ଓଡ଼ିଶାଲାଇଭ ବ୍ୟୁରୋ

- ହାଇଦ୍ରାବାଦର ସହକାରୀ କୋଚ୍ ଭାବେ ନିଯୁକ୍ତ ହେଲେ ହାଡିନ୍
- ୨୦୧୫ ବିଶ୍ୱକପ୍ ବିଜୟୀ ଅଷ୍ଟ୍ରେଲିଆ ଦଳର ଥିଲେ ଅଂଶୀଦାର
- ପୂର୍ବୁର ଦଳର ମୁଖ୍ୟକୋଚ୍ ପଦବୀରେ ନିଯୁକ୍ତ ହୋଇଛନ୍ତି ଟ୍ରେଭର ବେଲିସ
ଆଇପିଏଲର ୧୩ତମ ସିଜିନ୍କୁ ଆହୁରି ୭ମାସ ବାକିଥିବା ବେଳେ ଏବେଠୁ ଆରମ୍ଭ ହୋଇଛି ପ୍ରସ୍ତୁତ। ଏଥିପାଇଁ ସନରାଇଜର୍ସ ହାଇଦ୍ରାବାଦ୍ ଦଳ ତା’ର ସହକାରୀ କୋଚ୍ ଭାବେ ଅଷ୍ଟ୍ରେଲିଆ ଦଳର ପୂର୍ବତନ ୱିକେଟକିପର୍ ତଥା ବ୍ୟାଟ୍ସମ୍ୟାନ ବ୍ରାଡ୍ ହାଡିନଙ୍କୁ ନିଯୁକ୍ତ କରିଛି।
ସୋମବାର ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛି ଦଳ। ଦଳର ପୂର୍ବ ସହକାରୀ କୋଚ୍ ସିମନ୍ ହେଲମୋଟଙ୍କ ସ୍ଥାନରେ ହାଡିନଙ୍କୁ ନୂଆ କରି ନିଯୁକ୍ତି କରାଯାଇଛି। ସେ ଦଳର ମୁଖ୍ୟ କୋଚ ଟ୍ରେଭର ବେଲିସଙ୍କ ଅଧିନରେ ରହି କାର୍ଯ୍ୟ କରିବେ। ମୁଖ୍ୟକୋଚ ପଦବୀରେ ଟମ୍ ମୁଡିଙ୍କ ସ୍ଥାନରେ ଟ୍ରେଭର ବେଲିସଙ୍କୁ ମୁଖ୍ୟ କୋଚ୍ ନିଯୁକ୍ତ କରାଯାଇଛି।
ହାଡିନ୍ କୋଲକତା ନାଇଟ ରାଇଡର ପକ୍ଷରୁ ଆଇପିଏଲ ଖେଳିଥିଲେ। ୨୦୧୧ ମସିହାରୁ ସେ କୋଲକତାର ସଦସ୍ୟ ରହି ଆସିଛନ୍ତି। ହାଡିନଙ୍କର ମଧ୍ୟ ପୂର୍ବରୁ କୋଚ୍ ଭାବେ ଅଭିଜ୍ଞତା ଅଛି। ସେ ୨୦୧୭ ମସିହାରେ ଅଷ୍ଟ୍ରେଲିଆ ଦଳର ଫିଲଡିଂ କୋଚ୍ ରହିଥିଲେ। ଏଥିସହ ସେ ଅଷ୍ଟ୍ରେଲିଆ-ଏ ଦଳର ମଧ୍ୟ କୋଚ୍ ରହିଥିଲେ।
ଅଷ୍ଟ୍ରେଲିଆର ଏହି ପୂର୍ବତନ ଖେଳାଳି ୨୦୦୧ ମସିହାରେ ଜିମ୍ବାୱେ ବିପକ୍ଷରେ ଦିନିକିଆରେ ନିଜର ପ୍ରଥମ ମ୍ୟାଚ୍ ଖେଳିଥିଲେ। ସେହିଭଳି ସେ ୨୦୦୮ ମସିହାରେ ପ୍ରଥମ ଥର ପାଇଁ ଟେଷ୍ଟରେ ପଦାର୍ପଣ କରିଥିଲେ। ଖେଳାଳି ଭାବରେ ସେ ୬୬ଟି ଟେଷ୍ଟ ମ୍ୟାଚରେ ୩୨.୯୯ ଆଭରେଜରେ ୩ହଜାର ୨୬୬ ରନ୍ କରିଛନ୍ତି। ଏଥିସହ ୧୨୬ଟି ଦିନିକିଆରେ ସେ ୩୧.୫୩ ଆଭରେଜରେ ୩ହଜାର ୧୨୨ ରନ୍ କରିଛନ୍ତି। ଏହାପରେ ସେ ୨୦୧୫ ମସିହା ମେ ମାସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।

















