ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ମୁମ୍ବାଇ-ଦିଲ୍ଲୀ ଭିତରେ ଖେଳାଯିବ ଆଇପିଏଲ୍ ଫାଇନାଲ୍ ମ୍ୟାଚ୍।

ଆଇପିଏଲ୍ ୨୦୨୦ରେ ଆସନ୍ତାକାଲି ଖେଳାଯିବାକୁ ଅଛି ହାଇଭୋଲଟେଜ୍ ଫାଇନାଲ୍ ମ୍ୟାଚ୍। ଯେଉଁଥିରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ରୋହିତଙ୍କ ନେତୃତ୍ୱାଧୀନ ଟିମ୍ ମୁମ୍ବାଇ ପଞ୍ଚମ ଥର ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ, ଯୁବ ଅଧିନାୟକ ଆୟାରଙ୍କ ଅଧୀନରେ ଦିଲ୍ଲୀ ପ୍ରଥମ ଥର ଟାଇଟଲ ଜିତିବାକୁ ରଣନୀତି ପ୍ରସ୍ତୁତ କରୁଛି।

କିଏ ଆଗରେ, କିଏ ପଛରେ?

ଆଇପିଏଲର ଚଳିତ ସଂସ୍କରଣରେ ମୁମ୍ବାଇ ଓ ଦିଲ୍ଲୀ ଟିମକୁ ତୁଳନା କଲେ ଦିଲ୍ଲୀ କ୍ୟାପିଟାଲ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଅପେକ୍ଷା ପଛରେ ରହିଛି। ଦୁଇ ଦଳ ଚଳିତ ସିଜିନରେ ମୋଟ ୩ ଥର ଭେଟାଭେଟି ହୋଇଥିବାବେଳେ ପ୍ରତିଥର ମୁମ୍ବାଇ ବାଜି ମାରିଛି। ପ୍ରଥମ କ୍ୱାଲିଫାୟାର ମ୍ୟାଚରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ଶୋଚନୀୟ ଭାବେ ପରାଜିତ କରିଥିଲା। ମୁମ୍ବାଇର ୨୦୦ ରନର ଜବାବରେ ଦିଲ୍ଲୀ ମାତ୍ର ୧୪୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ତେଣୁ ଫାଇନାଲରେ ଏହି ଗଣିତକୁ ଭୁଲ ସାବ୍ୟସ୍ତ କରିବାକୁ ଦିଲ୍ଲୀ କ୍ୟାପିଟାଲ୍ସ ନିଶ୍ଚିତ ଚେଷ୍ଟା କରିବ।କେଉଁ ଖେଳାଳିଙ୍କ ଉପରେ ରହିବ ନଜର?

ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସର କିଛି ଜଣାଶୁଣା ଖେଳାଳିଙ୍କ ଉପରେ ନଜର ରହିବ। ଏହି ଖେଳାଳିଙ୍କ ବଳରେ ହିଁ ଦୁଇ ଦଳ ଫାଇନାଲରେ ପହଞ୍ଚିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଦଳ ବୋଲିଂରେ ଜଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟଙ୍କଠାରୁ ଭଲ ପ୍ରଦର୍ଶନ ଆଶା ରଖିଛି। ଏଥିସହ ଦଳର ସ୍ପିନରମାନେ ମଧ୍ୟ ଦଳକୁ ବେଶ କିଛି ୱିକେଟ୍ ଭେଟି ଦେଇଛନ୍ତି। ସେହିପରି ରୋହିତ, ସୂର୍ଯ୍ୟକୁମାର ଯାଦବ, ପୋଲାର୍ଡ, ଡି କକ୍ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ ମୁମ୍ବାଇକୁ ଫାଇଦା ଦେବ ବୋଲି କୁହାଯାଉଛି।

ଅନ୍ୟପଟେ ଦିଲ୍ଲୀର ବୋଲିଂ ଲାଇନ୍ ଅପ୍ କାଗିସୋ ରାବାଡାଙ୍କ ଉପରେ ଯଥେଷ୍ଟ ନିର୍ଭରଶୀଳ। ତା ସହିତ ଶିଖର ଧାୱନ, ଆୟାର, ରିଷଭ ପନ୍ଥ ଆଦି ଖେଳାଳି ଦଳର ବ୍ୟାଟିଂର ମେରୁଦଣ୍ଡ ସାଜିଛନ୍ତି। ଦଳ ଏହି ଖେଳାଳିଙ୍କଠୁ ଫାଇନାଲ୍ ମ୍ୟାଚରେ ଭଲ ପ୍ରଦର୍ଶନ ଆଶା ରଖିଛି।ପ୍ରଥମ ଟାଇଟଲ ଲକ୍ଷ୍ୟରେ ଦିଲ୍ଲୀ

