଭାରତ-ପାକ୍‌ ସୀମାରେ ଅଶାନ୍ତ ଲାଗି ରହିଛି। ପାକିସ୍ତାନୀ ସେନା ସୀମାରେ ସଜାଗ ରହିଛନ୍ତି। ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଣୁ ଭାରତୀୟ ଯବାନମାନଙ୍କ ମନୋବଳ ଦୃଢ଼ ପାଇଁ ମୋଦି କିଛି ବି ଘୋଷଣା କରିପାରନ୍ତି।

ଧାରା ୩୭୦ ଉଛେଦ କରିବା ପୂର୍ବରୁ ସଂସଦରେ ମୋଦି ସରକାର ତିନି ତଲାକ୍‌ ବିଲ୍‌ ପାସ୍‌ କରିଥିଲେ। ଏଣୁ ଏହି ବିଲ୍‌ ଉପରେ ବି ମୋଦି ଦେଶବାସୀଙ୍କୁ କହିପାରନ୍ତି।

Comment