ଏଯାବତ ଆଇପିଏଲର ମୋଟ ୧୨ଟି ସଂସ୍କରଣ ଖେଳାଯାଇସାରିଛି। ଯେଉଁଥିରେ ଦିଲ୍ଲୀ ଦଳ କଦାପି ଚାମ୍ପିୟନ ହୋଇପାରିନି। ତେଣୁ ଦଳ ଏଥର ପ୍ରଥମ ଥର ପାଇଁ ଆଇପିଏଲ୍ ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଛି। ଏହାପୂର୍ବରୁ ଦଳ ୨୦୦୯ ଓ ୨୦୧୨ରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ତୃତୀୟ ସ୍ଥାନରେ ରହିଥିଲା। ତେଣୁ ଚାମ୍ପିୟନ ହେବାର ଏ ସୁଯୋଗକୁ ଦଳ ହାତଛଡ଼ା କରିବାକୁ ଚାହୁଁନି।

ପଞ୍ଚମ ଥର ଚାମ୍ପିୟନ ହେବା ଆଶାରେ ମୁମ୍ବାଇ

ଆଇପିଏଲରେ ସବୁଠୁ ସଫଳ ଦଳର ମାନ୍ୟତା ପାଇସାରିଛି ମୁମ୍ବାଇ ଇଣ୍ଡିଆନ୍ସ। ଦଳ ଏଯାବତ ମୋଟ ୪ ଥର ଚାମ୍ପିୟନ ହୋଇଥିବାବେଳେ ଥରେ ରନର୍ସ ଅପ୍ ହୋଇଛି। ମୁମ୍ବାଇ ଛଡ଼ା ଅନ୍ୟ କୌଣସି ଦଳ ଏତେଥର ଆଇପିଏଲ୍ ଚାମ୍ପିୟନ ହୋଇନାହାନ୍ତି। ମୁମ୍ବାଇ ପଛକୁ ଚେନ୍ନାଇ ସୁପରକିଙ୍ଗସ୍ ସର୍ବାଧିକ ୩ ଥର ଓ କେକେଆର୍ ୨ ଥର ଚାମ୍ପିୟନ ହୋଇଛନ୍ତି। ତେଣୁ ଏଥର ଫାଇନାଲ୍ ମ୍ୟାଚକୁ ବାଜିମାତ୍ କରି ମୁମ୍ବାଇ ପଞ୍ଚମ ଥର ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଛି।ଆଇପିଏଲ୍ ଚାମ୍ପିୟନଙ୍କ ତାଲିକା

  • ୨୦୦୮ – ପ୍ରଥମ ସଂସ୍କରଣ – ରାଜସ୍ଥାନ ରୟାଲ୍ସ
  • ୨୦୦୯ –  ଦ୍ୱିତୀୟ ସଂସ୍କରଣ –  ଡେକାନ୍ ଚାଜର୍ସ
  • ୨୦୧୦ – ତୃତୀୟ ସଂସ୍କରଣ – ଚେନ୍ନାଇ ସୁପର କିଙ୍ଗସ୍
  • ୨୦୧୧ –  ଚତୁର୍ଥ ସଂସ୍କରଣ – ଚେନ୍ନାଇ ସୁପର କିଙ୍ଗସ୍
  • ୨୦୧୨ – ପଞ୍ଚମ ସଂସ୍କରଣ – କୋଲକାତା ନାଇଟ୍ ରାଇଡର୍ସ
  • ୨୦୧୩ – ଷଷ୍ଠ ସଂସ୍କରଣ – ମୁମ୍ବାଇ ଇଣ୍ଡିଆନ୍ସ
  • ୨୦୧୪ – ସପ୍ତମ ସଂସ୍କରଣ – କୋଲକାତା ନାଇଟ୍ ରାଇଡର୍ସ
  • ୨୦୧୫ – ଅଷ୍ଟମ ସଂସ୍କରଣ – ମୁମ୍ବାଇ ଇଣ୍ଡିଆନ୍ସ
  • ୨୦୧୬ – ନବମ ସଂସ୍କରଣ – ସନରାଇଜର୍ସ ହାଇଦ୍ରାବାଦ
  • ୨୦୧୭ – ଦଶମ ସଂସ୍କରଣ – ମୁମ୍ବାଇ ଇଣ୍ଡିଆନ୍ସ
  • ୨୦୧୮ – ଏକାଦଶ ସଂସ୍କରଣ – ଚେନ୍ନାଇ ସୁପର କିଙ୍ଗସ୍
  • ୨୦୧୯ – ଦ୍ୱାଦଶ ସଂସ୍କରଣ – ମୁମ୍ବାଇ ଇଣ୍ଡିଆନ୍ସ

Comment